ପୃଷ୍ଠା:Odishara Itihas.pdf/୧୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୬
ଓଡ଼ିଶାର ଇତିହାସ ।

ସେବା ପୂଜା ଶୃଙ୍ଖଳାବଦ୍ଧ ହେଲା । ଆଜିପର୍ଯ୍ୟନ୍ତ ବଡ଼ଦେଉଳରେ ଯେ ଗୀତଗୋବିନ୍ଦ ପ୍ରତ୍ୟହ ସଙ୍ଗୀତ ହେଉଅଛି, ତାହା ତାଙ୍କ ଚେଷ୍ଟାରେ ପ୍ରଥମ ପ୍ରବର୍ତ୍ତିତ ହୋଇଥିଲା । ଚୈତନ୍ୟଙ୍କ ସୁମଧୁର ସଂକୀର୍ତ୍ତନ ସମସ୍ତଙ୍କ ମନ ମୋହିତ କରିଥିଲା । ସବୁ ଶ୍ରେଣୀୟ ଲୋକେ ଚୈତନ୍ୟଙ୍କ ମତର ଶିଷ୍ୟତା ସ୍ୱୀକାର କଲେ, କେବଳ ଓଡ଼ିଶା ବ୍ରାହ୍ମଣଙ୍କର କଠୋର ନିଷ୍ଠାଗତ ମନ ଅପରିବର୍ତ୍ତିତ ରହିଲା । ଯେଉଁ ବ୍ରାହ୍ମଣମାନେ ଅପୂର୍ବ କୌଶଳମାନ ଅବଲମ୍ବନ କରି ଏକେଶ୍ୱରବାଦୀ ଆଧ୍ୟାତ୍ମିକ ବୌଦ୍ଧଧର୍ମର ବିଲୋପ ସାଧନ କରିଥିଲେ, ସେମାନଙ୍କର କଠୋର ଚିତ୍ତ ଅହିଂସାବାଦୀ ପ୍ରେମପୂର୍ଣ୍ଣ ବୈଷ୍ଣବଙ୍କର ମୃଦୁ ମଧୁର ଭାବ ଓ ବାକ୍ୟରେ ବିଗଳିତ ହେବା ସହଜ ନୁହଇ । ବର୍ତ୍ତମାନ ବ୍ରାହ୍ମଣମାନଙ୍କୁ ଛାଡ଼ି, ଓଡ଼ିଶା ଲୋକସଂଖ୍ୟାର ଷଷ୍ଠ ସପ୍ତମାଂଶ ପ୍ରାୟ ବୈଷ୍ଣବମତାବଲମ୍ବୀ । ଏହି ସମୟରେ ଓଡ଼ିଶାରେ ସୁଦ୍ଧା ଜଣେ ଧର୍ମପ୍ରବର୍ତ୍ତକ ଜାତ ହୋଇଥିଲେ । ସେ ବ୍ୟକ୍ତି ସୁପ୍ରସିଦ୍ଧ ଓଡ଼ିଆ ଶ୍ରୀମଦ୍‌ଭାଗବତ-ରଚୟିତା ବିପ୍ର ଜଗନ୍ନାଥ ଦାସ ଅଟନ୍ତି । ସେ ମଧ୍ୟ ବୈଷ୍ଣବଧର୍ମକୁ ଏକ ଆକାରରେ ପ୍ରଚାର କରିଥଲେ । ଚୈତନ୍ୟଙ୍କ ମତ ସଙ୍ଗେ ତାଙ୍କ ମତର କେତେକ ଅଂଶରେ ସୌସାଦୃଶ୍ୟ ଥିବାର ମଧ୍ୟ ଜଣାଯାଏ । ଚୈତନ୍ୟଙ୍କ ପରି ଜଗନ୍ନାଥ ଦାସ ସୁଦ୍ଧା ଧର୍ମରେ ଓ ଭକ୍ତିରେ ଜାତିଭେଦ ସ୍ୱୀକାର କରୁ ନ ଥିଲେ । ଏକ ଅନାଦି ଈଶ୍ୱର ଲାଭ ଦୁହିଙ୍କର ଉପାସନା ଓ ଭଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା, କିନ୍ତୁ ଈଶ୍ୱର ଲାଭ ଓ ମୁକ୍ତିର ଭିନ୍ନ ସୋପାନ ଦୁହେଁ ଅବଲମ୍ବନ କରିଥିଲେ । ଜଗନ୍ନାଥ ଦାସଙ୍କର ଅନେକ ଶିଷ୍ୟ ସୁଦ୍ଧା ବର୍ତ୍ତମାନ ଦୃଷ୍ଟିଗୋଚର ହୁଅନ୍ତି । ସେମାନେ ଅତିବଡ଼ୀ* ଜଗନ୍ନାଥ ଦାସ ବୈଷ୍ଣବ ବୋଲି ଆପଣା ଆପଣାର ପରିଚୟ ଦିଅନ୍ତି । ଅତିବଡ଼ୀ ବୋଲାଇବାର ହେତୁ ଏହି ଯେ ଜଗନ୍ନାଥ ଦାସଙ୍କ ସଙ୍ଗେ ଚୈତନ୍ୟଙ୍କର ଭେଟ ହୋଇଥିଲା; ତାଙ୍କୁ ପ୍ରେମଭକ୍ତି ଓ ଈଶ୍ୱରନିଷ୍ଠାରେ ଉନ୍ନତ ଦେଖି ଅତିବଡ଼ ଜଗନ୍ନାଥ ଦାସ ବୋଲି ଭାବରେ ବିଗଳିତ ହୋଇ ଚୈତନ୍ୟ ତାଙ୍କ ଶିରରେ ଶିରୋପା ବାନ୍ଧି ଦେଇଥିଲେ । ଜଗନ୍ନାଥଚରିତାମୃତ ନାମକ ଏକ ଓଡ଼ିଆ ଗ୍ରନ୍ଥରେ ଉକ୍ତ ବିଷୟ ଏହିରୂପେ ବର୍ଣ୍ଣିତ ହୋଇଅଛି; ମଧ୍ୟ ଦୈଶିକ ପ୍ରବାଦ ଅତିବଡ଼ୀର ଏହି ପ୍ରକାର ଇତିହାସ ନିରୂପଣ କରୁଅଛି । ଅତିବଡ଼ୀ ବୈଷ୍ଣବମାନଙ୍କ ସଂଖ୍ୟା ମଧ୍ୟ ଅନେକ ଅଟଇ ଓ ସେମାନେ ଗୌଡ଼ୀୟ ବୈଷ୍ଣବଙ୍କ ଅପେକ୍ଷା ଆପଣାର ଅଧିକ ଟେକ କରନ୍ତି ।


* ବଡ଼ଠାରୁ ବଡ଼ ଯେ ତାହାର ଯେ ଅନୁଗାମୀ ସେହି ଲୋକ ଏହି ଅର୍ଥରେ ବ୍ୟବହୃତ ।