ପୃଷ୍ଠା:Odishara Itihas.pdf/୧୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୨
ଓଡ଼ିଶାର ଇତିହାସ ।

ମୁସଲମାନକନ୍ୟାର ପ୍ରଣୟପାଶରେ ବଦ୍ଧ ହୋଇ ମୁସଲମାନଧର୍ମ ଗ୍ରହଣ କରିଥିଲେ । ସେହି ଦିନଠାରୁ ହିନ୍ଦୁଧର୍ମ ପ୍ରତି ତାଙ୍କର ଘୋର ଈର୍ଷ୍ୟା ଜନ୍ମିଥିଲା । ପୁରୀ ଜୟ କରି ହିନ୍ଦୁ ଦେବ ଦେବୀଙ୍କ ଉପରେ କଳାପାହାଡ଼ ଘୋର ଅତ୍ୟାଚାର ଆରମ୍ଭ କଲେ । ଜଗନ୍ନାଥଦେବଙ୍କ ସେବକମାନେ ଜଗନ୍ନାଥଙ୍କୁ ଘେନି ଚିଲ୍‌‌କାହ୍ରଦ ତଟବର୍ତ୍ତୀ ପାରିକୁଦ ନାମକ ସ୍ଥାନରେ ପୋତି ରଖିଲେ । ଦୁର୍ଦ୍ଦାନ୍ତ କଳାପାହାଡ଼ ସେ ବିଷୟର ସନ୍ଧାନ ପାଇ ପାରିକୁଦଠାକୁ ଯାଇ ଜଗନ୍ନାଥଦେବଙ୍କୁ ଖୋଳି ହସ୍ତୀ ପିଠିରେ ଲଦି ଗଙ୍ଗାକୂଳକୁ ଘେନିଗଲେ ଓ ଗଙ୍ଗାକୂଳରେ ଜଳୁଥିବା ଏକ ଚିତାବହ୍ନିରେ ଜଗନ୍ନାଥଙ୍କୁ ପୋଡିଦେବାପାଇଁ ନିକ୍ଷେପ କଲେ । କିନ୍ତୁ ଓଡ଼ିଶାବାସିଙ୍କର ଜଗନ୍ନାଥଙ୍କ ପ୍ରତି ଭକ୍ତି ତାଙ୍କୁ ସମ୍ପୂର୍ଣ୍ଣରୂପେ ଦଗ୍‌ଧୀଭୂତ ହେବାକୁ ଦେଲା ନାହିଁ । ଜଗନ୍ନାଥଦେବ ଚିତାଅଗ୍ନିରେ ପୋଡ଼ି ନ ଯାଉଣୁ ବିଶାର ମହାନ୍ତି ନାମକ ଏକ ବ୍ୟକ୍ତି ତାଙ୍କୁ ଓଟାରି ନେଲା ଓ ତାଙ୍କ ନାଭୀସ୍ଥଳ ଉଦ୍ଧାର କରି ନେଇ ଓଡ଼ିଶାକୁ ପ୍ରତ୍ୟାଗତ ହେଲା । କୁଜଙ୍ଗ ରାଜା ଅବଶେଷରେ ଜଗନ୍ନାଥଙ୍କର ସେହି ନାଭୀସ୍ଥଳ ପ୍ରାପ୍ତ ହୋଇ ତାଙ୍କର ପ୍ରତିଷ୍ଠାଦି କରାଇଥିଲେ ।

ଓଡ଼ିଶାର ଅବସ୍ଥା-ଗଙ୍ଗବଂଶୀୟ ରାଜା ପ୍ରତାପରୁଦ୍ରଦେବ ମାନବଲୀଳା ସମ୍ବରଣ କଲା ଉତ୍ତାରୁ ଓଡ଼ିଶା ନିରବଚ୍ଛିନ୍ନ ଅନ୍ତର୍ବିବାଦ ଓ ନାନାପ୍ରକାର ବିଦ୍ରୋହ ବିଗ୍ରହର କ୍ଷେତ୍ର ହୋଇ ଉଠିଲା । ଦେଶ ମଧ୍ୟରେ ଲୋକଙ୍କର ଏକତା ଊଣା ହେବାକୁ ଲାଗିଲା । ସାମନ୍ତରାଜା ଓ ଅନ୍ୟାନ୍ୟ ସେ ସମୟର ଦେଶୀୟ କ୍ଷମତାଶାଳୀ ଲୋକମାନେ ଓଡିଶାର ଲାଭାଲାଭ ପ୍ରତି ବିଶେଷ ଦୃଷ୍ଟି ରଖିଲେ ନାହିଁ । ସ୍ୱାର୍ଥପରତାର ବଶୀଭୂତ ହୋଇ ଯେ ଯାହା ଆପଣାର ଲାଭ ପ୍ରତି ମନୋନିବେଶ କଲେ; ସୁତରାଂ ଦୈଶିକବଳ ଊଣା ହୋଇ ପଡ଼ିଲା ଓ ମୁସଲମାନମାନେ ଯେଉଁ ଓଡ଼ିୟାଙ୍କଦ୍ୱାରା ସେମାନଙ୍କ ଏକତାନିବନ୍ଧନ ସମୟରେ ବାରମ୍ବାର ପରାଭୂତ ହୋଇଥିଲେ, ସେହି ଓଡ଼ିୟାମାନଙ୍କୁ ପୁଣି ସେମାନଙ୍କ ଅନ୍ତବିବାଦରେ ମତ୍ତ ଥିବା ସମୟରେ ପରାଭବ କରିବାକୁ ଅକ୍ଳେଶରେ ସମର୍ଥ ହେଲେ । ଅନ୍ତର୍ବିବାଦ ଓ ଗୃହବଚ୍ଛେଦ ଉତ୍ତର ଭାରତବର୍ଷରୁ ସ୍ୱାଧୀନ ହିନ୍ଦୁରାଜତ୍ୱ ଲୋପ କରି ମୁସଲମାନମାନଙ୍କ ହସ୍ତରେ ଭାରତବର୍ଷ ଅର୍ପଣ କରିଥିଲା । ସେହି ଗୃହବିବାଦ ବିଗ୍ରହ ଭାରତର ଏକ କୋଣସ୍ଥିତ ଓଡିଶାର ସ୍ୱାଧୀନରାଜତ୍ୱ ସୁଦ୍ଧା ଲୋପ କରାଇ ବିଦେଶୀ ପଠାଣଙ୍କ ହସ୍ତରେ ଶାସନଭାର ପ୍ରଦାନ କଲା ।