ପୃଷ୍ଠା:Odishara Itihas.pdf/୧୨୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୫
ଷଷ୍ଠ ଅଧ୍ୟାୟ ।

୧୪୫୧ ମସିହାରେ ମୁସଲମାନମାନେ ଓଡ଼ିଶାରେ କର ସଂଗ୍ରହ କରୁଥିଲେ ବୋଲି, ଷ୍ଟଲିଂ ସାହେବ ଲେଖିଅଛନ୍ତି । ମାତ୍ର ଅନ୍ୟ କୌଣସି ଗ୍ରନ୍ଥରେ ଆମ୍ଭେମାନେ ଏ ଘଟନାର ନିଦର୍ଶନ ଦେଖିଲୁଁ ନାହିଁ । ତଦନନ୍ତର କପିଳେନ୍ଦ୍ର ଦେବଙ୍କ ସମୟରେ ଦାକ୍ଷିଣାତ୍ୟ ମୁସଲମାନମାନଙ୍କ ସଙ୍ଗେ ଓଡ଼ିଶା ରାଜ୍ୟର କିପରି ଯୋଗ ପ୍ରତିଯୋଗ ଘଟିଥିଲା, କପିଳେନ୍ଦ୍ରଙ୍କର ଜୀବନବୃତ୍ତାନ୍ତରେ ସେ ସବୁର ସବିଶେଷ ବିବରଣ ବର୍ଣ୍ଣିତ ହୋଇଅଛି । ପ୍ରତାପରୁଦ୍ରଦେବ ମୁସଲମାନମାନଙ୍କ ସଙ୍ଗେ ଯୋଗ ରଖି, ତତ୍କାଳୀନ ଦାକ୍ଷିଣାତ୍ୟ ପ୍ରଧାନ ହିନ୍ଦୁବୀର କୃଷ୍ଣରାୟକ (୧୧୦୯-୧୫୨୪ ) ବିରୁଦ୍ଧରେ ଯୁଦ୍ଧ କରିଥିବାର ମୁସଲମାନ ଇତିହାସଲେଖକେ କେହି କେହି ଲେଖିଅଛନ୍ତି । ଏହି ସମୟରେ (ପ୍ରାୟ ୧୫୧୦ ମସିହାରେ) ବଙ୍ଗୀୟ ଶାସନକର୍ତ୍ତା ହୁସେନସା ସ୍ୱକୀୟ ଦଳ ଘେନି ଆସି ଓଡ଼ିଶା ଲୁଣ୍ଠନ କରିଥିଲେ । ପ୍ରତାପରୂଦ୍ର ଦକ୍ଷିଣରେ ଉପସ୍ଥିତ ଥିଲେ । ତାଙ୍କର କଟକନଗରୀୟ ସେନାପତି ଅନନ୍ତ ସିଂହ ବିଜାତୀୟ ଅରାତିଙ୍କ ସଙ୍ଗେ ସମକକ୍ଷ ହେବାକୁ ଅସମର୍ଥ ହୋଇ ସାରଙ୍ଗଗଡ଼ଠାକୁ ପଳାଇଥିଲେ । ପୁରୀ ନଗର ମୁସଲମାନମାନଙ୍କଦ୍ୱାରା ଲୁଣ୍ଠିତ ହୋଇଥିଲା ଓ ପଣ୍ଡାମାନେ ଶ୍ରୀମନ୍ଦିରରୁ ଜଗନ୍ନାଥଙ୍କୁ ଘେନି ଚିଲ୍‌କା ସମୀପବର୍ତ୍ତୀ ପାହାଡ଼ ମଧ୍ୟରେ ଲୁଚାଇ ରଖିଥିଲେ । ଅବଶେଷରେ ପ୍ରତାପରୁଦ୍ର ଦାକ୍ଷିଣାତ୍ୟରୁ ଆସି ସେମାନଙ୍କୁ ପରାସ୍ତ କଲେ ଓ ସେମାନଙ୍କୁ ସଙ୍ଗେ ସନ୍ଧି ସ୍ଥାପିତ ହେଲା । ମୁକୁନ୍ଦଙ୍କ ରାଜତ୍ୱ ସମୟରେ ଦିଲ୍ଲୀର ତାଡ଼ିତ ସମ୍ରାଟ ସୁଲତାନ ଇବ୍ରାହିମ ଆଫଗାନ ସେନାପତି ସଲମାନଙ୍କଦ୍ୱାରା ପରାଭୁତ ହୋଇ ଓଡିଶା ରାଜାଙ୍କ ଆଶ୍ରୟ ଗ୍ରହଣ କରିଥିଲେ । ରାଜା ଇବ୍ରାହିମଙ୍କ ପ୍ରତିପୋଷଣାର୍ଥ କିଛି ଭୂମି ସୁଦ୍ଧା ଖଞ୍ଜି ଦେଇଥିଲେ । ଉକ୍ତ ସଲିମାନ ପୁଣି ଅତି ଦୁର୍ଦ୍ଧାନ୍ତ ହୋଇ ଉଠିବାରୁ ତାଙ୍କୁ ଦମନ କରିବା ସକାଶେ କୌଣସି ପ୍ରକାର ସାହାଯ୍ୟଭିଳାଷୀ ହୋଇ ଦିଲ୍ଲୀର ମୋଗଲ ସମ୍ରାଟ ଆକ୍‌ବର, ମୁକୁନ୍ଦ ଦେବଙ୍କ ରାଜସଭାକୁ ଦୂତ ପ୍ରେରଣ କରିଥିଲେ । ଦୂତର ନାମ ହସନ ଖାଁ । ସେ ପୁରୀଠାରେ ଅତି ସମାରୋହର ସହିତ ଗୃହୀତ ଓ ତିନିମାସ କାଳ ଅଭ୍ୟର୍ଥିତ ହୋଇଥିଲେ । ବିଦ୍ରୋହୀ ଜମାନ ଖାଁଙ୍କ ସଙ୍ଗେ ସଲିମାନ ମିଳିତ ହେଲେ । ଦକ୍ଷିଣ ପଶ୍ଚିମ ବଙ୍ଗଳା ପ୍ରତି ଚଢ଼ାଉ କରିବା ସକାଶେ ମୋଗଲ ଦୂତ ମୁକୁନ୍ଦ ଦେବଙ୍କୁ ଅନୁରୋଧ କରିଥିଲେ । ଇବ୍ରାହିମ ସୁଦ୍ଧା ରାଜାଙ୍କୁ ଏ ବିଷୟରେ ଉତ୍ତେଜିତ କରିଥିଲେ । ମଧ୍ୟ ସେ ଦୂତ ସ୍ୱଦେଶକୁ ଫେରିଯିବା ସମୟରେ ମହାପାତ୍ର ଉପାଧିଧାରୀ ଏକ ବ୍ୟକ୍ତି ଓଡ଼ିଶାରୁ ତାଙ୍କ ସଙ୍ଗେ ଦିଲ୍ଲୀଠାକୁ ପ୍ରେରିତ ହୋଇଥିଲେ । ଇତିମଧ୍ୟେ ୧୫୬୫ ଖ୍ରୀଷ୍ଟାବ୍ଦରେ ସଲିମାନ ଦିଲ୍ଲୀ ସମ୍ରାଟଙ୍କଠାକୁ ଅନେକ