ପୃଷ୍ଠା:Odishara Itihas.pdf/୧୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫୮
ଓଡ଼ିଶା ଇତିହାସ ।


ସେମାନଙ୍କ ଶାସନପ୍ରଣାଳୀରେ ଭାଗୀ କରୁନାହାନ୍ତି । ମୁସଲମାନ ଓ ମରହଟ୍ଟାମାନେ ଅନ୍ୟ ପ୍ରକାରେ ଅତ୍ୟାଚାର କରୁଥିଲେ ସୁଦ୍ଧା ଦେଶୀୟଲୋକଙ୍କୁ ଶାସନରେ ଭାଗ ଦେଇଥିଲେ । ଦେଶୀୟଲୋକଙ୍କୁ ବୃହତ୍ ବୃହତ୍ ଅଞ୍ଚଳରେ ଶାସନକର୍ତ୍ତା, ମଧ୍ୟ ସୈନ୍ୟମାନଙ୍କର ଅଧିନାୟକତ୍ୱରେ ବରଣ କରୁଥିଲେ । ତଥାପି ସମଗ୍ରଭାବରେ ଆଲୋଚନା କଲେ ଇଂରାଜ ରାଜନୀତି ଆମ୍ଭମାନଙ୍କ ପକ୍ଷରେ ହିତାବହ ଅଟଇ, ଏ କଥା ଆମ୍ଭେମାନେ କଦାପି ଅସ୍ୱୀକାର କରି ନ ପାରୁଁ । ବର୍ତ୍ତମାନ୍ ଇଂରାଜଙ୍କ ଶାସନରେ ଓଡ଼ିଶାବାସିଏ ଉନ୍ନତି ଓ ସଭ୍ୟତାଦିଗକୁ ଗତିବିସ୍ତାର କରୁଅଛନ୍ତି । ଜାତୀୟ ସାହିତ୍ୟର ଗଠନ ପୁନରାୟ ଆରମ୍ଭ ହୋଇଅଛି । ବିଦ୍ୟାଲୋଚନା ଓ ଜ୍ଞାନଚର୍ଚ୍ଚା ଦିନକୁ ଦିନ ବୃଦ୍ଧିକି ପ୍ରାପ୍ତ ହୋଇଅଛି । ଅରଣ୍ୟନିବାସୀ କନ୍ଦ, କୋଲ, ସାନ୍ତାଳମାନଙ୍କର ମଧ୍ୟ ବିଦ୍ୟା ଓ ଜ୍ଞାନ‌ଚର୍ଚ୍ଚାର ସୂତ୍ରପାତ ହୋଇଅଛି । ପାତୁଆମାନେ ସୁଦ୍ଧା ଅଳ୍ପଦିନ ହେଲା ଲୁଗା ପିନ୍ଧିଲେଣି । କି ଶିକ୍ଷିତ କି ଅଶିକ୍ଷିତ ଦୁଇ ସମ୍ପ୍ରଦାୟ ମଧ୍ୟରେ ବର୍ତ୍ତମାନ୍ ବିଶୁଦ୍ଧତର ଧର୍ମର ଆଲୋଚନା ଆରବ୍ଧ ହୋଇଅଛି । ଗୋଟିଏ ଗୋଟିଏ ଦୁର୍ଘଟନାରୁ ବିଶେଷ ବିଶେଷ ମଙ୍ଗଳମୟ ଫଳ ଜାତ ହୁଅଇ । ୬୬ ମସିହାର ଦୁର୍ଭିକ୍ଷ ଉତ୍ତାରୁ ଲୋକେ ଆପଣା ଆପଣା ଇଷ୍ଟ ଅନିଷ୍ଟ ପ୍ରତି ମଧ୍ୟ ଜାଗ୍ରତ ହୋଇଅଛନ୍ତି । ମୁଦ୍ରାଯନ୍ତ୍ରମାନ ସ୍ଥାପିତ ହୋଇଅଛି । ସମ୍ବାଦପତ୍ରମାନ ପ୍ରକାଶିତ ହୋଇ ଓ ସଭାମାନ ସ୍ଥାପିତ ହୋଇ କି ରାଜନୀତି କି ସମାଜିକ କି ଧର୍ମନୀତି ସବୁ ବିଷୟମାନଙ୍କର ଆଲେଚନା ହେଉଅଛି । ସେ ସବୁଦ୍ୱାରା ରୁଚି ମଧ୍ୟ ଦିନକୁ ଦିନ ପରିମାର୍ଜିତ ହେଉଅଛି । ଲୋକେ ଅର୍ଥସଞ୍ଚୟ ଓ ଧନବୃଦ୍ଧ ପ୍ରତି ସୁତରାଂ କୃଷି ଓ ବାଣିଜ୍ୟ ପ୍ରତି, ଅଧିକ ଦୃଷ୍ଟି ନିକ୍ଷେପ କରିଅଛନ୍ତି । ଏ ସମସ୍ତ ଶୁଭଲକ୍ଷଣ । ସଂକ୍ଷେପତଃ ଚାରିଆଡ଼କୁ ଅନାଇଲେ ବର୍ତ୍ତମାନ୍ କେବଳ ଆଶାର ଚିହ୍ନ ଦେଖାଯାଏ । ଆମ୍ଭମାନଙ୍କର ଯେ ଉନ୍ନତି ହେବ, ଏବଂ ଏହି ପ୍ରକାରେ ବଙ୍ଗ, ପଞ୍ଜାବ, ବମ୍ବେ, ମାନ୍ଦ୍ରାଜ ପ୍ରଭୃତିର ଯେ ଉନ୍ନତି ହେବ ଓ ସମସ୍ତ ଭାରତବାସିଏ ଏକଜାତିତ୍ୱ ଲାଭ କରିବେ ଏହା ସ୍ୱପ୍ନର କଥା ନୁହେ । ଈଶ୍ୱରଙ୍କ କୃପା ହେଲେ ଅମ୍ଭମାନଙ୍କର ଉନ୍ନତ ଆର୍ଯ୍ୟଭ୍ରାତା ଇଂରାଜଙ୍କ ସାହାଯ୍ୟରେ ଆମ୍ଭମାନଙ୍କ ଦେଶର ମୁଖଶ୍ରୀ ସମୁଜ୍ଜଳ ହେବ । ଉନ୍ନତିର ପରାକାଷ୍ଠାରେ ଭାରତବାସିଏ ଉପସ୍ଥିତ ହେବେ ଏବଂ କରୁଣାମୟ ପରମେଶ୍ୱରଙ୍କ ମଙ୍ଗଳମୟୀ ଇଚ୍ଛା ପୂର୍ଣ୍ଣ ହେବ ।

ସମ୍ପୂର୍ଣ୍ଣ


Printed by V. Kar. The Utkal Sahitya Press, Cuitach.