ପୃଷ୍ଠା:Odishara Itihas.pdf/୧୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅମ୍ବର ରାୟଙ୍କ ପ୍ରବର୍ତ୍ତନାରେ ଉଲ୍ଲିଖିତ ଦୁର୍ଗଦ୍ୱୟ ଫେରି ପାଇବା ସକାଶେ କପିଳେନ୍ଦ୍ର ଦଶସହସ୍ର ଅଶ୍ୱାରୋହୀ ଓ ଆଠ ସହସ୍ର ପଦାତିକ ସୈନ୍ୟ ଘେନି ମହମ୍ମଦସାଙ୍କ ବିରୁଦ୍ଧରେ ଯୁଦ୍ଧଯାତ୍ରା କରିଥିଲେ । ଉତ୍କଳ ରାଜାଙ୍କର ଏହି ଅସଦାଚରଣ ମହମ୍ମଦଙ୍କର କ୍ରୋଧାଗ୍ନି ପ୍ରବଳବେଗରେ ପ୍ରଜ୍ଜଳିତ କରାଇଲା । ସେ ଏକାବେଳକେ କୋଡ଼ିଏ ସ‌ହସ୍ର ଉତ୍କୃଷ୍ଟ ସୈନ୍ୟ ଘେନି ଓଡ଼ିଶା ଦିଗକୁ ମୁଖ ଫେରାଇଲେ ଓ ଓଡ଼ିଶା ରାଜଧାନୀ ପର୍ଯ୍ୟନ୍ତ ସମସ୍ତ ଦେଶ ଲୁଣ୍ଠନ କଲେ । ଅବଶେଷରେ ଓଡିଶା ରାଜାଙ୍କଠାରୁ ତାଙ୍କର ଅତି ମୂଲ୍ୟବାନ୍ ପଚିଶ ହସ୍ତୀ ଓ ବହୁ ପରିମାଣର ସ୍ୱର୍ଣ୍ଣ ରୌପ୍ୟ ଗ୍ରହଣ କରି ସ୍ୱଦେଶକୁ ପ୍ରତ୍ୟାଗତ ହେଲେ । ମଧ୍ୟ ଅମ୍ବର ରାୟଙ୍କୁ ବିଶ୍ୱାସଘାତକତାର ସମୁଚିତ ଫଳ ଦେବା ସକାଶେ କନ୍ଦାପଲିକି ଯାତ୍ରା କରି ସେଠାରେ ତାଙ୍କର ଅତି ଦୁର୍ଦ୍ଦଶା ବିଧାନ କଲେ । କପିଳେନ୍ଦ୍ରଙ୍କ ରାଜତ୍ୱ ସମୟରେ ଓଡ଼ିଶାରେ ଏକ ଦୁର୍ଭିକ୍ଷ ଉପସ୍ଥିତ ହୋଇଥିଲା । ଅନନ୍ତର ୧୪୭୯ ଖ୍ରୀଷ୍ଟାବ୍ଦରେ କପିଳେନ୍ଦ୍ର ଦେବ ପୁରୁଷୋତ୍ତମ ଦେବଙ୍କୁ ଉତ୍ତରାଥିକାରୀ ସ୍ଥିର କରି କୃଷ୍ଣାନ‌ଦୀ ତଟରେ ସଂସାରତ୍ୟାଗ କରିଥିବାର ଉତ୍କଳ ଗ୍ରନ୍ଥମାନଙ୍କରେ ବର୍ଣ୍ଣିତ ଅଛି । ପୁରୁଷୋତ୍ତମ ଦେବ (୧୪୭୯-୧୫୦୪)— କପିଳେନ୍ଦ୍ରଙ୍କ ଉତ୍ତାରୁ ପୁରୁଷୋତ୍ତମ ଦେବ ଓଡ଼ିଶା ସିଂହାସନରେ ଉପବିଷ୍ଟ ହୋଇଥିଲେ । କପିଳେନ୍ଦ୍ରଙ୍କର ଏକ ଉପ‌ପତ୍ନୀର ଗର୍ଭରୁ ତାଙ୍କର ଜନ୍ମ ହୋଇଥିଲା । କଥିତ ଅଛି ଦାକ୍ଷିଣାତ୍ୟ ଯୁଦ୍ଧରୁ କପିଳେନ୍ଦ୍ର ସ୍ୱଦେଶକୁ ପ୍ରତ୍ୟାଗତ ହୋଇ ତାଙ୍କର ଅତୁଳଗୁଣସମ୍ପନ୍ନ ଅଷ୍ଟାଦଶ ପୁତ୍ରଙ୍କ ମଧ୍ୟରୁ କାହାକୁ ରାଜା କରିବେ, ଏ ବଷିୟର ଚିନ୍ତାରେ ପ୍ରବୃତ୍ତ ହେଲେ । ଏହିପରି ଚିନ୍ତା କରୁଁ କରୁଁ ତାଙ୍କର ଉପପତ୍ନୀ ଗର୍ଭଜାତ ପୁତ୍ର ପୁରୁଷୋତ୍ତମକୁ ଉତ୍ତରାଧିକାରୀ ମନୋନୀତ କରିବା ସକାଶେ ଅକସ୍ମାତ୍ ଦିନେ ଜଗନ୍ନାଥଦେବଙ୍କର ସ୍ୱପ୍ନାଦେଶ ହେଲା; ତଦନୁସାରେ ସେ କାର୍ଯ୍ୟ କଲେ ଓ ପୁନର୍ବାର ଦକ୍ଷିଣଦିଗକୁ ଯୁଦ୍ଧଯାତ୍ରା କରିବା ସମୟରେ ପୁରୁଷୋତ୍ତମକୁ ସଙ୍ଗେ ସଙ୍ଗେ ଘେନିଗଲେ । ଜଗନ୍ନାଥଦେବଙ୍କର କପିଳେନ୍ଦ୍ରଙ୍କ ପ୍ରତି ସ୍ୱପ୍ନାଦେଶ ହୋଇଥିଲା କି ନାହିଁ ଏ ବିଷୟ ଏଠାରେ ଅମ୍ଭମାନଙ୍କର ବିଚାର୍ଯ୍ୟ ନୁହଇ । ପ୍ରକୃତତଃ ଅନୁମାନ ହୁଏ ଯେ ଉପ‌ପତ୍ନୀଙ୍କ ବଶୀଭୂତ ହୋଇ ସେ ସେପରି ଦୁଃସାହସିକ କାର୍ଯ୍ୟ କରିଥିଲେ ଓ ସାଧାରଣ ଲୋକଙ୍କ ନିନ୍ଦାରୁ ତରିବା ସକାଶେ ଜଗନ୍ନାଥଙ୍କ ସ୍ୱପ୍ନାଦେଶ ବାହାନାର ଆଶ୍ରୟ ଘେନିଥିଲେ । ଉପ‌ପତ୍ନୀର ବଶୀଭୂତ‌ତାଦ୍ୱାରା ପୃଥିବୀରେ ଯେ କେତେ ଅଦ୍ଭୁତ କ୍ରିୟାମାନ ଘଟିତ ହୋଇଅଛି ତାହା ଇତିହାସ ପାଠକଙ୍କ ନିକଟରେ ଅବିଦିତ ନାହିଁ ।