ପୃଷ୍ଠା:Odishara Itihas.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୦ ଓଡିଶାର ଇତିହାସ


ଜାତିଚୟର ଶ୍ରେଣୀଭୁକ୍ତ କରିଅଛନ୍ତି । ରାମାୟଣ ଓ ମହାଭାରତରେ ଓଡ଼୍ରମାନେ କେତେକ ଅନାର୍ଯ୍ୟଜାତିଙ୍କ ମଧ୍ୟରେ ପରିଗଣିତ ହୋଇଅଛନ୍ତି । ଏହିସବୁରୁ ଏପରି ଅନୁମିତ ହୁଅଇ ଯେ ଓଡ୍ରମାନେ ଅନାର୍ଯ୍ୟ ଜାତିଙ୍କର ଗୋଷ୍ଠି ଅନ୍ତର୍ଗତ ଅଟନ୍ତି । ମନୁ ଯେ ଓଡ଼୍ରଙ୍କୁ ପତିତ କ୍ଷତ୍ରିୟ ବୋଲି ଲେଖିଅଛନ୍ତି, ସମ୍ଭବତଃ ସେମାନଙ୍କୁ ଅନ୍ୟାନ୍ୟ ଅନାର୍ଯ୍ୟ ଜାତିଙ୍କ ସଙ୍ଗେ ହିନ୍ଦୁସମାଜର ଅନ୍ତସ୍ଥିତ ବୋଲି ନିର୍ଦ୍ଦେଶ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । ଅବା ଓଡ୍ରମାନେ ଆଦିମ ଅବସ୍ଥାରେ ପ୍ରକୃତ‌ତଃ କ୍ଷତ୍ରିୟ ଥିବାର ସତ୍ୟ ହେଲେ ଅନାର୍ଯ୍ୟଙ୍କ ସହବାସରେ ସେମାନଙ୍କର ଆର୍ଯ୍ୟତ୍ୱ ବ‌ହୁକାଳରୁ ନଷ୍ଟ ହୋଇଥିବାର ସହଜେ ଅନୁମାନ କରାଯାଇ ପାରେ । ଏମାନଙ୍କ ମଧ୍ୟରେ ଏକପ୍ରକାର ଶାସନପ୍ରାଣାଳୀ ପ୍ରଚଳିତ ଥିଲା ଓ ଯାହାହେଉନ୍ତୁ ପୁରାକାଳରେ ଓଡ଼ିଶାର ଅନ୍ୟାନ୍ୟ ଅନାର୍ଯ୍ୟଜାତିଙ୍କ ଅପେକ୍ଷା ଏମାନେ ଯେ ସମଧିକ ଉନ୍ନତ ଥିଲେ ଏଥିରେ ସନ୍ଦେହ ନାହିଁ । ଏମାନଙ୍କ ମଧ୍ୟରେ ରାଜା ଥିଲେ । ମହାଭାରତର ସଭାପର୍ବରେ ଲିଖିତ ଅଛି ଯେ ଓଡ଼୍ରରାଜା ପାଣ୍ଡବଙ୍କୁ ହସ୍ତୀଦନ୍ତ ଉପଢୌକନ ଦେଇଥିଲେ, ଏମାନଙ୍କ ରାଜ୍ୟ ଖୋର୍ଦ୍ଧାଖଣ୍ଡକୁ ଅତିକ୍ରମ କରି ନ ଥିଲା । ବର୍ତ୍ତମାନ ଯେଉଁମାନେ ଓଡ଼ଓଷା ବୋଲି ପରିଚିତ ସେମାନେ ଉଲ୍ଲିଖିତ ଓଡ୍ରଜାତିଙ୍କର ଅବଶିଷ୍ଟାଂଶ ବୋଲି ପ୍ରତୀୟମାନ ହୁଅଇ । ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରୁ ଖୋର୍ଦ୍ଧା ଅଞ୍ଚଳରେ ଏହି ଓଡଙ୍କର ସଂଖ୍ୟା ବର୍ତ୍ତମାନ ଅଧିକ


ଶନୈବସ୍ତ କ୍ରିୟାଲୋପାଦମାଃ କ୍ଷତ୍ରିୟଜାତୟଃ ।
ବୃଷଳତ୍ତ୍ୱଂ ଗତା ଲୋକେ ବ୍ରାହ୍ମଣାଦର୍ଶନେ ନ ଚ ।
ପୌଣ୍ତ୍ରକାଶ୍ଚୌତ୍ର ଦ୍ରବିଡ଼ାଃ କାମ୍ବୋଜା ଯବନାଃ ଶକାଃ ।
ପାରଦାପ‌ହ୍ନବାଶ୍ଚୀନାଃ କିରାତା ଦରଦାଃ ଖଶାଃ । - ମନୁ ୧୦ମ ୪୩, ୪୪ ପାଣ୍ଡ୍ୟାଂଶ୍ଚ ଦ୍ରବିଡ଼ାଂଶ୍ଚୈବ ସହିତାଂ ଚୋଡ଼୍ରକେରଳୈଃ ।- ମହାଭାରତ ।
ତଥୌଡ଼୍ରାନ୍ ଦ୍ରାବିଡ଼ାନ୍ ପୁଣ୍ଡ୍ରାନ୍ ଚୋଳାଂ ଶ୍ଚୈବ ସକେରଳାନ୍ ।-ରାମାୟଣ ।
ମହାଭାରତୀୟ ଯଯାତିଙ୍କର ଏକ ପୁତ୍ର ଯବନ‌ଜାତିର ସଂସ୍ଥାପକ ବୋଲି ହିନ୍ଦୁଶାସ୍ତ୍ରମାନଙ୍କରେ କଥିତ ଅଛି । କିନ୍ତୁ ଏହା କି ପ୍ରକୃତ କଥା ? ସମସ୍ତଙ୍କୁ ଆତ୍ମଗୋତ୍ର ଅନ୍ତର୍ଗତ କରି ଆପଣାର ପ୍ରାଶସ୍ତ୍ୟ ଦେଖାଇବାସ୍ୱରୁପ ଯେଉଁ ଇଚ୍ଛା ମାନବପ୍ରକୃତିରେ ନିହିତ ଅଛି, ଏପରି ଶାସ୍ତ୍ରୀୟ ଉଲ୍ଲେଖମାନ, ସେଥିର ଫଳମାତ୍ର ।

  • ସମ୍ଭବତଃ ଏ ରାଜା ପ୍ରାୟ କିଛି ଅଧିକ କ୍ଷମତାବିଶିଷ୍ଟ ଆଧୁନିକ ପ୍ରଧାନଙ୍କ ପରି ଥିଲେ ।

ଷ୍ଟଲିଂ ସାହେବ ଲେଖନ୍ତି ଖୋର୍ଦ୍ଧାର ଦକ୍ଷିଣସ୍ଥ ରସକୋଇଲା (ଋଷିକୁଲ୍ୟା) ନ‌ଦୀଠାରୁ ଉତ୍ତରରେ କାଁଶବାଁଶ ନ‌ଦୀ ପର୍ଯ୍ୟନ୍ତ ଓଡ଼୍ରଙ୍କର ରାଜ୍ୟ ବିସ୍ତୃତ ଥିଲା । କିନ୍ତୁ