ପୃଷ୍ଠା:Odishara Itihas.pdf/୧୧୨

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୦
ଓଡିଶାର ଇତିହାସ।

ଦେଶପତି ବା ଦେଶପଣ୍ଡାଙ୍କ ହସ୍ତରେ ଅର୍ପିତ ଥିଲା । ପୁଣି ପ୍ରତି ଦଣ୍ଡପାଟ ଦୁଇ ବିଶି ବା ଖଣ୍ଡରେ ଓ ପ୍ରତି ବିଶି ତିନିଗ୍ରାମରେ ବିଭାଜିତ ହୋଇଥିଲା; ପ୍ରତି । ବିଶି ବା ଖଣ୍ଡରେ ଜଣେ ଲେଖାଏଁ ଦେଶମୁଖ ବା ଚୌଧୁରୀ ବା ଖଣ୍ଡପତି ବା ବିଶୋଇ ନାମଧାରୀ କର୍ମଚାରୀ ନିଯୁକ୍ତ ଥିଲେ ଓ ପ୍ରତିଗ୍ରାମ ଜଣେ ପ୍ରଧାନ ବା ପ୍ରଧାନର ତ‌ତ୍ତ୍ୱାବଧାରଣରେ ଥିଲା । ଏହି କର୍ମଚାରିମାନେ ଆପଣା ଆପଣା ଅଧୀନସ୍ଥ ଭୂମିର ରାଜସ୍ୱ ପ୍ରଜାଙ୍କଠାରୁ ସଂଗ୍ରହ କରି ରାଜାଙ୍କ ନିକଟରେ ପଟାଉଥିଲେ । ଆଧୁନିକ ଜମିଦାରଙ୍କ ପରି ପୂର୍ବେ ରାଜସ୍ୱ ସକାଶେ ରାଜା ଓ ପ୍ରଜାଙ୍କ ମଧ୍ୟରେ କୌଣସି ବ୍ୟକ୍ତି ମଧ୍ୟବର୍ତ୍ତୀ ହୋଇ ଦାୟିତ୍ୱ ବହନ କରୁ ନ ଥିଲେ । ଏ ଛଡ଼ା ରାଜ୍ୟରେ ବ୍ରାହ୍ମଣ, ପୁରୋହିତ, ସୈନ୍ୟ, ସାମନ୍ତ ପ୍ରଭୃତିଙ୍କି ଅନେକ ନିଷ୍କର ଭୂମି ପ୍ରଦତ୍ତ ହୋଇଥିଲା । ସାମନ୍ତରାଜାଏ ସୁଦ୍ଧା ଏକପ୍ରକାର ନିଷ୍ଣୁର ରୂପେ ରାଜ୍ୟର କେତେକ ଅଂଶ ଉପଭୋଗ କରୁଥିଲେ । ବର୍ତ୍ତମାନ କୌଣସି ସ୍ୱାଧୀନ ରାଜା କି ସମ୍ରାଟଙ୍କୁ ଏତେ ଅଧିକ ପରିମାଣରେ ନିଷ୍କର ଭୂମି ପ୍ରଜାଙ୍କୁ ଦାନ କରିବାର କି ଛାଡ଼ିଦେବାର ଦେଖା ନ ଯାଏ ।

ସମାଜବନ୍ଧନ-ଓଡିୟାମାନଙ୍କ ମଧ୍ୟରେ ଆଜି ପର୍ଯ୍ୟନ୍ତ ସମାଜବନ୍ଧନ ଯେପରି ରୀତିରେ ଦେଖାଯାଏ, ତାହା ଅଧିକାଂଶ ଗଙ୍ଗାବଂଶୀୟ ରାଜାଙ୍କ ସମୟରୁ ଆବଦ୍ଧ ହୋଇଅଛି । ଗଙ୍ଗବଂଶୀୟ ରାଜାମାନେ ଯେ କେବଳ ଉପଯୁକ୍ତ ଓ ଉଚ୍ଚଶ୍ରେଣୀୟ ହିନ୍ଦୁଙ୍କୁ ମହାପାତ୍ର, ବଡ଼ପଣ୍ଡା, ମଙ୍ଗରାଜ ଇତ୍ୟାଦିରୂପେ ଓ କାର୍ଯ୍ୟକ୍ଷମ ସୈନିକ କର୍ମଚାରିଙ୍କି ବୈରିଗଞ୍ଜନ, ରାଉତରାୟ ଇତ୍ୟାଦି ପ୍ରକାରେ ଉପାଧିଧାରୀ କରିଥିଲେ, ତାହା ନୁହେ; ଶ୍ରେଣୀ ଶ୍ରେଣୀରେ ହିନ୍ଦୁସମାଜର ଯେ ଜାତି ଗଠିତ ହୋଇଅଛି, ସେ ସବୁକୁ ଉପଯୁକ୍ତରୁପେ ବିଭକ୍ତ କରି, ଯାହାର ଯେ ବ୍ୟବସାୟ ଓ ମର୍ଯ୍ୟଦା, ତଦୁପଯୋଗୀ ପଦ୍ଧତିରେ ସେହି ସେହି ଶ୍ରେଣୀୟ ଲୋକଙ୍କୁ ସ୍ଥାପନ କରିବା ବିଷୟରେ ମଧ୍ୟ, ଗଙ୍ଗାବଂଶୀୟ ରାଜାମାନେ ବିଶେଷ ଯତ୍ନବାନ ହୋଇଥିଲେ । ନୀଚଶ୍ରେଣୀୟ ସେବକ ପାୟକଙ୍କ ମଧ୍ୟରେ ସୁଦ୍ଧା ନାନାପ୍ରକାର ଉତ୍ସାହକର ପଦମାନ ବିତରଣ କରିବାର ନିୟମ ବାନ୍ଧିଥିଲେ ।

ସାମନ୍ତରାଜା-ଇତିପୂର୍ବେ ଲିଖିତ ହୋଇଅଛି ଯେ ଅନଙ୍ଗଭୀମ ଦେବ ୧୬ ଜଣଙ୍କୁ ସାମନ୍ତରାଜାରୂପେ ନିଯୁକ୍ତ କରିଥିଲେ । ସେଥି ପୂର୍ବରୁ ମଧ୍ୟ କ୍ଷୁଦ୍ର କ୍ଷୁଦ୍ର କତେକ ସାମନ୍ତରାଜାଏ ଦେଶ ମଧ୍ୟରେ ବିରାଜିତ ଥିଲେ । ତମଲୁକରୁ ମୟୁରବଂଶୀୟ କେହି ରାଜପୁତ୍ର ଆସ ମୟୁରଭଞ୍ଜ ରାଜ୍ୟ ସ୍ଥାପନ କରିଥିଲେ *।


  • ମୟୁରଭଞ୍ଜ ରାଜା କେଶରୀବଂଶୀୟ ରାଜାଙ୍କ ସମୟରେ ସ୍ୱାଧୀନ ଥିଲେ । ଗଙ୍ଗାବଂଶୀୟ ରାଜାଙ୍କର ନାମମାତ୍ର ବଶବର୍ତ୍ତୀ ହୋଇଥିଲେ । ମରହଟ୍ଟାଏ