ପୃଷ୍ଠା:Odishara Itihas.pdf/୧୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୨
ଓଡିଶାର ଇତିହାସ ।

ଦେବଙ୍କ ନିକଟରେ ସେ ସାହାଯ୍ୟପ୍ରାର୍ଥୀ ହେଲେ । ଦେବଦେବଙ୍କ ଆଶ୍ୱାସନା କର୍ଣ୍ଣାଟରାଜାଙ୍କ ବିରୁଦ୍ଧରେ ପୁଣି ଅସ୍ତ୍ରଚାଳନା କରିବା ସକାଶେ ତାଙ୍କୁ ଉତ୍ତେଜିତ କଲା । ଅବଶେଷରେ ପୁଣି ସମରସଜ୍ଜା କରି ବ‌ହିର୍ଗତ ହେଲେ । ବାଟରେ ଯାଇଁ ଯାଉଁ ଚିଲ୍‌କାହ୍ରଦ କୂଳରେ ଜଗନ୍ନାଥଦେବଙ୍କ ସହାୟତାର ବିଶେଷ ପରିଚୟ ପାଇ ମାଣିକପାଟଣା ନଗର ବସାଇଲେ* । ଅବଶେଷରେ କାଞ୍ଚିଠାରେ ତୁମୂଳ ଯୁଦ୍ଧ ହେଲା । କର୍ଣ୍ଣାଟନରପତି ଆପଣା ଇଷ୍ଟଦେବ ଗଣପତିଙ୍କର ସହାୟତା ଲୋଡ଼ିଲେ । କିନ୍ତୁ ସ୍ଥୂଳକାୟ ଗଣପତି କର୍ଣ୍ଣାଟଦେଶର ଜୟ ଆଉ କୌଣସି ପ୍ରକାରେ ଘଟାଇ ପାରିଲେ ନାହିଁ । କାଞ୍ଚି ସମରକ୍ଷେତ୍ରରେ ଓଡ଼ିଶା ଦେଶର ଜଗନ୍ନାଥ ବଳବତ୍ତର ସପ୍ରମାଣ ହେଲେ । କାଞ୍ଚିରାଜା ପରାଭବ ଲଭି ପଳାୟନ କଲେ । ପଦ୍ମାବତୀ ପୁରୁଷୋତ୍ତମ ଦେବଙ୍କର ହସ୍ତଲବ୍‌ଧ ହେଲା । ଆହୁରି କାଞ୍ଚିଠାରେ ଏକ ଗୋପାଳମୂର୍ତ୍ତି ଥିଲେ; ସେ ମୂର୍ତ୍ତିକି ସୁନ୍ଦର ଦେଖି ପୁରୁଷୋତ୍ତମଦେବ ଆପଣା ସଙ୍ଗେ ନେଇ ଆସିଲେ । ପୁରୀର ପାଞ୍ଚକ୍ରୋଶ ଅନ୍ତର ସତ୍ୟବାଦୀଠାରେ ସେ ମୁର୍ତ୍ତି ସ୍ଥାପିତ ହେଲା । ପଦ୍ମାବତୀକି ଏକ ଚାଣ୍ଡାଳ ସଙ୍ଗେ ବିବାହ ଦେବାପାଇଁ ସ୍ୱୀୟ ସଚିବଙ୍କ ହସ୍ତରେ ଅର୍ପଣ କଲେ । ଅଲୋକସାମାନ୍ୟା ପଦ୍ମାବତୀ ଚାଣ୍ଡାଳ ହସ୍ତରେ ଅର୍ପିତା ହେବେ ଶୁଣି ଚତୁର୍ଦ୍ଦିଗରୁ ଲୋକଙ୍କ ଚକ୍ଷୁ ଅଶ୍ରୁ ବର୍ଷଣ କଲା । ରାଜଅମାତ୍ୟ ବଡ଼ ଚତୁର ଲୋକ ଥିଲେ ଓ ଏକ ଅପୂର୍ବ କୌଶଳଦ୍ୱାରା ସେହି ଶୋକାବହ ଘଟଣା ନିବାରଣ କରିବାକୁ ସମର୍ଥ ହୋଇଥିଲେ । କାଞ୍ଚିଜୟର ପରବର୍ଷ ରଥ‌ଯାତ୍ରା ସମୟରେ ପୁରୁଷୋତ୍ତମ ଦେବ ଯେତେବେଳେ ସ୍ୱୟଂ ସ୍ୱର୍ଣ୍ଣସମ୍ମାର୍ଜନୀ ଘେନି ଜଗନ୍ନାଥଙ୍କ ରଥ ଓଳାଉଥିଲେ, ସେହି ସମୟରେ


* କଥିତ ଅଛି ଜଗନ୍ନାଥ ଓ ବଳଭଦ୍ର ଦୁଇଘୋଡ଼ାରେ ଚଢ଼ି ପୁରୁଷୋତ୍ତମଦେବଙ୍କୁ କାଞ୍ଚି ଯୁଦ୍ଧରେ ସାହାଯ୍ୟ କରିବା ସକାଶେ ଯାଉଥିଲେ । ବାଟରେ ମାଣିକୀନାମ୍ନୀ ଏକ ଗୌଡ଼ୁଣୀ ଦୁଧ ଦହି ବିକୁଥିଲା । ଜଗନ୍ନାଥ ତାଙ୍କୁ ମୁଦି ବନ୍ଧା ଦେଇ ଦୁଧ ଦହି ଖାଇଲେ, ପୁଣି ତାକୁ କହିଲେ କି ତାଙ୍କ ପଶ୍ଚାତରେ ଯେ ଆସୁଅଛନ୍ତି ତାଙ୍କୁ ସେ ମୁଦି ଦେଲେ ସେ ତାହା ଦୁଧ ଦହିର ନ୍ୟାଯ୍ୟ ମୂଲ୍ୟ ପ୍ରାପ୍ତ ହେବ । ତଦନୁସାରେ ପୁରୁଷୋତ୍ତମ ସୈନ୍ୟ ସାମନ୍ତ ଘେନି ଆସନ୍ତେ ମାଣିକୀ ତାଙ୍କୁ ସେ ଅଙ୍ଗୁରୀୟ ଦେଲା । ସେ ମୁଦି ଚିହ୍ନି; ତଦ୍ୱାରା ଜଗନ୍ନାଥଙ୍କ ଅନୁଗ୍ରହର ପରିଚୟ ପାଇ କୃତକୃତାର୍ଥ ହେଲେ; ପୁଣି ମାଣିକୀ ନାମରେ ସେହିଠାରେ ମାଣିକପାଟଣା ନଗର ବସାଇଲେ । ଏ ନଗର ପୁରୀ ଜିଲ୍ଲାର ଦକ୍ଷିଣ ଭାଗରେ ଅବସ୍ଥିତ ।