ପୃଷ୍ଠା:Odishara Itihas.pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଓଡ଼ିଶାର ଇତହାସ

ବୈଦ୍ୟେଶ୍ୱର, ଚର୍ଚ୍ଚିକା ପ୍ରଭୃତି ଗୋଟିକେତେ ଗଡ଼ଜାତୀ ପେଣ୍ଠ ମଧ୍ୟ ମହାନଦୀକୂଳରେ ସ୍ଥିତ ହୋଇଅଛି । ମହାନଦୀ ମୁହାଣଠାରେ ନାବ୍ୟ । ନରାଜ ଓ ଯୋବ୍ରାଠାରେ ଯୋଡ଼ିଏ ପଥରବନ୍ଧ ପଡି ଓ ଗୋଟିକେତେ ନାଳ କଟାହୋଇ ବର୍ତ୍ତମାନ କଟକ ଓ ନରାଜ ପର୍ଯ୍ୟନ୍ତ ବଡ଼ ବଡ଼ ନୌକା ଓ କ୍ଷୁଦ୍ର କ୍ଷୁଦ୍ର, ଧୂଆଁକଳମାନ ଯାତାୟାତ କରୁଅଛି । କଟକଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଦେଶୀୟ ନୌକା ସଚରାଚର ଯାତାୟାତ କରଇ । ପୂର୍ବେ ମହାନଦୀ ଓ କାଠଯୋଡ଼ୀ ଶଯ୍ୟା ଆଜିକାଲ ପରି ବିସ୍ତୃତ ନ ଥଲା । ବର୍ଷକୁ ବର୍ଷ ନଈକୂଳମାନ ଅତଡ଼ା ଖାଇ ଶଯ୍ୟା ବିସ୍ତାରିତ ହେଉଅଛି ।

ବ୍ରାହ୍ମଣୀନଦୀ ଛୋଟନାଗପୁର ପ୍ରଦେଶରୁ ବହିର୍ଗତ ହୋଇ ତାଳଚେରର ଉତ୍ତରପୂର୍ବ ସୀମାରେ ଗଡ଼ଜାତ ସ୍ପର୍ଶକରି, ସାମକୋଈ, ନିଗ୍ରା ପ୍ରଭୃତି ଗୋଟିକେତେ ଉପନଦୀଦ୍ୱାରା ପୁଷ୍ଟକଳେବର ହୋଇ ସୁକିନ୍ଦା ଓ ବଳରାମପୁର ଗଡ଼ଠାରେ ମୋଗଲବନ୍ଦୀ ମଧ୍ୟକୁ ପ୍ରବେଶ କରିଅଛି । ଏଥୁରୁ ଖରସୁଆଁ ଓ କିହ୍ୱିରିଆ ନାମକ ଯୋଡ଼ିଏ ଶାଖାନଦୀ ବାହାରି ପୁଣି ଏଥି ସଙ୍ଗେ ମିଳିତ ହୋଇଅଛି । ବିରୁପା ମହାନଦୀରୁ ବାହାରି ଓ ବୁଢ଼ା ବୈତରଣୀରୁ ବାହାରି ଏଥି ସଙ୍ଗେ ମିଳିଅଛି । ବ୍ରାହ୍ମଣୀରୁ ମାଇପଡ଼ା ନାମକ ଗୋଟିଏ ଶାଖା ବାହାରି ସାଗରରେ ପଡିଅଛି । ଆଉ ଗୋଟିଏ ଶାଖା ଗୋବରୀନଦୀ ସଙ୍ଗେ ମିଳିତ ହୋଇ ଗଣ୍ଡାଖିଆ ନାମ ଘେନି ଯମ୍ବୁନ‌ଦୀ ସଙ୍ଗେ ମିଶିଅଛି । ଅବଶେଷରେ ବ୍ରାହ୍ମଣୀ ବୈତରଣୀ ସଙ୍ଗେ ସମ୍ମିଳିତ ହୋଇ ସାଗରରେ ପତିତ ହୋଇଅଛି; ଏହି ସମ୍ମିଳିତ ନଦୀର ନାମ ଧାମରା, ଏହ ଧାମରା ସୁନ୍ଦର ନାବ୍ୟ ଅଟେ । ପ୍ରତି ସପ୍ତାହରେ ବଡ଼ ବଡ଼ ଜାହାଜମାନ ଏଥି ମଧ୍ୟକୁ ଯାତାୟାତ କରୁଅଛି । ଧାମରାନାମକ ଏକ ବନ୍ଦର ଏହି ଧାମରା ନଦୀର ଉତ୍ତର ତୀରରେ ଅବସ୍ଥିତ । ପଟାମୁଣ୍ଡେଇ ଓ ଧର୍ମଶାଳା ବ୍ରାହ୍ମଣୀ ତୀରରେ ସ୍ଥିତ ହୋଇଅଛି । ତାଳଚେରଗଡ଼ ବ୍ରାହ୍ମଣୀ ନଦୀ ଉପରେ ଓ ଢେଙ୍କାନାଳ ପ୍ରାୟ ଚାରି କ୍ରୋଶ ଅନ୍ତରରେ ଅବସ୍ଥିତ ।

ବୈତରଣୀ ଓଡ଼ିଶାର ଏକ ପୁଣ୍ୟ ପୟସ୍ୱିନୀ ଅଟଇ । କେନ୍ଦୁଝରର ପୂର୍ବଦିଗସ୍ଥିତ ଗନ୍ଧମାଦନ ପର୍ବତ ନିକଟରୁ ଉତ୍ଥିତ ହୋଇଅଛି । ଓରାଡ଼ିଆ, କଇରୋ, କଞ୍ଜୋର ପ୍ରଭୃତି ଗୋଟିକେତେ ଉପନଦୀଦ୍ୱାରା ପୁଷ୍ଟକାୟ ହୋଇ କଟକ ଜିଲ୍ଲାକୁ ବାଲେଶ୍ୱର ଜିଲ୍ଲାରୁ ବିଭକ୍ତ କରିବା ସକାଶେ ବାଲିପୁର ଗ୍ରାମଠାରେ ବୈତରଣୀ ମୋଗଲବନ୍ଦୀରେ ପ୍ରଥମ ଉଦିତ ହୋଇଅଛି । ବୁଢ଼ାନଦୀ ଏହାର ଏକମାତ୍ର ଶାଖା । ସାଳନ୍ଦୀନଦୀ ବୈତରଣୀ ସଙ୍ଗେ ମିଳିତ ହୋଇଅଛି । ଅବଶେଷରେ ବୈତରଣୀ ବ୍ରାହ୍ମଣୀ ସଙ୍ଗେ ମିଳିତ ହୋଇ ସମୁଦ୍ର ଦିଗକୁ ବହିଯାଉଅଛି । ବୈତରଣୀ ଦୁଇ ପାହାଡ଼ ଗହ୍ୱର ମଧ୍ୟରୁ ବାହାରିଅଛି ବୋଲି ଲେକେ ଏହାକୁ ଗୋମୁଖୀ