ପୃଷ୍ଠା:Odishara Itihas.pdf/୧୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୦
ଓଡ଼ିଶାର ଇତିହାସ ।

ଅବଶେଷରେ ୧୭୫୧ ମସିହାରେ ଆଲିବଦ୍ଧ ମରହଟ୍ଟାଙ୍କୁ ଦମନ କରିବା ପାଇଁ କଟକ ପର୍ଯ୍ୟନ୍ତ ଆଗମନ କଲେ । ମରହଟ୍ଟାଏ ସମ୍ମୁଖସୁଦ୍ଧପ୍ରିୟ ନ ଥିଲେ । ସେମାନଙ୍କୁ ଦମନ କରିବାର କୌଣସି ଉପାୟ ଦେଖିଲେ ନାହିଁ । ମରହଟ୍ଟାଙ୍କ ବୌରାତ୍ମ୍ୟ ଓ ପୌନଃପୁନିକ ଆକ୍ରମଣରେ ବଙ୍ଗଦେଶ ସାତିଶୟ ପ୍ରପୀଡ଼ିତ ହୋଇଥିଲା ସୁତରାଂ ଆଲିବର୍ଦ୍ଦି ୧୭୫୧ ମସିହାରେ ମରହଟ୍ଟାଙ୍କ ସଙ୍ଗେ ସନ୍ଧି ସ୍ଥାପନ କଲେ । ସେଥିରେ ସ୍ଥିରୀକୃତ ହେଲା ଯେ ବଙ୍ଗଦେଶ ସକାଶେ ବାର ଲକ୍ଷ ଟଙ୍କା ଚଉଥ କର ମରହଟ୍ଟାଏ ପ୍ରାପ୍ତ ହେବେ । ଓଡ଼ିଶାର ରାଜସ୍ୱରୁ ଭୋନ୍‌ସଲା ସୈନ୍ୟଙ୍କର ଅଦତ୍ତ ପୂର୍ବବେତନ ଦତ୍ତ ହେବ । ସୁନାମୁଖୀ (ସମ୍ଭବତଃ ସୁବର୍ଣ୍ଣରେଖା, କେହି ବୋଲନ୍ତି ବୁଢ଼ାବଳଙ୍ଗ ) ନଈ ପାଣିରେ କିମ୍ବା ସେହି ନ‌ଦୀର ଉତ୍ତରବର୍ତ୍ତୀ ପ୍ରଦେଶରେ ମରହଟ୍ଟାମାନେ ପାଦ ନିକ୍ଷେପ କରିବେ ନାହିଁ । ଆହୁରି ମଧ୍ୟ ସନ୍ଧିପତ୍ରର ନିୟମାନୁସାରେ ମରହଟ୍ଟାଙ୍କ ମିତ୍ର ମିର ହବୀବ ବଙ୍ଗୀୟ ନବାବଙ୍କ ନାମମାତ୍ର ଅଧୀନ ହୋଇ ଓଡ଼ିଶାର ଶାସନକର୍ତ୍ତା ପଦରେ ନିଯୁକ୍ତ ହେଲେ । ବାରଲକ୍ଷ ଟଙ୍କା ଚଉଥ ମଧ୍ୟରୁ ଚାରିଲକ୍ଷ ଟଙ୍କା ଓଡ଼ିଶା ରାଜସ୍ୱରୁ ମଧ୍ୟ ଦେବାର ସ୍ଥିର ହୋଇଥିଲା । ମିର ହବୀବ ତଦନୁସାରେ କିଛିକାଳ କାର୍ଯ୍ୟ ଚଳାଇଲେ, ମାତ୍ର ଅଳ୍ପସମୟ ମଧ୍ୟରେ ସେ ନିହତ ହେଲେ । ତଦନନ୍ତର ମସାଲଦ୍ଦୀନଙ୍କ ହସ୍ତରେ ଓଡ଼ିଶାର ଶାସନଭାର ଅର୍ପିତ ହେଲା । ସେ ସମୟକୁ ଓଡ଼ିଶାର ଆଭ୍ୟନ୍ତରିକ ଶାସନରେ ଏପରି ଦିପର୍ଯ୍ୟୟ ସଂଘଟନ ହୋଇଥିଲା ଯେ, ମସାଲଦ୍ଦୀନ ବର୍ଷେ କାଳ କୌଣସିରୂପେ ଚଳାଇ ଭବିଷ୍ୟତକୁ ଚଳାଇବା ବିଷୟରେ ଅକ୍ଷମ ବୋଲି ପ୍ରକାଶ କଲେ । ତଦନନ୍ତର ଓଡ଼ିଶାର ସମ୍ପୂର୍ଣ୍ଣ ଶାସନଭାର ଆଲିବର୍ଦ୍ଦି ମରହଟ୍ଟାଙ୍କ ହସ୍ତରେ ସମର୍ପଣ କଲେ ( ୧୭୫୫- ୫୬) ।

ଦେଶର ଅବସ୍ଥା —ଆଫଗାନମାନେ ଓଡିଶା ଜୟ କଲା ଉତ୍ତାରୁ ମରହଟ୍ଟାଙ୍କ ହସ୍ତକୁ ଯିବା ପର୍ଯ୍ୟନ୍ତ ଓଡ଼ିଶାରେ ଯୁଦ୍ଧ ବିଗ୍ରହ ପ୍ରାୟ ନିରବଚ୍ଛିନ୍ନରୂପେ ଲାଗି ରହିଥିଲା, ସେଥିରେ ଓଡ଼ିଶାବାସିଏ କୌଣସି ପକ୍ଷରୁ ନିଯୁକ୍ତ ନ ଥିଲେ ସୁଦ୍ଧା ସେମାନଙ୍କୁ ମଧ୍ୟେ ମଧ୍ୟେ ଘୋର ଅଶାନ୍ତି ଭୋଗ କରିବାକୁ ହେଉଥିଲା ।

ଲୋକେ ମଧ୍ୟେ ମଧ୍ୟେ ବର୍ବର ଶାସଙ୍କର୍ତ୍ତାଙ୍କ ଦୋଷରୁ ଅନେକ ଅତ୍ୟାଚାର ସହ୍ୟ କରୁଥିଲେ । ତକି ଖାଁକ ଶାସନ ସମୟରେ ଲୋକେ ଯେ କି ପର୍ଯ୍ୟନ୍ତ ପ୍ରପୀଡ଼ିତ ହୋଇଥିଲେ, ତାହା ଏଥିପୂର୍ବେ ବର୍ଣ୍ଣିତ ହୋଇଅଛି ।

ମୁସଲମାନମାନଙ୍କ ଶାସନ ସମୟରେ ଓଡ଼ିଶାରେ ଦୁର୍ଭିକ୍ଷ ପଡ଼ିଥିବାର କୌଣସି ନିଦର୍ଶନ ମିଳଇ ନାହିଁ । ଏଥିରୁ ବୋଧ ହୁଏ, ଶସ୍ୟ ଉତ୍ତମରୂପେ ଉତ୍ପନ୍ନ ହେଉଥିଲା ଓ ଲୋକେ ସେ ବିଷୟରେ ନିଶ୍ଚିନ୍ତ ଥିଲେ । ପ୍ରଜାଏ ରାଜସ୍ୱ