ପୃଷ୍ଠା:Odishara Itihas.pdf/୧୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୩
ଚତୁର୍ଥ ଅଧାୟ ।

ରାଜମନ୍ତ୍ରୀ ପଦ୍ମାବତୀଙ୍କୁ ଘେନି ତାଙ୍କ ହସ୍ତରେ ଅର୍ପଣ କରି କହିଲେ “ଛାମୁରୁ ଏକ ଚଣ୍ଡାଳକୁ ଏ କନ୍ୟା ପ୍ରଦାନ କରିବା ସକାଶେ ଆଜ୍ଞା ହୋଇଥିଲା; ଛାମୁ ବର୍ତ୍ତମାନ ଚଣ୍ଡାଳର କାର୍ଯ୍ୟ କରୁଅଛନ୍ତି, ଏଣୁକରି ଏ କନ୍ୟା ଛାମୁକୁ ପ୍ରଦତ୍ତ ହେଉଅଛି, ଛାମୁରେ ଗୃହୀତ ହେଉ ।" ରାଜ୍ୟର ପ୍ରଧାନ ପ୍ରଧାନ ଲୋକମାନେ ମଧ୍ୟ ସେହି ସମୟରେ ଦୟାର୍ଦ୍ରଚିତ୍ତରେ ପଦ୍ମାବତୀଙ୍କି ଗ୍ରହଣ କରିବା ସକାଶେ ରାଜାଙ୍କୁ ଅନୁରୋଧ କଲେ । ରାଜା ସୁଦ୍ଧା ଅନୁରୋଧ ରକ୍ଷା ନ କରି ଅନ୍ୟଥା କରି ପାରିଲେ ନାହିଁ । ପଦ୍ମାବତୀ କଟକଠାକୁ ଆନୀତ ହୋଇ ରାଜମହିଷୀ ପଦରେ ଅଭିଷିକ୍ତ ହେଲେ । କିନ୍ତୁ ତାଙ୍କୁ ସେ ପଦ ଅଧିକକାଳ ଭୁଞ୍ଜିବାକୁ ହୋଇ ନ ଥିଲା । କିୟତ୍ କାଳ ଉତ୍ତାରୁ ସୁପ୍ରସିଦ୍ଧ ପ୍ରତାପରୁଦ୍ରଙ୍କୁ ପ୍ରସବ କରି ସେ ସଂସାରରୁ ଅନ୍ତର୍ହିତ ହୋଇଥିଲେ ।
ପୁରୁଷୋତ୍ତମ ଦେବଙ୍କ ସମୟରେ ମୁସଲମାନମାନଙ୍କର କୌଣସି ଉପଦ୍ରବ ଘଟିଥିବାର ବର୍ଣ୍ଣିତ ନାହିଁ । ସମ୍ଭବତଃ କପିଳେନ୍ଦ୍ରଙ୍କର ବାହାମିନୀ ରାକାଙ୍କ ସଙ୍ଗେ ଶେଷ ସନ୍ଧି ହେଲା ଉତ୍ତାରୁ ସେମାନେ ଓଡିଶାରାଜାଙ୍କ ସଙ୍ଗେ କିଛିକାଳ ମିତ୍ରଭାବ ରକ୍ଷା କରିଥିଲେ । ଅବଶେଷରେ ପୁରୁଷୋତ୍ତମଦେବ ୧୫୦୬ ମସିହାରେ ଲୋକାନ୍ତରକୁ ଗମନ କଲେ ।
ପ୍ରତାପରୁଦ୍ରଦେବ (୧୫୦୪-୧୫୩୨) — ପ୍ରତାପରୁଦ୍ର ଗଙ୍ଗାବଂଶୀୟ ନୃପତିଙ୍କ ମଧ୍ୟରେ ଜଣେ ପ୍ରସିଦ୍ଧ ରାଜା ଥିଲେ । ସେ ରାଜସାଧାରଣ ସଦ୍‌ଗୁଣମଣ୍ଡିତ ଥିଲେ । ପାଣ୍ଡିତ୍ୟ, ଶାସ୍ତ୍ରନିପୁଣତା ଓ ଧର୍ମନିଷ୍ଠା ଗୁଣମାନଙ୍କରେ ମଧ୍ୟ ଭୂଷିତ ହୋଇଥିଲେ । ପ୍ରସିଦ୍ଧ ଅଛି ଯେ ସେ ପରିଷ୍କାରରୂପେ ନାନା ଧର୍ମସମ୍ବନ୍ଧୀୟ ପ୍ରଶ୍ନର ମୀମାଂସା କରି ପାରୁଥିଲେ । ତାଙ୍କର ପୁଣି ନିଜର ସ୍ୱାଧୀନ ଧର୍ମମତ ସ୍ଥାପନ ଓ ନୂତନ ନୂତନ ବିଷୟର ରଚନା କରିବାର କ୍ଷମତା ଥିଲା । କେତେକ ଧର୍ମଶାସ୍ତ୍ରର ସ୍ୱୟଂ ଟୀକା ସୁଦ୍ଧା ଲେଖିଥିଲେ ।
ତାଙ୍କର ସୈନ୍ୟମାନେ ସେତୁବନ୍ଧ ରାମେଶ୍ୱର ପର୍ଯ୍ୟନ୍ତ ସେମାନଙ୍କର ଅସ୍ତ୍ର ଚାଳନା କରିଥଲେ । ତାଙ୍କ ସଙ୍ଗେ ଦକ୍ଷିଣରେ ଅନେକ ଯୁଦ୍ଧ ଘଟିଥିଲା । ମାଦଳାରେ ଲିଖିତ ଅଛି ପ୍ରତାପରୁଦ୍ର ବିଜୟନଗରକୁ ଯୁଦ୍ଧରେ ଜିଣିଥିଲେ । କିନ୍ତୁ ପୁସ୍ତକାନ୍ତରରେ ଅନ୍ୟପ୍ରକାର ବର୍ଣ୍ଣନା ଦେଖାଯାଏ । ପ୍ରତାପରୁଦ୍ର ଦାକ୍ଷିଣାତ୍ୟକୁ ସମର କରିଯିବା ସମୟରେ, ଦାକ୍ଷିଣାତ୍ୟର ସୁପ୍ରସିଦ୍ଧ କୃଷ୍ଣରାୟ ବିଜୟନଗରରେ ଅଭ୍ୟୁଦିତ ହୋଇଥିଲେ । ତାଙ୍କ ସଙ୍ଗେ ଯୁଦ୍ଧ କରି ପ୍ରତାପରୁଦ୍ର ନିସ୍ତେଜ ଓ ପରାଭୁତ ହୋଇ ଅବଶେଷରେ ଅପଣା କନ୍ୟାକୁ ତାଙ୍କ ସଙ୍ଗେ ପରିଣିତ କରିବା ସକାଶେ ବାଧ୍ୟ ହୋଇଥିଲେ । ବସ୍ତୁତଃ ଶେଷ ଘଟଣା ସତ୍ୟାଶ୍ରିତ ଅଟଇ । ଦକ୍ଷିଣ ଦେଶରେ