ପୃଷ୍ଠା:Odishara Itihas.pdf/୧୫୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩୭
ସପ୍ତମ ଅଧ୍ୟାୟ ।

ଆର ବର୍ଷ ୧୮୦୫ ସାଲର ୧୩ ଆଇନ ଅନୁସାରେ ଦୁଇଜଣ ପରିବର୍ତ୍ତରେ ଓଡ଼ିଶାରେ ଜଣେ କଲେକ୍‌ଟର ନି‌ଯୁକ୍ତ ହେଲେ । ପୁରୀ ତାଙ୍କର ପ୍ରଧାନ ସ୍ଥଳୀ ହେଲା । ବୋର୍ଡ ଅବ୍ କମିଶନରସ୍ ଓଡ଼ିଶାରୁ ଉଠିଯାଇ ଓଡ଼ିଶା କଲିକତା ବୋର୍ଡ଼ ରେବିନିଉର ଅନ୍ତର୍ଗତ ହେଲା । ୧୮୦୫ ସାଲର ୧୪ ଆଇନ‌ଦ୍ୱାରା ବଙ୍ଗୀୟ ସମସ୍ତ ଦେବାନୀ ଆଇନ ଓଡିଶାରେ ପ୍ରବର୍ତ୍ତିତ ହେଲା । ଏହି ନୂତନ ବନ୍ଦୋବସ୍ତ ଅନୁସାରେ କର ସାହେବ ଓଡ଼ିଶାର ଜଜ୍ ଓ ମେଜେଷ୍ଟର ହୋଇ ରହିଲେ । ଓଏବ ସାହେବ କଲେକ୍ଟର ନିଯୁକ୍ତ ହେଲେ । କିଙ୍ଗ୍ ସାହେବ ଓଡ଼ିଶାରେ ସଲ୍‌‌ଟ ଏଜେଣ୍ଟ କାର୍ଯ୍ୟର ଭାର ପାଇଲେ । ବାଲେଶ୍ୱର, ଯାଜପୁର ଓ ଖୋର୍ଦ୍ଧାଠାରେ ରାଜସ୍ୱ ଆଦାୟ ସକାଶେ ତିନିଜଣ ତହସିଲଦାର ନିଯୁକ୍ତ ହେଲେ । ଆଉ ଜଣେ ତହସିଲଦାରଙ୍କ ହସ୍ତରେ ସମସ୍ତ ଖାସ୍‌‌ମାହାଲର ଭାର ରହିଲା । କର ସାହେବ ତାଙ୍କ ନିଜ କାର୍ଯ୍ୟ ଛଡା ଗଡ଼ଜାତ ତ‌ତ୍ତ୍ୱାବଧାରଣ କାର୍ଯ୍ୟରେ ମଧ୍ୟ ନିଯୁକ୍ତ ହେଲେ । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଥାନାମାନ *ସଂସ୍ଥାପିତ ହେଲା । ପ୍ରତି ଥାନାରେ ଦାରୋଗା, ମୋହରର, ଜମାଦାର ଓ ଦଶ ଜଣ ଲେଖାଏଁ ବରକନ୍ଦାକ, କ୍ରମାନ୍ୱୟେ ପ୍ରତିଜଣ ଟ୨୫ଙ୍କା, ଟ୧୦ଙ୍କା, ଟ୮୧ଙ୍କା ଓ ଚାରିଟଙ୍କା ଦରମାହାରେ ନିଯୁକ୍ତ ହେଲେ । ଚଉକୀଦାର ପ୍ରଭୃତି ଦେଶରେ ଯେପରି ଥିଲେ, ସେହିପରି ରହିଲେ । ସମସ୍ତ ଜମିଦାରଙ୍କ ହସ୍ତରୁ ଫଉଜଦାରୀ ଓ ପୁଲିସ କ୍ଷମତା ରହିତ ହେଲା । କେବଳ କୌଣସି କୌଣସି ଉପଯୁକ୍ତ ଜମିଦାରଙ୍କ ହସ୍ତରେ ଦାରୋଗାଇ କାର୍ଯ୍ୟର ଭାର ରହିଲା । ବାଲେଶ୍ୱର, କଟକ ଓ ପୁରୀ ନିମନ୍ତେ ଟାଉନ ପୁଲିସର ବନ୍ଦୋବସ୍ତ ହେଲା । ଏହିପରି ନିୟମରେ ଓ ଶାନ୍ତିରେ କିଛିକାଳ ରାଜକାର୍ଯ୍ୟ ଚଳିଲା । ଓଡିଶାବାସିଙ୍କ ଆବେଦନାନୂସାରେ ୧୮୧୬ ମସିହାରେ କଟକ ପୁରୀ ପରିବର୍ତ୍ତରେ କଲେକ୍ଟରଙ୍କର ପ୍ରଧାନ ସ୍ଥଳୀ ହେଲା । ୧୮୧୭ ମସିହାରେ ସୁବର୍ଣ୍ଣରେଖା ଓଡିଶାର ଉତ୍ତର ସୀମାରୂପେ ନିର୍ଦ୍ଧାରିତ ହେଲା ।


  • ୧ ବସ୍ତା, ୨ ବାଲେଶ୍ୱର, ୩ ସୋରୋ, ୪ ଭଦରଖ, ୫ ଯାଜପୁର, ୬ ଅରଖପୁର, ୭ ଅସୁରେଶ୍ୱର, ୮ ମତୋ, ୯ କଟକ, ୧୦ ପିପିଲି, ୧୧ ପୁରୀ, ୧୨ ଗୋପ, ୧୩ ତିରନ, ୧୪ ହରିହରପୁର, ୧୫ ପହରାଜପୁର, ୧୬ ଖୋର୍ଦ୍ଧା । ୧୮୧୬ ସାଲରେ ଅସୁରେଶ୍ୱର ଥାନା କେନ୍ଦରାପଡ଼ାଠାରେ ବସିଲା । ବାଲେଶ୍ୱରର ଚୂଡ଼ାମଣି ଓ ଖୋର୍ଦ୍ଧାର ବାଣପୁର ଥାନାନ୍ୱୟ ନୂଆ ସଂସ୍ଥାପିତ ହେଲା ।