ପୃଷ୍ଠା:Odishara Itihas.pdf/୧୬୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪୬
ଓଡ଼ିଶାର ଇତିହାସ ।

ଜମିଦାରମାନେ ଇଂରାଜ ଶାସନପ୍ରଣାଳୀ ଅନୁସାରେ ନିୟମିତରୂପେ ରାଜସ୍ୱ ଆଦାୟ ନ କରିଥିବାରୁ ସେମାନଙ୍କର ବୃତ୍ତମାନ ନିଲାମରେ ଡାକ ହୋଇଥିଲା । ପୂର୍ବେ କଲିକତା ବୋର୍ଡ ରେବିନିଉ ଅଧୀନ ଥାଇ ଓଡ଼ିଶାର ସବୁ ନିଲାମ ଡ଼ାକମାନ କଲିକତାଠାରେ ହେଉଥିଲା, ସୁତରାଂ ଓଡିଶାରେ ବଙ୍ଗୀୟ ଜମିଦାର ସଂଖ୍ୟା ଅଧିକ ହୋଇ ଓଡ଼ିଶା ଜମିଦାର ସଂଖ୍ୟା ଦିନକୁ ଦିନ ହ୍ରାସ ହେଉଥିଲା । ମଧ୍ୟ ନୂତନ ବିଦେଶୀୟ ଭୂମ୍ୟଧିକାରିମାନେ ମଧ୍ୟେ ମଧ୍ୟେ ଅଳ୍ପ ବହୁତରେ ଓଡ଼ିଆ ଜମିଦାରଙ୍କ ଉପରେ ଅତ୍ୟାଚାର ସୁଦ୍ଧା କରୁଥିଲେ । ଦୂରରେ ନିଲାମ ହେଉଥିବା ଯୋଗୁଁ ଉଚିତ ମୂଲ୍ୟରେ ମଧ୍ୟ ଜମିଦାରୀମାନ ନିଲାମ ହେଉ ନ ଥିଲା । ଏପରି ଲିଖିତ ଅଛି, ଏକଲକ୍ଷ ଏକୋଇଶିହଜାର ଛଅଶ ପଞ୍ଚାନବେ ଟଙ୍କାର (୧୨୧୬୯୫) ସଦରଜମାର ଏକଚାଳିଶ ତାଲୁକ ଜମିଦାରୀ ମୋଟ ୪୬୨୦୫ ଟଙ୍କାରେ ନିଲାମ ହୋଇଥିଲା । ଏହିଥିରୁ ଓଡ଼ିଆଙ୍କର କ୍ରମଶଃ ଧନହୀନତା କେତେଦୂର ବୃଦ୍ଧି ହୋଇଥିଲା ସହଜରେ ଅନୁମିତ ହୋଇ ପାରେ । କର ସାହେବ ଓ ଅନ୍ୟାନ୍ୟ ସାହେବମାନେ ପ୍ରଚଳିତ ରୀତିର ଅନିଷ୍ଟକାରିତା ଦେଖାଇ ବୋର୍ଡକୁ ପଢ଼ ଲେଖିଥିଲେ ଓ ଅବଶେଷରେ କିଛିକାଳ ଉତ୍ତାରୁ କଲିକତାରେ ନିଲାମ ହେବା ପ୍ରଥା ପରିବର୍ତ୍ତିତ ହୋଇଥିଲା ।

ଦଶପଲା, କେନ୍ଦୁଝର, ନୟାଗଡ଼, ନରସିଂହପୁର, ତିଗିରିଆ ଓ ହନ୍ଦୋଳ ଏହି ଗଡ଼ଜାତମାନଙ୍କରୁ ନିୟମିତରୂପେ ରାଜସ୍ୱ ଆଦାୟ ହୋଇ ନ ଥିବାରୁ, ଏମାନ ନିଲାମ ହୋଇ ରାଜାମାନଙ୍କୁ ଭୟ ଦର୍ଶାଇବା ସକାଶେ ଗବର୍ଣ୍ଣମେଣ୍ଟଙ୍କଦ୍ୱାରା କ୍ରୀତ ହୋଇଥିଲା । ତଦନନ୍ତର ରାଜାଙ୍କ ଦେବାନମାନେ କଟକକୁ ଆସି କମିଶନରଙ୍କୁ ସ୍ତୁତି ବିନତି କରି ପେସ୍କସ୍‌ ପଟାଇ ସବୁ ବିଷୟ ମୀମାଂସା କରିଥିଲେ । ତଦନନ୍ତର ନିଲାମମାନ ରହିତ ହୋଇଥିଲା ( ୧୮୧୮ ) ।

ଓଡ଼ିଶାକୁ ଖ୍ରୀଷ୍ଟୀୟାନ ମିଶନରିଙ୍କ ଆଗମନ- ୧୮୨୨ ଖ୍ରୀଷ୍ଟାବ୍ଦର ଫେବ୍ରୁଆରୀ ମାସ ୧୨ ତାରିଖରେ ଖ୍ରୀଷ୍ଟୀୟାନ ମିଶନରିମାନେ ବିଲାତରୁ ଆସି ପ୍ରଥମ ଓଡ଼ିଶା କୂଳରେ ଜାହାଜ ଲଙ୍ଗର କଲେ । ରେଭରେଣ୍ଡ କ୍ୟାମ୍ପବୋନ୍ ସାହେବ ପ୍ରଥମ ଧର୍ମପ୍ରଚାରାର୍ଥ ଓଡିଶାକୁ ଆସିଥିଲେ । ତଦନନ୍ତର ୨ ବର୍ଷ ଉତ୍ତାରୁ ସୁପ୍ରସିଦ୍ଧ ପାଦ୍ରୀ ଲେସୀ ଓଡ଼ିଶାକୁ ଆଗମନ କଲେ । ପାଦ୍ରିମାନଙ୍କଦ୍ୱାରା ଓଡିଶାର କେତେକ ଉପକାର ହୋଇଅଛି । ସେମାନେ ପ୍ରଥମ ଓଡ଼ିଶାକୁ ମୁଦ୍ରାଯନ୍ତ୍ର ଆଣି ଉତ୍କଳ ଅକ୍ଷର ଖୋଳାଇ ଦେଶରେ ଛାପା ପୁସ୍ତକର ପ୍ରଚାର କରାଇଅଛନ୍ତି ।