ପୃଷ୍ଠା:Odishara Itihas.pdf/୧୩୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୬
ଓଡ଼ିଶାର ଇତିହାସ ।

ଦେଲେ ନାହିଁ । ପ୍ରଥମ ସେହିଠାରେ ଇଂରାଜଙ୍କର କୋଠି ସ୍ଥାପିତ ହେଲା । କିଛିକାଳ ଉତ୍ତାରୁ ସାଜାହାନଙ୍କ ଏକ କନ୍ୟାର ଲୁଗାରେ ନିଆଁ ଲାଗି ଶରୀର ଦଗ୍ଧ ହୋଇଥିଲା । ବାଉଟନ ସାହେବ ଚିକିତ୍ସା କରି ତାଙ୍କୁ ରୋଗମୁକ୍ତ କଲେ । ସମ୍ରାଟ୍ ପୁରସ୍କାର ଯାଚିଲାରୁ ଇଂରାଜଙ୍କର ନିଷ୍କର ବାଣିଜ୍ୟ କରିବାର ସନନ୍ଦ ବାଉଟନ ସାହେବ ପ୍ରାର୍ଥନା କଲେ । ବଙ୍ଗ ଶାସନକର୍ତ୍ତା ସୁଲତାନ ସୁଜାଙ୍କ ଅନ୍ତଃପୁରବାସିନୀ କେହି ମହିଳା ମଧ୍ୟ ସାତିଶୟ ପୀଡିତା ହୋଇଥିଲେ । ବାଉଟନ ସାହେବ ତାଙ୍କର ରୋଗ ସୁଦ୍ଧା ଉପଶମ କଲେ । ସୁତରାଂ ଇଂରାଜ ଇଷ୍ଟ ଇଣ୍ଡିୟା କୁମ୍ପାନୀଙ୍କ ଉପରେ ଦିଲ୍ଲୀ ସମ୍ରାଟ୍ ଓ ବଙ୍ଗ ଓଡିଶାର ଶାସନକର୍ତ୍ତା ଦୁହେଁ ପ୍ରସନ୍ନ ହେଲେ । ବାଲେଶ୍ୱର ଓ ହୁଗୁଲୀଠାରେ ସେମାନଙ୍କୁ ବାଣିଜ୍ୟକୋଠିମାନ ସ୍ଥାପିତ ହେଲା । ସୁବିଧାକ୍ରମେ ଇଂରାଜମାନେ ବିନା କରରେ ଆମଦାନୀ ଓ ରପ୍ତାନୀର ବ୍ୟବସାୟ ଚଳାଇଲେ ।

ଜାଫର ଖାଁ ନାସିରି—୧୬୨୭ ଖ୍ରୀଷ୍ଟାବ୍ଦରେ ଜାଫର ଖାଁ ଦେଓଆନ ନିଯୁକ୍ତ ହେଲେ । ଓଡିଶାରେ ଭୂମିର ମୂଲ୍ୟ ଅଳ୍ପ ଥିବାର ଓ ଓଡିଶା ଭୂମି ରାଜସ୍ୱ ଆଦାୟ ଅତି କଷ୍ଟକର କାର୍ଯ୍ୟ ବୋଲି ସେ ସମ୍ରାଟଙ୍କୁ ପତ୍ର ଲେଖିଲେ । ସୁତରାଂ ଜାଏଗିରଦାରଙ୍କୁ ଓଡିଶାର ଅଳ୍ପ ମୂଲ୍ୟର ଭୂମି ଜାଏଗିର ସ୍ୱରୁପ ଦେବା ସକାଶେ ପ୍ରସ୍ତାବ କରିଥିଲେ । ମଧ୍ୟ ଲିଖିତ ଅଛି, ଦିଲ୍ଲୀ ସମ୍ରାଟ ସେ ପ୍ରସ୍ତାବରେ ସମ୍ମତ ହୋଇ ବଙ୍ଗଳା ଜାଏଗିର ପରିବର୍ତ୍ତରେ କାହାରି କାହାରିକି ଓଡ଼ିଶାରେ ଜାଏଗିର ପ୍ରଦାନ କରିଥିଲେ ।

ସମ୍ରାଟ ଆରଙ୍ଗଜେବ-୧୬୫୮ ଖ୍ରୀଷ୍ଟାବ୍ଦରେ ସାଜାହାନଙ୍କୁ କାରାରୁଦ୍ଧ ଓ ଅପଣାର ଅନ୍ୟାନ୍ୟ ଭ୍ରାତାମାନଙ୍କୁ ପରାସ୍ତ କରି ଆରଙ୍ଗଜେବ ମୋଗଲ ସିଂହାସନରେ ଅଧିରୂଡ଼ ହୋଇଥିଲେ ।

ବାଲେଶ୍ୱର ନଗର ଲୁଣ୍ଠନ—ବାଲେଶ୍ୱରଠାରେ ମୋଗଲଶାସନକର୍ତ୍ତା ଇଂରାଜଙ୍କ ଉପରେ ଅତ୍ୟାଚାର କରି ସେମାନଙ୍କ ପକ୍ଷୀୟ ଦୁଇ ଜଣ ଲୋକଙ୍କୁ କାରାରୁଦ୍ଧ କରି ରଖିଥିଲେ । ସେଥିରେ ଇଂରାଜ ବଣିକମାନେ କୋପାବିଷ୍ଟ ହୋଇ ୧୬୮୮ ଖ୍ରୀଷ୍ଟାବ୍ଦ ୧୯ ତାରିଖ ନବେମ୍ବରରେ ବାଲେଶ୍ୱର ନଗର ଆକ୍ରମଣ ଓ ଲୁଣ୍ଠନ କଲେ ।

ପୁଣି ଆଫଗାନ ବିଦ୍ରୋହ-ବଙ୍ଗଦେଶରେ ଜଣେ ଜମିଦାର ଶୋଭାସିଂହ ବର୍ଦ୍ଧମାନାଧିପତିଙ୍କ ବିରୁଦ୍ଧରେ ରଣସଜ୍ଜା କରିଥିଲେ । ଓଡ଼ିଶାର ଅଫଗାନମାନେ ରହିମ ଖାଁଙ୍କ ସେନାପତିତ୍ୱରେ ତାଙ୍କ ସହିତ ମିଳିତ ହେଲେ ( ୧୬୯୫) | ବଙ୍ଗ ଓ ଓଡିଶାର କିୟଦଂଶ ସେମାନେ ଲୁଣ୍ଠନ କରି ହସ୍ତଗତ କଲେ । ତ‌ତ୍କାଳୀନ