ପୃଷ୍ଠା:Odishara Itihas.pdf/୧୪୪

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୨
ଓଡ଼ିଶାର ଇତିହାସ ।

କର୍ମ କରିବାର ଦୃଷ୍ଟିଗୋଚେ ହୁଅଇ ନାହିଁ । ବୋଧ ହୁଏ ସେମାନଙ୍କର ପୈତୃକ ଅଭିମାନ ଅଦା ଅଦ୍ୟାପି ସେମାନଙ୍କଠାରେ ବିଦ୍ୟମାନ ଅଛି । ଏକ ସମୟରେ ଓଡ଼ିଶାର ଗ୍ରାମମାନଙ୍କରେ ଅନେକ ମୁସଲମାନ ବାସ କରୁଥିଲେ । ସପ୍ତଦଶ ଶତାବ୍ଦୀର ପର୍ତ୍ତୁଗିଜ ପରିବ୍ରାଜକଙ୍କର ଓଡ଼ିଶା ଭ୍ରମଣବୃତ୍ତାନ୍ତ ଏଥିର ବିଶେଷ ପ୍ରମାଣ ସ୍ଥଳ । ମୁସଲମାନମାନଙ୍କର ଚାଷ ଇତ୍ୟାଦି ସୁଲଭ ଓ ଲାଭକର ବୃତ୍ତମାନଙ୍କରେ ଅମନୋଯୋଗ ସେମାନଙ୍କର ଦୈନ୍ୟଦଶାକୁ ବଢ଼ାଇଅଛି । ସେହି ହେତୁରୁ ମଧ୍ୟ ସେମାନଙ୍କ ସଂଖ୍ୟା କେତେକ ପରିମାଣରେ ଊଣା ହୋଇଅଛି । ବଙ୍ଗାଳୀ ଓ ଅନ୍ୟାନ୍ୟ ଜାତିଙ୍କର ଉପନିବେଶ-ମୁସଲମାନମାନେ ହିନ୍ଦୁଙ୍କୁ ଉଚ୍ଚକାର୍ଯ୍ୟରେ ପ୍ରତିଷ୍ଠିତ କରିବାପାଇଁ ସଙ୍କୁଚିତ ନ ଥିଲେ । ରାଜା ତୋଦରମଲ ଓ ରାଜା ମାନସିଂହଙ୍କୁ ମୋଗଲମାନେ ସୁବାଦାରୀ କର୍ମରେ ସୁଦ୍ଧା ନିଯୁକ୍ତ କରିଥିଲେ । ପୂର୍ବରେ ଅନେକ ବଙ୍ଗାଳୀ ଓ ଖୋରଟାମାନେ ମୁସଲମାନ ରାଜଦରବାରରେ ଉଚ୍ଚ ଉଚ୍ଚ କର୍ମମାନ ପ୍ରାପ୍ତ ହେଉଥିଲେ । କାଲୀୟନ ମଲ ଓଡ଼ିଶାର ଶାସନକର୍ତ୍ତା ଓ ଆଉ ଦୁଇଜଣ ବଙ୍ଗାଳୀ ଓଡ଼ିଶା ଶାସନକର୍ତ୍ତାଙ୍କ ସ‌ହକାରୀ ନିଯୁକ୍ତ ହୋଇ ଓଡ଼ିଶାକୁ ଆସିଥିବାର ଇତିପୂର୍ବେ ଲିଖିତ ହୋଇଅଛି । ଏହିରୂପେ ମୁସଲମାନମାନଙ୍କ ନିକଟରେ ଚାକରି କରିବାଯୋଗୁଁ କେତେକ ଖୋରଟା ଓ ବଙ୍ଗାଳୀ ମୁସଲମାନମାନଙ୍କ ସମୟରେ ମଧ୍ୟ ଓଡ଼ିଶାକୁ ଆସିଥିଲେ । ସେମାନେ ରହୁଁ ରହୁଁ ଓଡ଼ିଶାରେ ଉପନିବେଶ ସ୍ଥାପନ କଲେ । ଜଗନ୍ନାଥ ଦର୍ଶନ ଯୋଗୁଁ ଓ କୌଣସି କୌଣସି ମୁସଲମାନ ଶାସକଙ୍କ ଅତ୍ୟାଚାରରେ ମଧ୍ୟ ବଙ୍ଗଳାଦେଶରୁ କେତେ ଲୋକ ଓଡ଼ିଶାକୁ ଚାଲି ଆସିଥିଲେ । କେବଳ ଯେ ବଙ୍ଗଦେଶୀୟ ବ୍ରାହ୍ମଣ ଓ କାୟସ୍ଥ ଏ ଦେଶକୁ ଆସି ଉପନିବେଶ ସ୍ଥାପନ କରିଅଛନ୍ତି, ଏମନ୍ତ ନୁହେ; ବଙ୍ଗଦେଶୀୟ ଚଷା, ତାମ୍ଭୂଲୀ, ଭଣ୍ଡାରୀ ଓ ଅନ୍ୟାନ୍ୟ କୌଣସି କୌଣସି ହିନ୍ଦୁସମାଜର ନୀଚ ଜାତି ସୁଦ୍ଧା ଓଡ଼ିଶାକୁ ଆସି ବସବାସ ସଂସ୍ଥାପନ କରିଅଛନ୍ତି । ଆମ୍ଭେମାନେ ଅନୁସନ୍ଧାନରୁ ଜାଣିଅଛୁଁ ଯେ କୌଣସି କୌଣସି ସ୍ଥାନରେ ବଙ୍ଗୀୟ ଚଷା ଉତ୍କଳୀୟ ଚଷାଙ୍କ ସଙ୍ଗେ ବିବାହସୂତ୍ରରେ ସଂଯୁକ୍ତ ହୋଇଅଛନ୍ତି । ସାଧାରଣ କାର୍ଯ୍ୟ-ମୁସଲମାନମାନଙ୍କର ଗୋଟିକେତେ ମସଜିଦ ବର୍ତ୍ତମାନ ସେମାନଙ୍କ ସାଧାରଣ କାର୍ଯ୍ୟର ଯଥାକଥଞ୍ଚିତ୍ ପରିଚୟ ଦେଉଅଛି । ସେ ସବୁ ମଧ୍ୟରେ କଟକ, ବାଲେଶ୍ୱର ଓ ଯାଜପୁରର ଜୁମାମସଜିଦ ଓ କଦମରସୁଲ ପ୍ରଧାନ । ବାରବାଟୀ କିଲା ମଧ୍ୟରେ ଦିଲ୍ଲୀ ସମ୍ରାଟ୍ ଅହମ୍ମଦସାଙ୍କ ସମୟରେ ନିର୍ମିତ ଗୋଟିଏ ମସଜିଦ ଅଦ୍ୟାପି ବିଦ୍ୟମାନ ଅଛି ।