ପୃଷ୍ଠା:Odishara Itihas.pdf/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଓଡିଶାର ଇତିହାସ ।
ପ୍ରଥମ ଅଧ୍ୟାୟ ।
ଓଡିଶାର ଭୂଗୋଳ ।

ସୀମା ଓ ଅବସ୍ଥାନ - ଏକ ସମୟରେ ଓଡିଶାର ସୀମା ଉତ୍ତରରେ କାଁଶବାଁଶନଦୀଠାରୁ ଦକ୍ଷିଣରେ ଋଷିକୁଲ୍ୟା ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସମାୟାନ୍ତରରେ ଏହା ବର୍ଦ୍ଧିତ ହୋଇ ଉତ୍ତରରେ ହୁଗୁଳୀନଦୀ, ଦକ୍ଷିଣରେ ଗୋଦାବରୀନ‌ଦୀ ଓ କର୍ଣ୍ଣାଟଦେଶ, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ କଳାହାଣ୍ଡି-ବସ୍ତର ମଧ୍ୟରେ ନିର୍ଦ୍ଦିଷ୍ଟ ହୋଇଥିଲା । ବର୍ତ୍ତମାନ ଉତ୍ତରରେ ମେଦିନୀପୁରଜିଲା ଓ ଢ଼ାଲଭୂମ, ଦକ୍ଷିଣରେ ଗଞ୍ଜାମ, ଘୁମୁଷର ଓ ଖିମିଡ଼ୀ ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ସମ୍ବଲପୁରର ଅନ୍ତର୍ଗତ ପାଟଣା, ସୁନପୁର, ରେଢ଼ାଖୋଲ, ବାମଡ଼ା, ବଣେଇ, ସାରଣ୍ଡା ଏବଂ ସିଂହଭୂମ ଓଡ଼ିଶାର ସୀମା ଚିହ୍ନିତ କରୁଅଛି । ବଙ୍ଗଳା ଲେଫ୍ଟନାଣ୍ଟ ଗବର୍ଣ୍ଣରଙ୍କର ଅଧୀନସ୍ଥ ଜଣେ କମିଶନରଙ୍କଦ୍ୱାରା ଏ ପ୍ରଦେଶ ଅଧୁନା ଶାସିତ ହେଉଅଛି । ମାନ୍ଦ୍ରାଜ ଓ ସମ୍ବଲପୁର ସୁଦ୍ଧା ଓଡିୟାଭାଷା କଥିତ ଦେଶ, ମାତ୍ର ଗଞ୍ଜାମ ମାନ୍ଦ୍ରାଜ ପ୍ରେସିଡେନ୍‌ସି ଓ ସମ୍ବଲପୁର ମଧ୍ୟପ୍ରଦେଶର ଅନ୍ତର୍ଭୂତ ହୋଇଅଛି । ଇତିହାସର ସ୍ଥଳେ ସ୍ଥଳେ ଏ ଦୁଇ ସ୍ଥାନର ବିବରଣ ଉଲ୍ଲିଖିତ ହେବ ବୋଲି ଏହି ଦୁଇ ଜିଲାର ଏଠାରେ ଆମ୍ଭେମାନେ ନାମୋଲ୍ଲେଖ କଲୁଁ । ଯାହାହେଉ ଗଡ଼ଜାତକୁ ଘେନି ଅଧୂନା ଯାହା ପ୍ରକୃତ ଓଡ଼ିଶା ନାମରେ ପରିଚିତ, ସେହି ଦେଶଖଣ୍ଡ ନିରକ୍ଷାନ୍ତର ୧୯°୨୦' ଉତ୍ତର ଓ ୨୨°୨୯' ଉତ୍ତର ମଧ୍ୟରେ ଏବଂ ଦ୍ରାଘିମାନ୍ତର ୮୩° ୪୧' ପୂର୍ବ ଓ ୮୬° ୫୫' ପୂର୍ବ ମଧ୍ୟରେ ଅବସ୍ଥିତ । ଉତ୍ତରଦକ୍ଷିଣରେ ଏହା ପ୍ରାୟ ୪୦୦ ମାଇଲ ବିସ୍ତୃତ ଓ ପୂର୍ବପଶ୍ଚିମରେ ଏଥିର ଦୀର୍ଘତମ ବିସ୍ତୃତି ପ୍ରାୟ ୨୦୦ ମାଇଲ ହେବ ।
ପରିମାଣଫଳ ଓ ଲୋକସଂଖ୍ୟା - ଓଡ଼ିଶାର ପରମାଣଫଳ ୨୪୦୦୦ ମାଇଲ । ଏଥିମଧ୍ୟରୁ ମୋଗଲବନ୍ଦୀର ୮୦୦୦ ଓ ଗଡ଼ଜାତର ୧୬୦୦୦ ମାଇଲ ପରମାଣଫଳ ଅଟଇ । ଏ ପ୍ରଦେଶର ଲୋକସଂଖ୍ୟା ୪୫ ଲକ୍ଷ; ସେଥି ମଧ୍ୟରୁ ୩୦ ଲକ୍ଷ ମୋଗଲବନ୍ଦୀର ଓ ୧୫ ଲକ୍ଷ ଗଡ଼ଜାତର ଅଧିବାସୀ ।