ସମସ୍ତ ଶୁଣି କୋପାନି ତ ହୋଇ ବଖିରକୁ ଆସି ପରାସ୍ତ କଲେ ଓ ଓଡ଼ିଶାର ଶାସନଭାର ମହମ୍ମଦ ମାସୁମଙ୍କ ହସ୍ତରେ ଅର୍ପିତ ହେଲା ।
ମରହଟ୍ଟା ଆକ୍ରମଣ ଓ ମରହଟ୍ଟାଙ୍କର ଓଡ଼ିଶା ଲାଭ-ଆଲିବର୍ଦ୍ଦ ତଦନନ୍ତର ସ୍ୱୀୟ ରାଜଧାନୀକି ପ୍ରତ୍ୟାଗତ ହୋଇ ଓଡ଼ିଶା ଜୟଲାଭଜନିତ ଆମୋଦ ପ୍ରମୋଦରେ ନିଯୁକ୍ତ ଥିବା ସମୟରେ ସହସା ମରହଟ୍ଟାମାନେ ୧୭୪୧ ମସିହାରେ ଓଡିଶା ଦେଇ ବଙ୍ଗଳା ଆକ୍ରମଣ କଲେ । ବର୍ଦ୍ଧମାନ ନିକଟରେ କେତେକ ଥର ଯୁଦ୍ଧ ଘଟିଲା । ମରହଟ୍ଟା ସେନାପତି ଭାସ୍କର ପଣ୍ଡିତ ଦଶଲକ୍ଷ ଟଙ୍କା ଚଉଥ ଓ ଆଲିବର୍ଦ୍ଦିଙ୍କର ସମସ୍ତ ହସ୍ତୀ ମାଗିଲେ । ଆଲିବର୍ଦ୍ଦି ଦେବାପାଇଁ ଅସ୍ୱୀକାର କରିବାରୁ ମରହଟ୍ଟାମାନେ ବଙ୍ଗ ଅବରୋଧ ଓ ଓଡ଼ିଶାର ଶାସନକର୍ତ୍ତାଙ୍କୁ ବଧ କଲେ । ଶେଷକୁ ୧୭୪୨ ଖ୍ରୀଷ୍ଟାବ୍ଦରେ ମରହଟ୍ଟାମାନେ ପରାଭୂତ ହୋଇ ତାଡ଼ିତ ହେଲେ ।
ଅବିଦୁଲ ରସୁଳ ଓଡ଼ିଶାର ଶାସନକର୍ତ୍ତା ନିଯୁକ୍ତ ହେଲେ (୧୭୪୨) । ଅନନ୍ତର ରଘୁଜୀ ଭୋନ୍ସଲେ ସ୍ୱୟଂ ଆସି ବଙ୍ଗଦେଶ ଆକ୍ରମଣ କଲେ । ଓଡ଼ିଶା ବଳପୂର୍ବକ ଅଧିକାର କରି ମିର ହବୀବ ନାମକ ଜଣେ ମୁସଲମାନ ସୈନ୍ୟାଧ୍ୟକ୍ଷଙ୍କ ହସ୍ତରେ ଓଡ଼ିଶାର ଶାସନଭାର ଦେଇ ନାଗପୁର ପ୍ରସ୍ଥାନ କଲେ (୧୭୪୫) ।
ମିର୍ଜାଫର ୧୭୪୭ ଖ୍ରୀଷ୍ଟାବ୍ଦରେ ଓଡିଶାକୁ ମରହଟ୍ଟା ଓ ଆଫଗାନମାନଙ୍କୁ ତଡ଼ିଦେବା ସକାଶେ ନିଯୁକ୍ତ ହେଲେ, କିନ୍ତୁ ସେ କୃତକାର୍ଯ୍ୟ ହୋଇ ପାରିଲେ ନାହିଁ । ତଦନନ୍ତର ଅତାଉଲାଙ୍କ ହସ୍ତରେ ସେହି ଭାର ଅର୍ପିତ ହେଲା । ବର୍ଦ୍ଧମାନ ନିକଟରେ ସେ ମରହଟ୍ଟାଙ୍କ ସଙ୍ଗେ ଯୁଦ୍ଧରେ ପ୍ରବୃତ୍ତ ହେଲେ । ସ୍ୱୟଂ ଆଲିବର୍ଦ୍ଦି ମଧ୍ୟ ମରହଟ୍ଟାଙ୍କ ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ବାରମ୍ବାର ପରାସ୍ତ କଲେ । କିନ୍ତୁ ମରହଟ୍ଟାଏ ତ ସମ୍ମୁଖ ଯୁଦ୍ଧରେ ଅଗ୍ରସର ହେଉ ନ ଥିଲେ । ଲୁଚି ଲୁଚି ମଧ୍ୟେ ମଧ୍ୟେ ଲୁଣ୍ଠନକାରିଙ୍କ ପରି ଶତ୍ରୁଙ୍କୁ ଆକ୍ରମଣ କରୁଥିଲେ । ସେଥିରେ ସେମାନଙ୍କୁ ସମ୍ୟକ୍ରୂପେ ପରାଭବ କରିବା ଦୁଷ୍କର କାର୍ଯ୍ୟ ଥିଲା । ମରହଟ୍ଟା ବର୍ଦ୍ଧମାନ ନିକଟରେ ବାରମ୍ବାର ପରାଭୂତ ହୋଇ ମୋଗଲବିରୋଧୀ ବେହାର ଅଫଗାନଙ୍କ ସଙ୍ଗେ ମିଳିତ ହେଲେ । ଅବଶେଷରେ ୧୭୫୦ ଖ୍ରୀଷ୍ଟାବ୍ଦରେ ରଘୁଜୀଙ୍କ ପୁତ୍ର ଜାନୋକୀ କେତେକ ସୈନ୍ୟ ମିର ହବୀବଙ୍କ ନିକଟରେ ରଖି ସ୍ୱଦେଶକୁ ପ୍ରତ୍ୟାଗତ ହେଲେ ।
- ରାଜସ୍ୱର ଚତୁର୍ଥାଂଶ; ମରହଟ୍ଟାମାନେ ମୋଗଲଙ୍କଠାରୁ ବାହୁବଳରେ ଭୟ ଦର୍ଶାଇ ଏ କର ଆଦାୟ କରୁଥିଲେ ।