ପୃଷ୍ଠା:Odishara Itihas.pdf/୫୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୪
ଓଡ଼ିଶାର ଇତିହାସ ।

ଜନୈକ ବୌଦ୍ଧରାଜାର ଜୀବନ ସମ୍ବନ୍ଧରେ ଯେପରି ଘଟନାମାନ ଉଦୟଗିରି ପାହାଡ଼ରେ ଖୋଦିତ ହୋଇଅଛି, ସେଥିରୁ ସେହି ସମୟର ରାଜା ଓ ରାଜକନ୍ୟା ଏବଂ ଲୋକମାନଙ୍କର ରୀତିନୀତିର କେତେକ ପରିଚୟ ମିଳଇ । ରାଜା ଓ ରାଜମହିଳାମାନେ ସେ ସମୟରେ ଭୟାଳୁ ଓ ସମର-ପରାଙ୍‌ମୁଖ ନ ଥିଲେ; ସେମାନେ ଯେ ପ୍ରକାର ଉର୍ଷ୍ଣୀଷ, ସୂଚୀନିର୍ମିତ ଅଙ୍ଗାଚ୍ଛାଦନ, ଅସ୍ତ୍ରଶସ୍ତ୍ର, ଉପାନ‌ହ* ପ୍ରଭୃତି ବ୍ୟବହାର କରୁଥିଲେ, ସେ ସବୁରୁ ସେମାନଙ୍କର ଜୀବନଯାତ୍ରା ନିର୍ବାହ ସଭ୍ୟତାସଙ୍ଗତ ଥିବାର ପ୍ରତୀୟମାନ ହେଉଅଛି । ସାଧାରଣଲୋକଙ୍କ ଅବସ୍ଥା ମଧ୍ୟ କେତେକ ପରିମାଣରେ ଉନ୍ନତ ଥିଲା ପ୍ରାୟ ବୋଧ ହୁଅଇ ।
ଖଣ୍ଡଗିରି ଓ ଉଦୟଗିରିସ୍ଥ ଖୋଦିତ ମୂର୍ତ୍ତିଚୟ ମଧ୍ୟରେ କେତେକ ହିନ୍ଦୁ ଦେବଦେବୀଙ୍କର ମୂର୍ତ୍ତିମାନ ମଧ୍ୟ ଦେଖାଯାଏ ଏବଂ ଯେଉଁ ଗୁମ୍ଫା ଓ ପ୍ରକୋଷ୍ଠାବଳୀରେ ଏହି ମୂର୍ତ୍ତିମାନ ଅଛି । ସେମାନ ଐରରାଜାଙ୍କ ଆଜ୍ଞାନୁକ୍ରମେ ଗଠିତ ହୋଇଥିଲା । ଐରରାଜାଙ୍କୁ ଯେଉଁମାନେ ଜୈନ ବୋଲି ସ୍ଥିର କରିବା ସକାଶେ ମାନସ ବଳାନ୍ତି, ସେମାନେ ଏହି ମୃର୍ତ୍ତିଚୟରେ ସେମାନଙ୍କ ମତର ପୋଷକତା ଲାଭ କରି ପାରନ୍ତି । ମାତ୍ର ତେତେବେଳେ ବୌଦ୍ଧଧର୍ମର ପ୍ରାଦୁର୍ଭାବରେ ହିନ୍ଦୁଧର୍ମ ଏକାବେଳକେ ଲୁପ୍ତ ହୋଇ ନ ଥିଲା । ସେ ସମୟର ଶିଳ୍ପକାର ଓ କର୍ମଚାରିଙ୍କ ମଧ୍ୟରେ କେହି କେହି ସମ୍ଭବତଃ ହିନ୍ଦୁ ଥିଲେ ଓ ସେମାନଙ୍କ ରୁଚି ଅନୁସାରେ କେତେକ ହିନ୍ଦୁଦେବମୂର୍ତ୍ତିମାନ ଖୋଦିତ ହୋଇଥିବା ଆଶ୍ଚର୍ଯ୍ୟ ନୁହେଁ । ଏଣୁକରି ଏହି ମୂର୍ତ୍ତିଚୟ ମଧ୍ୟ ଐରଙ୍କର ଜୈନତ୍ୱସମ୍ପାଦନର ସମ୍ୟକ୍ ପ୍ରମାଣ ବୋଲି ସ୍ଥିର ହୋଇ ନ ପାରେ ।
ଖଣ୍ଡଗିରି ଓ ଉଦୟଗିରିର ସ୍ଥାନ ସ୍ଥାନରେ ଜଳାଶୟମାନ ନୟନର ପ୍ରୀତି ବର୍ଦ୍ଧନ କରଇ । ଐରରାଜାଙ୍କ ଆଦେଶରେ ଏମାନ ମଧ୍ୟ ଖୋଦିତ ହୋଇ ଥିବାର ଅନୁମିତ ହୋଇପାରେ । ଏହି କୁଣ୍ତଚୟର ପାଣି ଅତି ଶୀତଳ ଓ ସୁମିଷ୍ଟ ।
ଖଣ୍ଡଗିରିର ଶିରୋଭାଗରେ ଏକ ଶୁଭ୍ର ଜୈନମନ୍ଦିର ବର୍ତ୍ତମାନ ଶୋଭା ପାଉଅଛି । ଏହା ଅଳ୍ପ ଦିନ ହେଲା (ପ୍ରାୟ ତିନି ଚାରି ଶହ ବର୍ଷ ହେବ) ଗଠିତ ହୋଇଥିବାର ଅନୁମିତ ହୁଏ । ଜୈନଙ୍କର ଇଷ୍ଟଦେବତା ପରେଶନାଥଙ୍କ ମୂର୍ତ୍ତି


* ଉପାନହ - ଆଧୁନିକ ପୂରା ଜୋତା ( ଫୁଲ୍) ବୁଟ୍‌ଜୂତା ପର ।