ପୃଷ୍ଠା:Odishara Itihas.pdf/୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୪୯

ଦ୍ୱିତୀୟ ଅଧ୍ୟାୟ

ଅଧିନସ୍ଥ ଥିବାର ଜଣାଯାଏ । ଦାନମାନ କେବଳ ଗୁପ୍ତରାଜାଙ୍କ ନାମରେ ହେଉଥିଲା ।
ବୌଦ୍ଧଧର୍ମ ହ୍ରାସ — ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ବିଶେଷତଃ ଚରୁର୍ଥ ଶତାବ୍ଦୀରୁ ବୌଦ୍ଧଧର୍ମର ପ୍ରାଦୁର୍ଭାବ ଊଣା କରିବା ସକାଶେ ଚେଷ୍ଟା ଓ ଯତ୍ନର ସୂତ୍ରପାତ ଭାରତବର୍ଷର ଭିନ୍ନ ଭିନ୍ନ ଅଂଶରେ ଆରମ୍ଭ ହୋଇଥିଲା । ଜନ୍ମେଜୟଙ୍କ ରଜତ୍ୱକାଳରୁ ବିଶେଷତଃ ଯଯାତିଙ୍କ ସମୟରୁ ଏ ଦେଶରେ ଶୈବଧର୍ମର ପ୍ରାଦୁର୍ଭବ ବର୍ଦ୍ଧିତ ହେଲା ଓ ସେହି ଅନୁଯାତରେ ବୌଦ୍ଧଧର୍ମ ହ୍ରାସ ଲଭିବାକୁ ଲାଗିଲା । କିନ୍ତୁ ଏହା ବୋଲି ଏକାବେଳକେ ଶୈବଧର୍ମର ପ୍ରାଦୁର୍ଭାବରେ ବୌଦ୍ଧଧର୍ମ ଯେ ଓଡ଼ିଶା ତ୍ୟାଗ କଲା ତାହା ନୁହେଁ । ବୌଦ୍ଧଧର୍ମର କ୍ଷୀଣସୂତ୍ର ଅବଶ୍ୟ ଅତି ବିର୍ଜିବ ଭାବରେ ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଏ ଦେଶରେ ଲମ୍ବମାନ ରହିଲା । ତଥାପି ବୌଦ୍ଧଧର୍ମ ସହସ୍ର ବର୍ଷକାଳ ବିଶାଲ, କ୍ଷମତା ପ୍ରକାଶପୂର୍ବକ ବିରାଜମାନ ଥାଇ ଯେ ଅନନ୍ତର ହ୍ରାସମୁଖୀ ହେଲା ଓ ଶେଷକୁ ଏକପ୍ରକାର ଭାରତରୁ ଲେପ ପାଇଲା, ଏହା ସାମାନ୍ୟ ଆଶ୍ଚର୍ଯ୍ୟର ବିଷୟ ନୁହଇ ! ଏପରି ହ୍ରାସ ଓ ଲୋପର ଘଟଣା ପୃଥିବୀର ଅନ୍ୟାନ୍ୟ ପ୍ରସିଦ୍ଧ ଧର୍ମରାଜ୍ୟରେ ଦେଖାଯାଏ ନାହିଁ । ସୁତରାଂ ବୌଦ୍ଧଧର୍ମର, ଭାରତବର୍ଷରୁ ବିଶେଷରେ ଓଡିଶାରୁ ହ୍ରାସ ଓ ଲୋପକୁ ଲଭିବାର ହେତୁମାନ ଜାଣିବା ସକାଶେ ପାଠକଙ୍କର ଔତ୍ସୁକ୍ୟ ଜନ୍ମିପାରେ । ଯେଉଁ ବ୍ରାହ୍ମଣମାନଙ୍କର କଠୋର ନିୟମ ଓ ଶାସ୍ତ୍ରୀୟ ଶାସନ ହିନ୍ଦୁ ଧର୍ମରେ ଭାରତବାସିଙ୍କର ବିରାଗ ଜନ୍ମାଇ ବୌଦ୍ଧଧର୍ମର ପୁଷ୍ଟିସାଧନ କରାଇଥିଲା, ସେହି ବ୍ରାହ୍ମଣମାନଙ୍କର ଅଦ୍ଭୁତ ଉଦାର କୌଶଳ ସେଥିର କ୍ଷୟ ସାଧନ କଲା । ସ୍ୱୟଂ ବୌଦ୍ଧଧର୍ମପ୍ରବର୍ତ୍ତକ ବୁଦ୍ଧଦେବଙ୍କୁ ବ୍ରାହ୍ମଣମାନେ ଅବତାର ବିଶେଷ ବୋଲି ଗ୍ରହଣ ଓ ପ୍ରୋଥିତ କଲେ । ବୌଦ୍ଧଧର୍ମର ଅହିଂସାବାଦକୁ ବୈଷ୍ଣବଧର୍ମର ବୀଜରେ ପୋସୂତ କଲେ । କେତେକ ବୌଦ୍ଧନେତା ଓ ପୁରୋହିତଙ୍କୁ ସ୍ଥାନ ସ୍ଥାନରେ ଏକପ୍ରକାର ବ୍ରାହ୍ମଣ ଓ ସୁନାନ୍ତରରେ ଦେବସେବକ ବୋଲି ସ୍ୱୀକାର କରି ଆପଣା ଆପଣା ସଙ୍ଗେ ସେମାନଙ୍କର ସମାନତା ଦେଖାଇଲେ * । କୌଶଲ କରି


* ପୁରୀ ବଡ଼ଦେଉଳର ପାଚକ ମାସ୍ତାନ ବ୍ରାହ୍ମଣମାନେ ଏବଂ ଭୃବନେଶ୍ୱର ଓ କପିଳେଶ୍ୱର ମନ୍ଦିରଦ୍ୱୟର ଦେବସେବକ ବଟୁ ଓ ମଲ୍‌ହିଆମାନେ ଏଥିର ଉଦାହରଣ ସ୍ଥଳ । ଏହି ବ୍ରାହ୍ମଣ, ବଟୁ ଓ ମଲ୍‌ହିଆମାନେ ସମ୍ଭବତଃ ପ୍ରର୍ବେ ବୌଦ୍ଧ ଥିଲେ । ଯ‌ଯାତି ଓ ତାଙ୍କର କୌଣସି କୌଣସି ଉତ୍ତରାଧିକାରୀଙ୍କ ସମୟରେ ସେମାନେ ଉକ୍ତ ପ୍ରକାର ଶୃଙ୍ଖଳାବଦ୍ଧ ହୋଇଥିବାର ଅନୁମିତ ହୋଇଅଛି ।