ପୃଷ୍ଠା:Odishara Itihas.pdf/୫୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୬
ଓଡ଼ିଶାର ଇତିହାସ ।



ଭାବରେ ଖୋଦିତ ହୋଇ ଥିବାରୁ, ଲୁପ୍ତ ପ୍ରାୟ ହୋଇ ପଠନର ଅଯୋଗ୍ୟ ହୋଇ ଉଠିଅଛି । ପାହାଡ଼ର ସ୍ଥାନ ସ୍ଥାନରେ ଗୁମ୍ପା ଓ ଗୃହାବଳୀର ଭଗ୍ନାବଶେଷ ଦୃଷ୍ଟିଗୋଚର ହୁଅଇ । ସେଥିରେ ଏପରି ପାଞ୍ଚୋଟି ଗୁମ୍ପା (ବର୍ତ୍ତମାନ ପଞ୍ଚପାଣ୍ଡବ ବା ପଞ୍ଚଗୋସାଇଁ ଗୁମ୍ଫା ବୋଲି ଖ୍ୟାତ) ଏକତ୍ର ଶ୍ରେଣୀବଦ୍ଧ ହୋଇ ରହିଅଛି । ସେ ସବୁରେ ବୈଦ୍ୟଙ୍କ କୁଣ୍ତି ପ୍ରାୟ କୁଣ୍ତିମାନ କଟା ହୋଇ ର‌ହିଅଛି । ଏଥିରୁ ସେ ସ୍ଥାନ ଶାସନବର୍ଣ୍ଣିତ ଔଷଧାଳୟ ଥିଲା ବୋଲି ଅନୁମିତ ହୋଇଅଛି । ଧଉଳି ପାହାଡ଼ର ଭିନ୍ନ ଭିନ୍ନ ଅଂଶରେ ଧ୍ୟାନ, ଧର୍ମଚିନ୍ତା ପ୍ରଭୃତି ଭିନ୍ନ ଭିନ୍ନ କାର୍ଯ୍ୟ ସକାଶେ ଭିନ୍ନ ଭିନ୍ନ ସ୍ତୁପମାନ ପ୍ରସ୍ତୁତ ହୋଇଥିଲା; ସେ ସମୁଦାୟର ବର୍ତ୍ତମାନ କୌଣସି ସନ୍ତୋଷଜନକ ନିର୍ଦ୍ଦେଶ ଦେଖାଯାଏ ନାହିଁ । ଏହି ପାହାଡ଼ରୁ କୋଣାର୍କ ଦେଉଳ ଓ ଅନ୍ୟାନ୍ୟ ଦେଉଳ ନିର୍ମିତ ହେବା ସକାଶେ ଅନେକ ପଥର କଟା ଓ ବୁହା ହୋଇ ଯାଇଅଛି । ଏଥିଦ୍ୱାରା ଓ ମଧ୍ୟ କାଳର କ୍ରୁରହସରେ ପୂର୍ବ କୀର୍ତ୍ତିମାନ କେତେକ ବିନଷ୍ଟ ହୋଇ ଥିବାର ଅନାୟାସରେ ଅନୁମାନ କରାଯାଇ ପାରେ ।
ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଓ ପ୍ରଥମ ଶତାବ୍ଦୀ । —ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଓ ପ୍ରଥମ ଶତାବ୍ଦୀରେ ଏ ଅଞ୍ଚଳରେ କେଉଁ କେଉଁ ବ୍ୟକ୍ତିଏ ରାଜତ୍ୱ କରୁଥିଲେ ଏହା ଜାଣିବାର କୌଣସି ଉପାୟ ନାହିଁ । ମାତ୍ର ସେମାନେ ବୌଦ୍ଧଧର୍ମାବଲମ୍ବୀ ଥିବାର ସମ୍ଭବ । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଦେଶ ବିଦେଶରେ ବୌଦ୍ଧଧର୍ମ ପ୍ରଚାରର ବିଶେଷ ଚେଷ୍ଟା ଓ ଯତ୍ନ ହୋଇଥିଲା । କଳିଙ୍ଗର ଏ ଅଞ୍ଚଳ ମଧ୍ୟ ସେଥିର ପାଳଭୋଗୀ ହୋଇଥିବ । ସମ୍ଭବତଃ ଏହି ସୁଯୋଗ ଦ୍ୱିତୀୟ ଓ ପ୍ରଥମ ଶତାଦ୍ଦୀ ସରିକି ବୌଦ୍ଧଧର୍ମ ପୁରୀଜିଲ୍ଲାର ସୀମା* ଅତିକ୍ରମ କରି ଅନ୍ୟାନ୍ୟ ଦିଗକୁ ଗତି ବିସ୍ତାର କରିଥିଲା । ଏହି ସମୟରେ ବୌଦ୍ଧପ୍ରଚାରକେ ଯାଇ ଭିନ୍ନ ଭିନ୍ନ ଅଂଶରେ ବୌଦ୍ଧ ସଂଖ୍ୟା ବୃଦ୍ଧି କରିଥିବେ । ନରାଜର ଗୁମ୍ଫା କେତୋଟି ବୋଧ ହୁଏ ଏହି ସମୟରେ ଗଠିତ ହୋଇଥିଲା । ଏ ସବୁର ଆକାରରୁ ଏମାନ ଏଥୁ ପୂର୍ବକାଳର କୀର୍ତ୍ତି ବୋଲି ବୋଧ ହୁଅଇ ନାହିଁ । ଯାଜପୁର, ଓଳତୀ (ଅଳତୀ), ନଳତିଗିରି
*ଏପର୍ଯ୍ୟନ୍ତ ପୁରୀଜିଲା (ବଶେଷ ଖୋର୍ଦ୍ଧା ଅଞ୍ଚଳ) ବୌଦ୍ଧଧର୍ମର ଭୂମି ଥିଲା । ବୋଦ୍ଧରାଜାଏ ଏହି ସ୍ଥାନ ମଧ୍ୟରେ ରାଜତ୍ୱ କରୁଥିଲେ । ସମସ୍ତ ପୁରାତନ ବୌଦ୍ଧକୀର୍ତ୍ତି ଏହି ଅଞ୍ଚଳ ମଧ୍ୟରେ ବଦ୍ଧ । ତଦନନ୍ତର ଓଡ଼ିଶାର ଅନ୍ୟାନ୍ୟ ଦିଗକୁ ବୌଦ୍ଧମାନେ ଗଲେ ସୁଦ୍ଧା ଏହି ଖୋର୍ଦ୍ଧା ଅଞ୍ଚଳ ସେମାନଙ୍କର କେନ୍ଦ୍ରସ୍ଥଳୀ ଥିଲା ।