ପୃଷ୍ଠା:Odishara Itihas.pdf/୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଓଡ଼ିଶାର ଇତିହାସ

ଓଡ଼ିଶାର ପ୍ରଧାନ ବନ୍ଦରମାନଙ୍କ ମଧ୍ୟରେ ପରିଗଣିତ । ବାଲେଶ୍ୱରବାସିମାନେ ବିଶେଷ ବ୍ୟବସାୟଶୀଳ । ଅଦ୍ୟାପି ଏଠାରେ ଜାହାଜ ଘେନି ବ୍ୟବସାୟ କରୁଥିବା ଭଳି ଲୋକେ ବାସ କରନ୍ତି । ବାଲେଶ୍ୱର ଓ ତନ୍ନିକଟବର୍ତ୍ତୀ ସ୍ଥାନମାନଙ୍କର ଅନେକ ଅଧିବାସିଏ ଆଜିପର୍ଯ୍ୟନ୍ତ ଏକପ୍ରକାର ପୋତ ନିର୍ମାଣ କରି ଆପେ ଆପେ ସେହି ପୋତମାନ ଚଳାଇ ମାନ୍ଦ୍ରାଜ ପର୍ଯ୍ୟନ୍ତ ପ୍ରାୟ ବ୍ୟବସାୟ କରନ୍ତି । ଆଜିକାଲି ବାଲେଶ୍ୱରଠାରେ ଉତ୍ତମ ବାସନମାନ ନିର୍ମିତ ହୁଅଇ । ଧାନ ଚାଉଳ ବିଶେଷ ପରିମାଣରେ ବିଦେଶକୁ ରପ୍ତାନୀ ହୁଅଇ । ପୂର୍ବେ ଯେଉଁ ସୂକ୍ଷ୍ମବସ୍ତ୍ର ସକାଶେ ବାଲେଶ୍ୱର ପ୍ରସିଦ୍ଧ ଥିଲା ଓ ଯାହା ଲଭିବାପାଇଁ ଇଉରୋପୀୟ ବଣିକମାନେ ପଲ ପଲ ହୋଇ ଆସୁଥିଲେ, ବର୍ତ୍ତମାନ ସେହି ସୃଷ୍ମବସ୍ତ୍ରର ତନ୍ତ ଲୁପ୍ତପ୍ରାୟ ହୋଇଅଛି । ଆଜିକାଲି ଏଠାରେ ସୃଷ୍ମବସ୍ତ୍ରବୁଣିବା ତନ୍ତିଙ୍କର ସଂଖ୍ୟା ନିତାନ୍ତ ଅଳ୍ପ; ଆନୂମାନିକ ୨୦୦ କି କିଛି ଅଧିକ ହେବ । ଉତ୍ସାହପୋଷକତା ଓ ସହାୟତା ଅଭାବରୁ ସେମାନେ ହୀନବଳ ହୋଇ ପଡ଼ିଅଛନ୍ତି । ବାଲେଶ୍ୱରର ଜଳବାୟୁ କିଞ୍ଚିତ୍ ଲବଣାକ୍ତ ଓ ଅଧିବାସୀ ସଂଖ୍ୟା ୧୮ ସହସ୍ର । ଏଠାରେ ଜଣେ କଲେକ୍ଟର ଅଛନ୍ତି ।

ଯାଜପୁର ( ଯଜନ-ପୁର) କେଶରୀବଂଶୀୟ ରାଜଶ୍ରେଣୀର ଆଦିରାଜା ଯଯାତିକେଶରୀଙ୍କଦ୍ୱାରା ନିର୍ମିତ ହୋଇଥିଲା, ସେସମୟରେ ଏହ ନଗରର ସୀମା ଅତି ବିସ୍ତୃତ ଥିବାର ଜଣାଯାଏ । ବର୍ତ୍ତମାନ ସୁଦ୍ଧା ଯାଜପୁର ନଗର ଯେଉଁ ସୀମାରେ ଆବଦ୍ଧ ହୋଇଅଛି ତାହା ନିତାନ୍ତ ଅଳ୍ପ ନୂହେ । ବୈତରଣୀନଦୀ ତୀରରେ ଏ ନଗର ଅବସ୍ଥିତ ହୋଇଅଛି । ବହୁକାଳ ଯାଜପୁର ଓଡ଼ିଶା ସ୍ୱାଧୀନରାଜାଙ୍କର ଏକ ରାଜଧାନୀ ଥିଲା । କଳାପାହାଡ଼ ଏହିଠାରେ ଓଡ଼ିଶାର ଶେଷ ସ୍ୱାଧୀନରାଜା ମୁକୁନ୍ଦଦେବଙ୍କୁ ପରାଜୟ କରିଥିଲା । ତଦନନ୍ତର ମୁସଲମାନ ଓ ମରହଟ୍ଟା କର୍ମଚାରୀ ଜଣେ ଜଣେ ପ୍ରାୟ ସେ ନଗରରେ ଅବସ୍ଥିତ କରୁଥିଲେ । ମୁସଲମାନ ଓ ମରହଟ୍ଟା କର୍ମଚାରିଙ୍କର ମଧ୍ୟ ପୂର୍ବ ସ୍ୱାଧୀନରାଜାଙ୍କର ରାଜପ୍ରାସାଦ ଓ ଅଟ୍ଟାଳିକାଚୟର ଭଗ୍ନାବଶେଷ ନଗରର କୌଣସି କୌଣସି ସ୍ଥାନରେ ଅଦ୍ୟାପି ଦୃଷ୍ଟିଗୋଚର ହୁଅଇ । ଆବୁହସେରଖାଁଙ୍କ ନିର୍ମିତ ଗୋଟିଏ ମସଜିଦ୍ ଏହି ନଗରରେ ବିଦ୍ୟମାନ ଅଛି । ଇଂରାଜଙ୍କର ଏକ ସବ୍‌ଡ଼ିବଜନ କଚେରୀ ଏହିଠାରେ ବର୍ତ୍ତମାନ ସ୍ଥାପିତ ରହିଅଛି । ହିନ୍ଦୁମାନେ ଯାଜପୁରକୁ ପାର୍ବତୀକ୍ଷେତ୍ର ବୋଲି କହନ୍ତି । ଏଠାରେ ବିରଜାଙ୍କର ଏକ ଦେଉଳ ଅଛି । ସେ ଦେଉଳ ଅତି ପ୍ରାଚୀନକାଳର ନୂହେ କିନ୍ତୁ ସେଥି ମଧ୍ୟରେ ପ୍ରତିଷ୍ଠିତ ଠାକୁରାଣୀ ଅତି ପୂର୍ବକାଳର ପ୍ରସିଦ୍ଧ ଦେବତା ବୋଲି ଲୋକେ ବିଶ୍ୱାସ କରନ୍ତି । ରାଜା ପ୍ରତାପରୁଦ୍ରଙ୍କ ନିର୍ମିତ ବରାହନାଥଙ୍କ