ପୃଷ୍ଠା:Odishara Itihas.pdf/୧୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୪
ଓଡ଼ିଶାର ଇତିହାସ ।

କରିଥିଲେ; କିନ୍ତୁ ସେଥିଦ୍ୱାରା ଗୟାସୁଦ୍ଦୀନଙ୍କର ଓଡ଼ିଶାରେ ଜୟଲାଭ ହୋଇ ନ ଥିଲା । ରାଜେଶ୍ୱର ଦେବ ତେତେବେଳେ ଓଡିଶାର ରାଜା ଥିଲେ । ମଧ୍ୟ ସେ ସମୟରେ ଓଡିଶାର ଏପରି ହୀନାବସ୍ଥା ନ ଥିଲା ଯେ ପଠାଣମାନେ ଅନାୟାସରେ ଓଡିଶାରେ ଜୟ ସ୍ଥାପନ କରି ପାରନ୍ତେ । ପୁଣି ଲଙ୍ଗୁଳାନରସିଂହ ଦେବଙ୍କ ରାଜତ୍ୱ ସମୟରେ ଦୁଇଥର ମୁସଲମାନମାନେ ଓଡିଶା ଆକ୍ରମଣ କରିଥିଲେ । ୧୨୪୩ ଖ୍ରୀଷ୍ଟାବ୍ଦରେ ତୋଗାନ ଖାଁ ଓଡିଶା ବିରୁଦ୍ଧରେ ମନୁଷ୍ୟ ପଠାଇଥିଲେ, ମାତ୍ର ସେମାନଙ୍କ ଭାଗ୍ୟରେ ପରାଭବ ଘଟିଥିଲା । ଉତ୍କଳୀୟ ସେନାଙ୍କଦ୍ୱାରା ସେମାନେ ପ୍ରଧାବିତ ହେଲେ । ଓଡ଼ିୟାମାନେ ଦୁଇଦଳରେ ବିଭକ୍ତ ହୋଇ ବଙ୍ଗଳା ଆକ୍ରମଣ କଲେ । ଏକଦଳ ଯାଇ ଗୌଡ ନଗର ଅବରୋଧ କଲେ ଓ ଅନ୍ୟଦଳସ୍ଥ ସୈନ୍ୟମାନେ ବୀଋଭୂମିର ରାଜଧାନୀ ନାଗୋର ଲୁଣ୍ଠନ କଲେ । ଅବଶେଷରେ ଦଲ୍ଲୀସମ୍ରାଟଙ୍କର ସୈନ୍ୟ ସାହାଯ୍ୟ ଆସି ପ‌ହୁଞ୍ଚିଲାରୁ ଓଡ଼ିୟାମାନେ ସ୍ୱଦେଶକୁ ଫେରି ଅଇଲେ । ତୁଘାଁନ ଖାଁଙ୍କ ପରାଜୟର ପ୍ରତିଶୋଧାର୍ଥ ତୋଘ୍ରଲ ଖାଁ ୧୨୫୩ ମସିହାରେ ଓଡ଼ିଶା ପ୍ରତି ଚଢ଼ାଉ କଲେ । ଯୁଦ୍ଧରେ ଦୁଇଥର ମଧ୍ୟ ତାଙ୍କର ଜୟଲାଭ ହେଲା । କିନ୍ତୁ ତୃତୀୟ ଥର ଓଡିୟା ସୈନ୍ୟଙ୍କଦ୍ୱାରା ପରାସ୍ତ ହୋଇ ପଳାୟନ କଲେ । ଏଥି ଉତ୍ତାରୁ ସାର୍ଦ୍ଧ ଦୁଇଶତ ବର୍ଷ ବଙ୍ଗୀୟ ମୁସଲମାନମାନଙ୍କ ସଙ୍ଗେ ଓଡ଼ିଶାର କୌଣସି ପ୍ରକାର ସଂସ୍ପର୍ଶ ହୋଇ ଥିବାର ଜଣାଯାଏ ନାହିଁ । ଦକ୍ଷିଣଦେଶରେ ମୁସଲମାନମାନେ ପ୍ରବଳ ହୋଇ ଉଠିଥିଲେ । ଏହି ସମୟରେ ସେମାନଙ୍କ ସଙ୍ଗେ ଓଡ଼ିଶାରାଜାଙ୍କର ସନ୍ଧି ବିଗ୍ରହରେ ସଂଯୁକ୍ତ ହେବାର ଅନେକ ଘଟନା ବର୍ଣ୍ଣିତ ଅଛି । ଓରାଙ୍ଗୁଲ ରାଜାଙ୍କର ସମୃଦ୍ଧିରେ ଈର୍ଷାଯୁକ୍ତ ହୋଇ ପ୍ରତାପ ନରସିଂହ ଦେବ ୧୩୦୯ ମସିହାରେ ଦିଲ୍ଲୀର ସମ୍ରାଟ ଆଲାଉଦ୍ଧୀନଙ୍କର ଜନୈକ ପ୍ରଧାନ ସେନାପତି କାଫୁରଙ୍କର ସାହାଯ୍ୟ ଘେନି ଦକ୍ଷିଣଦେଶକୁ ସେନା ପ୍ରେରଣ କରିଥିଲେ । କିନ୍ତୁ ଏ ଯୁଦ୍ଧଯାତ୍ରା ଫଳପ୍ରଦ ହୋଇ ନ ଥିଲା । କାଫୁର ପୁଣି ଥରେ ଓରାଙ୍ଗୁଲ ବିରୁଦ୍ଧରେ ଯୁଦ୍ଧଯାତ୍ରା କରି, ଓରାଙ୍ଗୁଲ ରାଜାଙ୍କୁ କର ଦେବା ସକାଶେ ବାଧ୍ୟ କରିଥିଲେ । ଅବଶେଷରେ ୧୨୩୨ ମସିହାରେ ଓରାଙ୍ଗୁଲ ଜୟଲବ୍‌ଧ ହୋଇ ଓଡ଼ିଶାରାଜାଙ୍କୁ ପ୍ରଦତ୍ତ ହୋଇଥିବାର କେହି କେହି ଇତିହାସବେତ୍ତାଏ ଲେଖିଅଛନ୍ତି ।