ପୃଷ୍ଠା:Odishara Itihas.pdf/୧୬୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩୮
ଓଡ଼ିଶାର ଇତିହାସ ।

ଓଡ଼ିଶା ବନ୍ଦୋବସ୍ତ-ବୋର୍ଡ ଅବ୍ କମିଶନରସ୍ ୧୮୦୪ ଖ୍ରୀଷ୍ଟାବ୍ଦର ୧୫ ତାରିଖ ସେପ୍‌ଟେମ୍ବରରେ ଏକ ଘୋଷଣାପତ୍ର ପ୍ରଚାର କରି ମୋଗଲବନ୍ଦୀ ବିଭାଗର ରାଜସ୍ୱ ବନ୍ଦୋବସ୍ତର ସୂତ୍ରପାତ କଲେ । ଯେଉଁମାନେ ଜମିଦାରରୂପେ ସ୍ୱୀକୃତ ହୋଇ ଭୂମିରେ ସ୍ୱତ୍ୱାଧିକାରୀ ହେଲେ, ପୂର୍ବକାଳରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜକର୍ମଚାରୀ ଥିଲେ ଓ ସେମାନଙ୍କର ଭୂମିରେ ପୂର୍ବେ କୌଣସି ସ୍ୱତ୍ୱାଧିକାର ନ ଥିଲା । ଭୂମି ରାଜସ୍ୱର ପ୍ରଥମ ବନ୍ଦୋବସ୍ତ ଭୂତପୂର୍ବ ମରହଟ୍ଟାଙ୍କ ସଦର କାନଗୋଇ ନରେନ୍ଦ୍ର ରାୟ ମହାଶୟଙ୍କ କାଗଜପତ୍ର ଓ ଗୋପାଳ ରାଓଙ୍କ “ଦେବିଧି" ଅନୁସାରେ ଇଂରାଜମାନେ ସ୍ଥିର କଲେ । ଉଲ୍ଲିଖିତ ଘୋଷଣାପତ୍ର ୧୮୦୫ ସାଲର ୧୨ ଆଇନର ଅନ୍ତର୍ଗତ ହୋଇ ଇଂରାଜ ଶାସନକର୍ତ୍ତାଙ୍କର ଅନୁମୋଦନ ଲଭିଥିଲା । ଏହି ଆଇନ ଅନୁସାରେ ବନ୍ଦୋବସ୍ତ ପ୍ରଥମ ବର୍ଷକ ସକାଶେ ଓ ତତ୍ପରେ ତିନିବର୍ଷପାଇଁ ସ୍ଥିର ହେଲା । ଅନନ୍ତର ୧୮୦୮ ସାଲର ୬ ଆଇନ, ୧୮୧୧ ସାଲର ୧୩ ଆଇନ ଓ ଅନ୍ୟାନ୍ୟ ଆଇନଦ୍ୱାର ବନ୍ଦୋବସ୍ତ କ୍ରମାନ୍ୱୟରେ ଏକବର୍ଷ, ତିନିବର୍ଷ, ଏକବର୍ଷ, ଦୁଇବର୍ଷ, ଏକବର୍ଷ, ତିନିବର୍ଷପାଇଁ ୧୮୧୮ ମସିହା ପର୍ଯ୍ୟନ୍ତ ନିର୍ଦ୍ଧାରିତ ହେଲା । ଖୋର୍ଦ୍ଧା ଓ ଅନ୍ୟାନ୍ୟ ଖାସମହାଲମାନଙ୍କରେ ଦେଶୀୟ ହସ୍ତବୁଦ ରୀତିରେ ରାଜସ୍ୱ ଆଦାୟ କାର୍ଯ୍ୟ ଚଳିବାକୁ ଲାଗିଲା । ମୋଗଲବନ୍ଦୀ ବିଭାଗରେ ୧୧ ବର୍ଷ ଉତ୍ତାରୁ ଚିରସ୍ଥାୟୀ ବନ୍ଦୋବସ୍ତ ଇଂରାଜମାନେ ଚଳାଇବାର ଆଶା ଦେଇଥିଲେ । କିନ୍ତୁ ୧୮୧୩ ସାଲର ୧ ଆଇନ ଦ୍ୱାରା ସେ ଆଶାରୁ ଓଡିଶାବାସିଙ୍କି ଏକାବେଳକେ ବଞ୍ଚିତ କଲେ । ପ୍ରଥମ ବର୍ଷ ୧୩୧୪୮୨୫୧ଟଙ୍କା ଓଡ଼ିଶାର ଭୂମି ରାଜସ୍ୱ ବୋଲି ନିର୍ଦ୍ଧାରିତ ହୋଇଥିଲା । ୧୮୧୮ ସାଲ ପର୍ଯ୍ୟନ୍ତ ଉକ୍ତ ଜମା ବୃଦ୍ଧିକି ଲଭି ୧୬୩୭୯୨୪୧ ଟଙ୍କାରେ ସ୍ଥିର ହେଲା ।

ଇଂରାଜ ଗବର୍ଣ୍ଣମେଣ୍ଟ ମୋଗଲବନ୍ଦୀରେ ଆଧୁନିକ ଜମିଦାରଶ୍ରେଣୀକି ସ୍ଥିର କର ଓ ଦର୍ପଣ, ସୁକିନ୍ଦା, ମଧୁପୁର ପ୍ରଭୃତି କେତେକ ପୁରାତନ ଜମିଦାରୀରେ ସ୍ଥିରତର ବନ୍ଦୋବସ୍ତ ଚଳାଇ, ମଧ୍ୟ ମୋଗଲବନ୍ଦୀର ଅନ୍ତର୍ଗତ କନିକା, ଆଲୀ, କୁଜଙ୍ଗ, ହରିଶପୁର ପ୍ରଭୃତି କିଲ୍ଲାମାନଙ୍କର ରାଜାଙ୍କୁ ସମସ୍ତ ଦେବାନୀ ଓ ଫଉଜଦାରୀ ଆଇନର ଅଧୀନ ଓ ସେମାନଙ୍କୁ କେବଳ ପୂର୍ବବତ୍ ପେସକସ୍ ଦେବାକୁ ବାଧ୍ୟ କରି, ପାର୍ବତ୍ୟ ରାଜବାଡ଼ା ରାଜାଙ୍କ ସଙ୍ଗେ ଭିନ୍ନ ପ୍ରକାର ବନ୍ଦୋବସ୍ତ କଲେ;


ସୁକିନ୍ଦା, ମଧୁପୁର ଓ ଦର୍ପଣର ଅଧିକାରିମାନେ ଜମିଦାରରୂପେ ଉଲ୍ଲିଖିତ ହୋଇଅଛନ୍ତି । ସେମାନେ ଇଂରାଜଙ୍କୁ ଯେଉଁ କବୁଲନାମା ଦେଇଅଛନ୍ତି,