ପୃଷ୍ଠା:Odishara Itihas.pdf/୧୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫୪
ଓଡ଼ିଶା ଇତିହାସ ।

ଜାହାଜମାନ କଉଡ଼ି, ନାରିକେଳ, ପୋହୋଳା, ଶୁଖୁଆ ଓଡିଶା ଉପକୂଳକୁ ଆଣି, ଓଡ଼ିଶାରୁ ଚାଉଳ ଓ ହାଣ୍ଡିମାନ ବହି ନେଇ ଯାଉଥିଲା । ବାଲେଶ୍ୱରବାସିମାନେ ଏକପ୍ରକାର ସୁଲୁପ ନିର୍ମାଣ କରି ସେସବୁକୁ ସମୁଦ୍ରରେ ଚଳାଉ ଥିଲେ; ସେଥିଦ୍ୱାରା କଲିକତାଠାରୁ ମାନ୍ଦ୍ରାଜ ପର୍ଯ୍ୟନ୍ତ ବାଣିଜ୍ୟ ଚଳୁଥିଲା । କନିକାରାଜା କଲିକତା ସଙ୍ଗେ ଚାଉଳ ଗାଇ ଇତ୍ୟାଦିର କାରବାର ଚଳାଉଥିଲେ । ମଧ୍ୟରେ ବ୍ୟବସାୟ କିଛି ଊଣା ପଡ଼ିଥିଲା । ବର୍ତ୍ତମାନ ଓଡିଶା ତିନିଜିଲାମାନଙ୍କରେ ବନ୍ଦରମାନ ଫିଟି ଚାଉଳ, ରାଶି, ଜଡ଼ା, ସୋରିଷ, କାଠ, ଝୁଣା, ଲାଖ, ଚର୍ମ୍ମ, ଶିଙ୍ଗ ପ୍ରଭୃତିର ବାଣିଜ୍ୟ ବଢ଼ୁଅଛି ।

ସାଧାରଣ କାର୍ଯ୍ୟ—ସାଧାରଣ କାର୍ଯ୍ୟରେ ଇଂରାଜମାନେ ବ୍ୟୟ କରିବାକୁ କୁଣ୍ଠିତ ନୁହନ୍ତି । ସୁପ୍ରଶସ୍ତ ଜଗନ୍ନାଥବର୍ତ୍ସ ଜଣେ ବଙ୍ଗଦେଶୀୟ ଧନୀ ବ୍ୟକ୍ତିର ସାହାଯ୍ୟରେ ଏବଂ ଇଂରାଜୀ ପରିମିତିଶାସ୍ତ୍ରର ସହାୟତାରେ ନିର୍ମିତ ହୋଇଅଛି । ଏ ଛଡ଼ା ମାନ୍ଦ୍ରାଜ, ସମ୍ବଲପୁର, ତାଳଦଣ୍ଡା, କେନ୍ଦ୍ରାପଡ଼ା ଓ ଅନ୍ୟାନ୍ୟ ଅନେକ ବର୍ମ୍ମମାନ ଦେଶମଧ୍ୟରେ ଇଂରାଜମାନେ ପ୍ରସ୍ତୁତ କରିଅଛନ୍ତି । ଓଡିଶାର ନଦୀମାନ ଉଛୁଳି ଅନେକ ଶସ୍ୟ ନିଷ୍ଟ କରି ରାଜସ୍ୱ ଛାଡ଼ ଦେବାକୁ ଗବର୍ଣ୍ଣମେଣ୍ଟଙ୍କୁ ବାଧ୍ୟ କରୁଥିବାରୁ ଗବର୍ଣ୍ଣମେଣ୍ଟ ବ‌ହୁବ୍ୟୟ ସ୍ୱୀକାର କରି ଓଡ଼ିଶା ନଦୀଚୟର କୂଳେ କୂଳେ ବନ୍ଧମାନ ତୋଳିଅଛନ୍ତି । ବର୍ତ୍ତମାନ ନାଳ ଖୋଳାଇ ଇଂରାଜଙ୍କର କିପରି ସୁପ୍ରଶସ୍ତ ସାଧାରଣକାର୍ଯ୍ୟ ତାହା ସମସ୍ତଙ୍କୁ ଗୋଚର ଅଛି । ଏ ଛଡା ଉତ୍ତମ ଉତ୍ତମ କଚେରୀଘରମାନ, ପୋଲ ଓ ପାଣିଯିବା ନାଳମାନ ଇଂରାଜମାନେ ପ୍ରସ୍ତୁତ କରିଅଛନ୍ତି । ଇଂରାଜ ଗବର୍ଣ୍ଣମେଣ୍ଟଙ୍କର ଏ ସମସ୍ତ ସାଧାରଣକାର୍ଯ୍ୟକୁ ଅମ୍ଭେମାନେ ଯେମନ୍ତ ପ୍ରଶଂସା କରୁଁ ସେହିପର ସେସବୁ କାର୍ଯ୍ୟମାନ ଚଳାଇବା ସକାଶେ ଦୁଃଖୀ ଭାରତବାସିଙ୍କ ଅର୍ଥର ଯଥେଚ୍ଛା ଅପବ୍ୟୟ କରିବା ବିଷୟକୁ ମଧ୍ୟ ଅତ୍ୟନ୍ତ ଦୂଷଣୀୟ ଓ ଗର୍ହିତ ବୋଲି ବିବେଚନା କରୁଁ । ପୁନଶ୍ଚ ଏହି ସାଧାରଣକାର୍ଯ୍ୟ ମଧ୍ୟରୁ କେତେକ କାର୍ଯ୍ୟ ସକାଶେ ଏ ଦେଶମାନଙ୍କରୁ ବର୍ତ୍ତମାନ ଯେଉଁ କର ଗୃହୀତ ହେବାର ବିଧି ହୋଇଅଛି, ସେଥିଦ୍ୱାରା ଦୁଃଖିଲୋକଙ୍କ ଚକ୍ଷୁରୁ ପ୍ରତ୍ୟହ ଯେଉଁ ଅଶ୍ରୁବାରି ବହିର୍ଗତ ହେଉଅଛି, ଦରିଦ୍ରଙ୍କ ହୃଦୟରୁ ଯେଉଁ ହା ହା ଧ୍ୱନି ଉଠୁଅଛି, ସେସମସ୍ତ ଚିନ୍ତା କଲେ ଉକ୍ତ ସାଧାରଣ କାର୍ଯ୍ୟଳୟର ମାହାତ୍ମ୍ୟ ଏକାବେଳକେ ଲୋପମାନ ହୁଅଇ । ଏଦେଶର ଦରିଦ୍ର ଅବସ୍ଥାକୁ ବିବେଚନା କରି ସାଧାରଣ ଭାରତୀୟକୋଷରୁ ଯେପରି ପୂର୍ବେ ହେଉଥିଲା


ପଥକର ଆଇନ, ପ୍ରଦେଶୀୟକର ଆଇନ, ଇତ୍ୟାଦି ଇତ୍ୟାଦି ।