ପୃଷ୍ଠା:Odishara Itihas.pdf/୩୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨
ଓଡ଼ିଶାର ଇତିହାସ ।

ଓଡିଶା ପାହାଡମାନଙ୍କରେ ମାକଡ଼ା, ବନ୍ଧା, ଅକର୍ମଶିଳା, ବଉଳମାଳା, ଖଡି, ମୂଗନୀ ପ୍ରଭୃତି ଭିନ୍ନ ଭିନ୍ନ ପ୍ରକାର ପ୍ରସ୍ତର ଦେଖାଯାଏ ।

ଓଡ଼ିଶାର ଗଡଜାତମାନଙ୍କରେ ପାହାଡ଼ପର୍ବତ ଅନେକ ଅଛି । ଗଡଜାତ ମାନ‌ଚିତ୍ର ପ୍ରତି ଦୃଷ୍ଟିପାତ କଲେ ସମସ୍ତ ରାଜ୍ୟ ପ୍ରାୟ ପର୍ବତମୟ ଦୁଷ୍ଟ ହୁଏ । ବିଶେଷତଃ ମୟୁରଭଞ୍ଜର ଉତ୍ତର-ପଶ୍ଚିମରୁ ଦକ୍ଷିଣ-ପୂର୍ବ କୋଣ ପର୍ଯ୍ୟନ୍ତ, କେନ୍ଦୁଝର ଦକ୍ଷିଣ ଓ ପୂର୍ବାଂଶ, ପାଳଲହଡ଼ା, ନୀଳଗିରିର ପୂର୍ବାଂଶ, ତାଳଚେର ଓ ଢେଙ୍କାନାଳର ମଧ୍ୟସ୍ଥଳୀ, ଆଠଗଡ଼ର ଉତ୍ତରାଂଶ ଓ ତାଳଚେର, ଢେଙ୍କାନାଳ, ଆଠଗଡ ଏହି ତିନି ଗଡ଼ଜାତର ଦକ୍ଷିଣଭାଗସ୍ଥିତ ସମସ୍ତ ଗଡ଼ଜାତ, ଶସ୍ୟାବୃତ ଧାନ୍ୟକ୍ଷେତ୍ରର ନ୍ୟାୟ ପର୍ବତାକୀର୍ଣ୍ଣ । ସେ ସ୍ଥଳମାନଙ୍କରେ ମନୁଷ୍ୟର ବାସୋପଯୋଗୀ ସମତଳଭୂମି ଅଛି ବୋଲି ସ୍ଥୂଳଚକ୍ଷୁ ନିର୍ଦ୍ଧାରଣ କରି ପାରଇ ନାହିଁ । ଗଡ଼ଜାତ ପ୍ରଧାନ ପ୍ରଧାନ ପାହାଡ଼ମାନଙ୍କର ନାମ ଓ ଉଚ୍ଚତା ନିମ୍ନରେ ପ୍ରକଟିତ ହେଉଅଛି ।

ପାହାଡ଼ର ନାମ । କେଉଁଠାରେ ଅବସ୍ଥିତ । ଉଚ୍ଚତା ।
ମେଘାସନୀ ମୟୁରଭଞ୍ଜ ୩୮୨୪ ଫୁଟ
ଆମଜୋବୀ ମୟୁରଭଞ୍ଜ ୩୫୧୩ ଫୁଟ
ଠାକୁରାଣୀ କେନ୍ଦୁଝର ୩୦୦୩ ଫୁଟ
ଗନ୍ଧମାଦନ କେନ୍ଦୁଝର ୩୪୭୯ ଫୁଟ
ମଳୟଗିରି ପାଳଲହଡ଼ା ୩୮୯୫ ଫୁଟ
କପିଳାସ ଢେଙ୍କାନାଳ ୨୦୯୮ ଫୁଟ
ପଞ୍ଚଧାର ଅନୁଗୂଳ ୨୯୦୮ ଫୁଟ


ମୋଗଲବନ୍ଦୀରେ ପାହାଡ଼ପର୍ବତ ଦୃଷ୍ଟ ହୁଅଇ ନାହିଁ । ଗୋଟାକେତେ ଯାହା ଦେଖାଯାଏ ସେ ସବୁ ମୁଣ୍ତିଆ ନାମର ଯୋଗ୍ୟ । ନେଉଳପୁର, ନଳତୀଗିରି, ଅଳତୀଗିର, ଆଲମଗିରି ଏବଂ ଖୋର୍ଦ୍ଧା ଓ ଦାଣ୍ଡିମାଳ ପାହାଡ଼ମାନ ସେମାନଙ୍କ ମଧ୍ୟରେ ପ୍ରଧାନ । ଏହି ସବୁ ପାହାଡ ମଧ୍ୟରୁ ଅଧିକାଂଶ ପାହାଡ଼ ଦେହରେ ବୌଦ୍ଧଙ୍କର ଖୋଦିତ ଗହ୍ୱର ଓ ଅନ୍ୟାନ୍ୟ କୀର୍ତ୍ତିମାନ ସଂରକ୍ଷିତ ହୋଇଅଛି ।

ଅନ୍ତରୀପ--ଓଡ଼ିଶାର ଉପକୂଳରେ ଏକ ଏକ ସ୍ଥାନର ଭୂମି ସୂଚ୍ୟାକାର ହୋଇ ସମୁଦ୍ର ମଧ୍ୟକୁ ପ୍ରଧାବିତ ହୋଇଅଛି, ସୁତରାଂ ସେମାନ ଅନ୍ତରୀପ ନାମର ଯୋଗ୍ୟ । ଜମ୍ବୁମୁହାଣସ୍ଥ ଫଲ୍ସପଏଣ୍ଟ ( ବତୀଘର ) ଓ ଧାମରାମୁହାଣସ୍ଥ ପାଲମିରା ଓଡ଼ିଶା ଉପକୂଳର ଅନ୍ତରୀପମାନଙ୍କ ମଧ୍ୟରେ ପ୍ରଧାନ ।