ପୃଷ୍ଠା:Odishara Itihas.pdf/୧୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୧
ପଞ୍ଚମ ଅଧ୍ୟାୟ ।

ପରିବ୍ରାଜକଙ୍କ ଭ୍ରମଣବୃତ୍ତାନ୍ତରେ ଲିପିବଦ୍ଧ ହୋଇଅଛି । ଉକ୍ତ ପର୍ଯ୍ୟଟକଙ୍କ ଲେଖାରୁ ମୁକୁନ୍ଦଦେବଙ୍କର ଚରିତ୍ରର ଆଉ ଗୋଟିଏ ପ୍ରମାଣ ମିଳଇ । ସେ ଲେଖିଅଛନ୍ତି ମୁକୁନ୍ଦଙ୍କର ଚାରିଣତ ରକ୍ଷିତା ସ୍ତ୍ରୀ ଥିଲେ । ମୁକୁନ୍ଦ ରାଜା ଥିବା ସମୟରେ ସୁଲତାନ ଇବ୍ରାହିମ ( ଯେ କି ଏକ ସମୟରେ ଦିଲ୍ଲିର ସମ୍ରାଟ ଥିଲେ ) ଓଡିଶାକୁ ପଳାଇ ଆସି ତାଙ୍କର ଆଶ୍ରୟ ଲଭିଥିଲେ ଓ ସମ୍ରାଟ ଆକବର ବଙ୍ଗୀୟ ଶାସନକର୍ତ୍ତା ସଲିମାନଙ୍କୁ ପରାଭବ କରିବା ଅଭିପ୍ରାୟରେ ମିତ୍ରତା ସଂସ୍ଥାପନାର୍ଥ ଓଡ଼ିଶା ରାଜଦରବାରକୁ ଦୂତ ପ୍ରେରଣ କରିଥିଲେ । ଏଥିର ବିସ୍ତାରିତ ବିବରଣ ମୁସଲମାନ ଶାସନାଧ୍ୟାୟରେ ପ୍ରଦତ୍ତ ହେବ । ଅବଶେଷରେ ବଙ୍ଗୀୟ ମୁସଲମାନ ଶାସନ‌କର୍ତ୍ତା ସଲିମାନ ଗର୍ଜାନୀ ଓଡିଶା ବିଜୟାର୍ଥ ସୈନ୍ୟ ପ୍ରେରଣ କଲେ (୧୫୬୮) । ମୁସଲମାନ ସେନା ଉତ୍କଳ ସୈନ୍ୟକୁ ଯାଜପୁରଠାରେ ପରାଙ୍ମୁଖ କରି ସ୍ୱୟଂ ମୁକୁନ୍ଦଙ୍କ ଶିରଚ୍ଛେଦନ କଲେ । ଦେଶରେ ଏକ ପ୍ରବାଦ ପ୍ରଚଳିତ ଅଛି ଯେ ମୁକୁନ୍ଦ ସେ ସମୟରେ ଗଙ୍ଗାକୂଳରେ ଅବସ୍ଥିତ ଥିଲେ; କିନ୍ତୁ ମୁସଲମାନ ଇତିହାସ ଦେଶପ୍ରଚଳିତ ପ୍ରବାଦ ଅପେକ୍ଷା ଅଧିକ ବିଶ୍ୱସନୀୟ; ସୁତରାଂ ଯାଜପୁର ଯୁଦ୍ଧରେ ମୁକୁନ୍ଦ ନିହତ ହୋଇଥିବାର ଆମ୍ଭେମାନେ ବଶ୍ୱାସ କରୁଅଛୁଁ । ମୁକୁନ୍ଦଙ୍କ ପତନ ସଙ୍ଗେ ସଙ୍ଗେ ଓଡ଼ିଶାର ସ୍ୱାଧୀନତା ଏକାବେଳକେ ବିନଷ୍ଟ ହେଲା । ମୁସଲମାନ ସେନା ଯାଜପୁର ଜୟ କରି କଟକ ଦିଗକୁ ଅଗ୍ରସର ହେଲେ । ସୁପ୍ରସିଦ୍ଧ କଳାପାହାଡ଼ ସଲିମାନଙ୍କଦ୍ୱାରା ଏକଦଳ ମୁସଲମାନ ସେନାର ଅଧିନାୟକତ୍ୱରେ ବୃତ ହୋଇ ଓଡ଼ିଶାକୁ ପ୍ରେରିତ ହୋଇଥିଲେ । ସେ କଟକ ଦୁର୍ଗ ଅଧିକାର କଲେ । ଲୋକଙ୍କ ଉପରେ ନାନାପ୍ରକାର ଅତ୍ୟାଚାର କରିବାରୁ ବିରତ ହୋଇ ନ ଥିଲେ । ସ୍ୱୟଂ ମୁକୁନ୍ଦଙ୍କ ମହିଷୀ ସୁଦ୍ଧା ତାଙ୍କ ଅତ୍ୟାଚାର ଅନ୍ତର୍ଭୂତ ହୋଇଥିଲେ ବୋଲି କଥିତ ଅଛି* । ସେ ପୁରୀନଗର ମଧ୍ୟ ଅବରୋଧ କରି ଅନାୟାସରେ ସେହି ନ‌ଗରତ୍ୱ ହସ୍ତଗତ କଲେ । ପୁରୀ ବିଜୟ ସଙ୍ଗେ ସଙ୍ଗେ ଓଡ଼ିଶାରୁ ସ୍ୱାଧୀନ ହିନ୍ଦୁରାଜତ୍ୱ ଏକାବେଳକେ ବିଲୁପ୍ତ ହେଲା ।

ଜଗନ୍ନାଥଦେବଙ୍କର ଦୁର୍ଦ୍ଦଶା-ପୁରୀବିଜେତା କଳାପାହାଡ଼, ଏପରି କଥିତ ଅଛି ଯେ, ପ୍ରଥମେ ବ୍ରାହ୍ମଣର ସନ୍ତାନ ଥିଲେ । ଏକ ରୁପଲାବଣ୍ୟ ସମ୍ପନ୍ନା


  • ଏକ ଢ଼ଗ ମଧ୍ୟ ଏ ବିଷୟରେ ଏହିପରି ଅଛି ଯେ "ଅଇଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହା‌ନ‌ଦୀର ପାଣି । ସୁବର୍ଣ୍ଣଥାଳିରେ ହେଡ଼ା ପରଶିଲେ ମୁକୁନ୍ଦ‌ଦେବଙ୍କ ରାଣୀ ।"