ପୃଷ୍ଠା:Odishara Itihas.pdf/୧୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୮
ଓଡ଼ିଶାର ଇତିହାସ।

ଖୋର୍ଦ୍ଧା ପାଇକମାନେ ଅପେକ୍ଷାକୃତ ହୀନବଳ ହୋଇଥିଲେ ସୁଦ୍ଧା, ମରହଟ୍ଟା ପଦାତିକଙ୍କର ଅନାୟାସରେ ସମକକ୍ଷ ହୋଇ ପାରୁଥିଲେ । ରାଜାରାମ ପଣ୍ଡିତଙ୍କୁ ଖୋର୍ଦ୍ଧରାଜା ଓ ଅନ୍ୟାନ୍ୟ ଗଡ଼ଜାତ ରାଜାଙ୍କଠାରୁ ଅଙ୍ଗୀକୃତ ଓ ବାର୍ଷିକ କର ଆଦାୟ କରିବା ସକାଶେ ବହୁବ୍ୟୟ ସ୍ୱୀକାର କରିବାକୁ ହେଉଥିଲା । ୧୭୮୧ ଖ୍ରୀଷ୍ଟାବ୍ଦରେ ବିଚାର ରାଜାଙ୍କର ଇଂରାଜଙ୍କ ସଙ୍ଗେ ଯେଉଁ ସନ୍ଧି ସଂସ୍ଥାପିତ ହୋଇଥିଲା, ସେଥିରେ ମରହଟ୍ଟାଙ୍କ ପକ୍ଷରୁ ରାଜାରାମ ଉପସ୍ଥିତ ଥିଲେ । ମରହଟ୍ଟା କ୍ଷମତା ଓ ଇଂରାଜଙ୍କର ଓଡ଼ିଶାଲାଭ -ରାଜାରାମ ଶାସନକର୍ତ୍ତୃତ୍ୱ ପଦରୁ ଅବସୃତ ହେଲା ଉତ୍ତାରୁ ତାଙ୍କ ପୁତ୍ର ସଦାଶିବ ରାଓ ଓଡ଼ିଶାର ଶାସନକର୍ତ୍ତା ହୋଇଥିଲେ । କିନ୍ତୁ ଇଙ୍କାଜୀ ଶୁକଦେବ ଓ ବାରବାଟୀ କିଲାର ଅଧ୍ୟକ୍ଷ ବାଲାଜୀ କନଓୟାର ଏକ ପ୍ରକାର ସମସ୍ତ ଶାସନ କାର୍ଯ୍ୟ ଚଳାଉଥିଲେ । ସେମାନଙ୍କ ଉତ୍ତାରୁ ଅନ୍ୟ କୌଣସି ମରହଟ୍ଟାଙ୍କୁ ଓଡ଼ିଶା ଶାସନ କରିବାକୁ ହୋଇ ନ ଥିଲା । ଇଂରାଜମାନେ ଇତି ମଧ୍ୟରେ ବାଲେଶ୍ୱର ଓ ହୁଗୁଳୀ ନଦୀରେ ବାଣିଜ୍ୟ କରୁଁ କରୁଁ ୧୭୫୭ ଖ୍ରୀଷ୍ଟାବ୍ଦରେ ପଲାସୀ ଯୁଦ୍ଧ ଜୟ କରି ବଙ୍ଗ ବେହାରରେ ଆଧିପତ୍ୟ ଲାଭ କରିଥିଲେ । ଦାକ୍ଷିଣାତ୍ୟର କିୟଦଂଶ ସୁଦ୍ଧା ସେମାନଙ୍କର ହସ୍ତଗତ ହୋଇଥିଲା । ହଇଦର ଅଲି ଓ ମହୀଶୂରରରାଜା ଇଂରାଜଙ୍କର ବର୍ଦ୍ଧିତ କ୍ଷମତା ଦର୍ଶନ କରି ଦାକ୍ଷିଣାତ୍ୟ ନିଜାମଙ୍କ ସହିତ ବଙ୍ଗଦେଶ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲେ । ବିରାରର ମହାରାଷ୍ଟ୍ରୀୟ ରାଜା ମଧ୍ୟ ଇଂରାଜଙ୍କ ବିରୁଦ୍ଧରେ ଅସ୍ତ୍ରଚାଳନା କରିବା ସକାଶେ ଉପସ୍ଥିତ ହୋଇଥିଲେ । କିନ୍ତୁ ସୁଚତୁର ଇଂରାଜମାନେ ମହାରାଷ୍ଟ୍ରୀୟଙ୍କ ସହିତ ସନ୍ଧିସ୍ଥାପନ କରି, ସେମାନଙ୍କଠାରୁ ମାସିକ ଏକଲକ୍ଷ ଟଙ୍କା ଖର୍ଚ୍ଚ ନେଇ, ଦୁଇସ‌ହସ୍ର ଅଶ୍ୱାରୋହୀ ସୈନ୍ୟ ସାହାଯ୍ୟ ସ୍ୱରୂପ ଦେଇ ଶତ୍ରୁଦଳକୁ ଅନାୟାସରେ ପରାଭବ କରିଥିଲେ । ଉଲ୍ଲିଖିତ ମରହଟ୍ଟାଙ୍କ ସଙ୍ଗେ ଯେଉଁ ସନ୍ଧି ହୋଇଥିଲା, ସେଥିରେ ମହାରାଷ୍ଟ୍ରୀୟଙ୍କ ପକ୍ଷରୁ ରାଜାରାମ ପଣ୍ଡିତ ଉପସ୍ଥିତ ଥିଲେ । ମହୀଶୂର ରାଜା ଇଂରାଜଙ୍କଦ୍ୱାରା ପରାଭୂତ ହେଲେ ଦେଖି ନାଗପୁରାଧିପତି ଇଂରାଜଙ୍କୁ ହୀନବଳ କରିବା ସକାଶେ ଉଦ୍‌ଯୋଗୀ ହେଲେ । ସେହି ଅଭିପ୍ରାୟ ସାଧନକରଣାର୍ଥ ନାଗପୁରର ରଘୁଜୀ ସିନ୍ଧିୟାଙ୍କ ସହିତ ସମ୍ମିଳିତ ହେଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ରଘୁଜୀ ଓ ସିନ୍ଧିୟା ଅବଶେଷରେ ଏଷାଇ ଓ ଆର୍ଗେନମର ଯୁଦ୍ଧରେ ପରାଭୂତ ହେଲେ । ମଧ୍ୟ ବିରାର ରାଜାଙ୍କର ସୁପ୍ରସିଦ୍ଧ ଗୋଇଲଘର ନାମକ ଦୁର୍ଗ ଇଂରାଜଙ୍କଦ୍ୱାରା ଅଧିକୃତ ହେଲା । ତଦନନ୍ତର ରଘୁଜୀ ହୀନବଳ ହୋଇ ଦେବଗ୍ରାମର ପ୍ରସିଦ୍ଧ ସନ୍ଧିରେ ଇଂରାଜଙ୍କୁ ଓଡ଼ିଶା ପ୍ରଦେଶର ଅଧିକାର