ପୃଷ୍ଠା:Odishara Itihas.pdf/୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪
ଓଡ଼ିଶାର ଇତିହାସ ।

ମୋଗଲବନ୍ଦୀରେ ଓ ଗଡ଼ଜାତରେ ଧାନ୍ୟ ବ୍ୟତୀତ ମୁଗ, ବ୍ରୀହି, ହରଡ଼, କୋଳଥ, ଜଡ଼ା, ସୋରିଷ, ଖସା, ଚିନା, ବୁଟ, ଗହମ, ଚଣା, ଖେସାରି, ମାଣ୍ଡିଆ, ମସୁର, ଧୂଆଁପତର, ଆଖୁ ପ୍ରଭୃତି ଫସଲମାନ ମଧ୍ୟ କେତେକ ପରିମାଣରେ ଜନ୍ମଇ । ଗଡ଼ଜାତ ଓ ସମୁଦ୍ରତଟସ୍ଥ ଜଙ୍ଗଲମାନ ଇନ୍ଧନ ଓ ବାସ ନିର୍ମାଣ ଉପ‌ଯୋଗୀ କାଷ୍ଠାଦି ପ୍ରଦାନ କରେ । ଗଡ଼ଜାତରେ ପାନ ହୁଅଇ ନାହିଁ । ମୋଗଲବନ୍ଦୀର ସ୍ଥାନ ସ୍ଥାନରେ ପାନ ବଶେଷ ଜନ୍ମଇ । ପୁରୀଜିଲାର ନରସିଂହପୁର, କାକଦରପୁର, ଲକ୍ଷ୍ମୀସାଗର; କଟକର ପରମହଂସ, କୁଜଙ୍ଗ ପାନବରଜ ସକାଶେ ବିଶେଷ ପ୍ରସିଦ୍ଧ ।

ମୋଗଲବନ୍ଦୀରେ ନାରିକେଳ ଗୁବାକର ମଧ୍ୟ ଅନେକ ବୃକ୍ଷ ଦେଖାଯାଏ, କିନ୍ତୁ ଏମାନ ଗଡ଼ଜାତରେ ଦୁଷ୍ପ୍ରାପ୍ୟ କଟକଜିଲାର ନଳତୀଗିରି ପାହାଡ଼ରୁ ଚନ୍ଦନକାଷ୍ଠ ଉତ୍ପନ୍ନ ହୁଅଇ । ଓଡ଼ିଶାରେ ପୁନାଙ୍ଗ, ମହୁଲ, କରଞ୍ଜବୃକ୍ଷ ମଧ୍ୟ ଅନେକ ଅଛି । ଏ ବୃକ୍ଷମାନଙ୍କର ଫଳ ତୈଳୋତ୍ପାଦନ ବିଷୟରେ ବିଶେଷ ଉପଯୋଗୀ ।

ଓଡ଼ିଶାର ଉପକୂଳମାନଙ୍କରୁ ଓ ଚିଲ୍ଲାହ୍ରଦରୁ ବହୁପରିମାଣରେ ଲବଣ ଉତ୍ପନ୍ନ ହୁଅଇ । ଧାନ୍ୟ ବ୍ୟତୀତ ଲବଣ ଓଡିଶାର ଅନ୍ୟତର ପ୍ରଧାନ ବାଣିଜ୍ୟଦ୍ରବ୍ୟ । ଗଡ଼ଜାତର ଝୁଣା, ଲାଖ, ଖଦୀର, କୋଷା (ପାଟୋତ୍ପାଦକ କୀଟ), ହରିଡ଼ା, ବାହାଡ଼ା ପ୍ରଭୃତି ବନ୍ୟପଦାର୍ଥମାନ ଓ ଶାଳ, ପିଆଶାଳ, ଶିଶୁ ପ୍ରଭୃତି ମୁଲ୍ୟବାନ୍ କାଷ୍ଠଚୟ ଓଡିଶାର ବିଶେଷ ବାଣିଜ୍ୟପଦାର୍ଥ ଅଟଇ ।

କପା, ନୀଳ ଓ ଝୋଟର ଚାଷ ଅଦ୍ୟାପି ଓଡ଼ିଶାରେ ଲାଭଜନକ ହୋଇ ନାହିଁ । ଓଡ଼ିଶାରେ ସିଂହାରହାର ପୁଷ୍ପରେ ଏକପ୍ରକାର ରଙ୍ଗ ପ୍ରସ୍ତୁତ ହୁଏ, କିନ୍ତୁ ତାହା ଲାଭଜନକ ନୂହେ ।

ଖଣିଜଦ୍ରବ୍ୟ--ଓଡ଼ିଶା ଗଡ଼ଜାତ ମଧ୍ୟରେ ତାଳଚେରରେ ପଥର କୋଇଲା ଖଣି, କେନ୍ଦୁଝରୀରେ ସ୍ୱର୍ଣ୍ଣଖଣି ଓ ସ୍ଥାନ ସ୍ଥାନରେ ଲୌହଖଣିମାନ ଆବିଷ୍କୃତ ହୋଇଅଛି ।

ଶିଳ୍ପଜାତଦ୍ରବ୍ୟ—ଗଡ଼ଜାତ ମଧ୍ୟରେ କେନ୍ଦୁଝରୀ ନିର୍ମିତ ସିତାର ତାର ଓ ଗଡ଼ୁ ଅତି ପ୍ରସିଦ୍ଧ । ତିଗିରିଆ ଅନ୍ତର୍ଗତ ମାଣିଆବନ୍ଦୀ ଲୁଗା ଅତି ଉତ୍କଷ୍ଟ ଓ ଓଡ଼ିଶାର ଭଦ୍ରମଣ୍ଡଳୀରେ ବିଶେଷ ସମାଦୃତ । ନୀଳଗିରିର ମୁଗନିବାସନ ଓଡ଼ିଶାର ଏକ ବିଖ୍ୟାତ ପଦାର୍ଥ ଅଟଇ । ଏମାନ ଛଡ଼ା ନୟାଗଡ଼, ଢ଼େଙ୍କାନାଳ, ତିଗିରିଆ, ଖଣ୍ଡପଡ଼ା, ରଣପୁର ଏହି କେତେକ ଗଡ଼ଜାତର କଂସା ଓ ପିତ୍ତଳ ବାସନ, ବସ୍ତ୍ର, ଖଣ୍ଡୁଆ, ମଠା ଓ ତସର ଅସୁନ୍ଦର ନୁହଇ ।