ପୃଷ୍ଠା:Odishara Itihas.pdf/୧୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୩
ଚତୁର୍ଥ ଅଧ୍ୟାୟ ।

ବିଜାତୀୟ ଆକ୍ରମଣରୁ ଦେଶକୁ ଅନେକ ସମୟରେ ରକ୍ଷା କରିବାକୁ ସକ୍ଷମ ହେଉଥିଲେ ।

ଶିଳ୍ପକାର୍ଯ୍ୟ ଓ ସାଧାରଣକାର୍ଯ୍ୟ—ଗଙ୍ଗାବଂଶୀୟ ରାଜାଙ୍କ ସମୟରେ ସୁଦ୍ଧା ଯେ ଶିଳ୍ପକାର୍ଯ୍ୟର ବିଶେଷତଃ ପ୍ରସ୍ତରଶିଳ୍ପର ବିଶେଷ ଆଲୋଚନା ଓ ଚାଳନା ଥିଲା, କଣାରଖର ଅର୍ଦ୍ଧଭଗ୍ନ ଦେଉଳ, ପୁରୀ ବଡଦେଉଳ ଓ ସେମାନଙ୍କ ସମୟ ନିର୍ମିତ ଅନ୍ୟାନ୍ୟ ଦେଉଳମାନଙ୍କରୁ ଏହା ସ୍ପଷ୍ଟ ପ୍ରତୀୟମାନ ହେଉଅଛି । ପୁରୀ ବଡ଼ଦେଉଳ ଓ କଣାରଖର ସୂର୍ଯ୍ୟମନ୍ଦିରମାନ ଭୁବନେଶ୍ୱର ଦେଉଳ ଅପେକ୍ଷା ପ୍ରକାଣ୍ଡତା ଓ ବିସ୍ତୃତିରେ ଉଣା ନୁହେଁ । ଜଗନ୍ନାଥ ଦେଉଳରେ ଖୋଦିତ ପ୍ରତିମୂର୍ତ୍ତିର ଆଧିକ୍ୟ ଦୃଷ୍ଟିଗୋରେ ହୁଅଇ ନାହିଁ । କିନ୍ତୁ କଣାରଖ ଦେଉଳରେ ସେଥିର ଅଭାବ ନ ଥିଲା । ଯେଉଁ ରୀତିରେ ସେହି ମନ୍ଦିରମାନ ଗଠିତ ଓ ସେ ସବୁର ପ୍ରତିମୂର୍ତ୍ତିମାନ ଖୋଦିତ ହୋଇଥିଲା, ସେଥିରୁ ସେ ସମୟର ଶିଳ୍ପିଙ୍କର ସୁନିପୁଣତା ଓ ସୂକ୍ଷ୍ମତାର ଉତ୍ତମ ପରିଚୟ ମିଳୁଅଛି । ନୌକାଦି ଗଠନ‌ଚାତୁର୍ଯ୍ୟରୁ ମଧ୍ୟ ସେ ସମୟର ଶିଳ୍ପିମାନେ ଅନଭିଜ୍ଞ ନ ଥିଲେ । ପୁରୀର ମାର୍କଣ୍ତେଶ୍ୱର ଦେଉଳରେ ଖଣ୍ଡେ ନୌକାର ଯେ ପ୍ରତିମୂର୍ତ୍ତି ଖୋଦିତ ହୋଇଅଛି, ସେପରି କାର୍ଯ୍ୟ ସେ ସମୟର ଲୋକେ କାଷ୍ଠରେ ନିର୍ମାଣ କରୁଥିଲେ । କାଷ୍ଠଶିଳ୍ପରେ ସୁଦ୍ଧା ତ‌ତ୍କାଳୀନ ଶିଳ୍ପିଙ୍କର ବିଶେଷ ଅଭିଜ୍ଞତାର ପରିଚୟ ମିଳିଅଛି । ପୁଣି ଭୁବନେଶ୍ୱର ଶିଳ୍ପିଙ୍କ ପରି, ବରଂ ସେମାନଙ୍କୁ ବଳି ପୁରୀ ଓ କଣାରଖ ଶିଳ୍ପିମାନେ ଅଶ୍ଳୀଳ ପ୍ରତିମୂର୍ତ୍ତିମାନ ଗଠନ‌ଦ୍ୱାରା ମନ୍ଦରୂଚିର ପରିଚୟ ମଧ୍ୟ ପ୍ରଦାନ କରିଅଛନ୍ତି ।

ସାଧାରଣକାର୍ଯ୍ୟରେ ଗଙ୍ଗାବଂଶୀୟ ରାଜାମାନେ ସୁଦ୍ଧା ବିଶେଷ ବ୍ୟୟଶୀଳ ଥିଲେ । କାଁଶବାଁଶ, ଦୟା ପ୍ରଭୃତି ନ‌ଦୀମାନଙ୍କ ଉପରେ ସେମାନେ ସୁଦୃଢ଼ ସେତୁମାନ ନିର୍ମାଣ କରିଥିଲେ । କେଶରୀରାଜାଙ୍କ ଖୋଦିତ ଭୁବନେଶ୍ୱରର ବିନ୍ଦୁସାଗର ପ୍ରଭୃତି ପୁଷ୍କରିଣୀଚୟ ପରି, କୌଶଲାଗାଙ୍ଗ, ନରେନ୍ଦ୍ର ପ୍ରଭୃତି ବୃହତ୍‌ ବୃହତ୍ ଓ ଅନ୍ୟ ପ୍ରକାର ଅସଂଖ୍ୟ ପୁଷ୍କରଣୀ ଓ ବାପୀ ଗଙ୍ଗାବଂଶୀୟ ରାଜାଙ୍କଦ୍ୱାରା ଓଡ଼ିଶା ମଧ୍ୟରେ ଖୋଦିତ ହୋଇଥିଲା । ମନ୍ଦିରମାନ ଓ ବାରବାଟୀ, ଚଉଦୁଆର ପ୍ରଭୃତିର ନୂତନ ଦୁର୍ଗମାନ ନିର୍ମାଣ କରିବାରେ ଓ ସୁନ୍ଦର ସୁନ୍ଦର ରାଜପ୍ରାସାଦଚୟର ଗଠନରେ ଯେ ଗଜପତିରାଜାଏ ବ୍ୟୟସ୍ୱୀକାର କରିଥିଲେ, ଏ ବିଷୟ ସମସ୍ତେ ଅନୁମାନ କରିବାକୁ ସକ୍ଷମ । ସ୍ଥାନ ସ୍ଥାନରେ ସେମାନଙ୍କଦ୍ୱାରା ନଦୀ ପୁଷ୍କରିଣୀର ଅନେକ ଘାଟମାନ ପ୍ରସ୍ତୁତ ହୋଇଥିଲା । ସେମାନେ ଭିନ୍ନ ଭିନ୍ନ ସ୍ଥାନରେ ଶାସନମାନ ବସାଇ ସେବା ଲୋକଙ୍କ ସୁବିଧାର୍ଥ ଓ ଜୀବନୋପାୟ