ପୃଷ୍ଠା:Odishara Itihas.pdf/୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୮
ଓଡ଼ିଶାର ଇତିହାସ ।

ସାମାଜିକ ଅବସ୍ଥାର ସୁନ୍ଦର ପରିଚାୟକ ଅଟେ । ସ୍ଥାନାନ୍ତରେ ଏ ବିଷୟର ଆଲୋଚନା ହେବ ।
ଭୁବନେଶ୍ୱର ଶିବୋପାସନା—ଏହି ସ୍ଥଳରେ ଦେଖାଯାଉ କେଉଁ ବିଧିରେ ଶିବୋପାସନା ସଂବଦ୍ଧ ହୋଇଅଛି । ଓଡ଼ିଶାରେ ଯେତେବେଳେ ଶିବୋପାସନା ପ୍ରଥମ ପ୍ରଚଳିତ ହେଲା, ତେତେବେଳେ ଏ ପ୍ରଦେଶରେ ବୌଦ୍ଧଧର୍ମର ପ୍ରଭାବ ପ୍ରଖର ଥିଲା । ଭାରତବର୍ଷର ସମସ୍ତ ଶୈବଙ୍କର ବୌଦ୍ଧଧର୍ମକୁ ପରାଭବ କରିବା ଏକମାତ୍ର ମୁଖ୍ୟଉଦ୍ଦେଶ୍ୟ ହୋଇଥିଲା । ଯେପରିକି ଏଥି ପୂର୍ବରେ ପ୍ରଦର୍ଶିତ ହୋଇଅଛି, ବ୍ରାହ୍ମଣମାନେ ନାନାକୌଶଳ ଅବଲମ୍ବନ କରିଥିଲେ । ଶୈବବ୍ରାହ୍ମଣଙ୍କର ନେତା ଶଙ୍କରାଚାର୍ଯ୍ୟ ଶିବୋପାସକ ଥିଲେ ସୁଦ୍ଧା ( ସମ୍ଭବତଃ ବୌଦ୍ଧଙ୍କୁ ଦମନ କରଣାର୍ଥ ) ଏକପ୍ରକାର ଏକେଶ୍ୱରବାଦ ‌ ପ୍ରଚାର କରିଥିଲେ* । ଇତିପୂର୍ବେ କଥିତ ହୋଇଅଛି ଯେ ଅହିଂସାବାଦ ବୌଦ୍ଧଧର୍ମର ମୂଳଭିତ୍ତି ଥିଲା । ହିନ୍ଦୁଙ୍କର ବୈଷ୍ଣବଧର୍ମରେ ସୁଦ୍ଧା ସେହିପରି ଜୀବ‌ହିଂସା ନିଷିଦ୍ଧ । ସୁତରାଂ ଶିବୋପାଷକମାନେ ଓଡ଼ିଶା ବୌଦ୍ଧଙ୍କ ମତି ଫେରାଇବା ସକାଶେ ଭୁବନେଶ୍ୱରଠାରେ ଲିଙ୍ଗରାଜଙ୍କର ଉପାସନା ଅହିଂସାବାଦୀ ବୈଷ୍ଣବଧର୍ମର ବୀଜମନ୍ତ୍ରରେ ପ୍ରଚଳିତ କଲେ । ଅଦ୍ୟାପି ସେହି ବୈଷ୍ଣବ ବୀଜମନ୍ତ୍ରରେ ଭୁବନେଶ୍ୱରଠାରେ ଭୋଗଦାନ କାର୍ଯ୍ୟ ସମ୍ପନ୍ନ ହେଉଅଛି । କେହି କେହି ଶିବୋପାସନାକୁ ଅନାର୍ଯ୍ୟ ଉପାସନା ବୋଲି ଅନୁମାନ କରନ୍ତି, କିନ୍ତୁ ପ୍ରକୃତ‌ତଃ ଏହା ଯେ ଆର୍ଯ୍ୟ ଉପାସନା ଏ ବିଷୟ ସନ୍ତୋଷଜନକରୂପେ ସପ୍ରମାଣ ହୋଇଅଛି ।
ଚୀନପର୍ଯ୍ୟଟକ—ଲଲାଟେନ୍ଦୁଙ୍କ ରାଜତ୍ୱ ସମୟରେ ଓଡିଶା ହାଓସାଂ ନାମକ ଜନୈକ ଚୀନପରିବ୍ରାଜକଙ୍କଦ୍ୱାର ପରିଦର୍ଶିତ ହୋଇଥିଲା । ତାଙ୍କ ଭ୍ରମଣବୃତ୍ତାନ୍ତ ପାଠ କଲେ ଜଣାଯାଏ ଯେ ତାଙ୍କ ସମୟରେ ସୁଦ୍ଧା ବୌଦ୍ଧଧର୍ମର ପ୍ରାଦୁର୍ଭାବ ଓଡ଼ିଶାରେ ବିଦ୍ୟମାନ ଥିଲା । ସେ ଲେଖିଅଛନ୍ତି ବିଧର୍ମୀ (ବ୍ରାହ୍ମଣ) ଓ ବୌଦ୍ଧମାନେ ଏ ପ୍ରଦେଶରେ ମିଶାମିଶି ହୋଇ ବାସ କରୁଥିଲେ । ତେତେବେଳେ ସତ୍ୟାଶ୍ରୟିମାନଙ୍କର (ବୌଦ୍ଧଙ୍କର ପ୍ରାୟ ଏକଶତ ଆଶ୍ରମ ଓ ସେମାନଙ୍କର ସଂଖ୍ୟା ପ୍ରାୟ ଦଶସହସ୍ର ଥିଲା । ଆହୁରି ମଧ୍ୟ ସେ ଲେଖିଅଛନ୍ତି ଯେ ତାଙ୍କ


* ଶଙ୍କରାଚାର୍ଯ୍ୟଙ୍କର ଗୋଟାଏ ମଠ ଭୁବନେଶ୍ୱର ଓ ଆଉ ଗୋଟିଏ ମଠ ପୁରୀରେ ଅଛି । ପୁରୀ ମଠରେ ଅନେକ ସଂସ୍କୃତ ଗ୍ରନ୍ଥମାନ ସ୍ଥାପିତ ଅଛି । ଶଙ୍କର ବିଦ୍ୟାନୁରାଗୀ ଥିଲେ; ତାଙ୍କର ଶିଷ୍ୟ ଭଟ୍ଟାଚାର୍ଯ୍ୟ ଓଡ଼ିଶାକୁ ଆସି ତାଙ୍କର ମତ ପ୍ରଚାର କରିଥିଲେ ଓ ସେହି ମତର କେତେକ ଲୋକେ ଅନୁଗାମୀ ହୋଇଥିଲେ ।