ପୃଷ୍ଠା:Odishara Itihas.pdf/୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୬୦

ଓଡ଼ିଶାର ଇତିହାସ ।

ବ୍ରାହ୍ମଣମାନେ ବଙ୍ଗଦେଶରେ ଉପବେଶ ସଂସ୍ଥାପନ କରି ରହିଲେ । ଅଦ୍ୟାପି ଉତ୍କଳବ୍ରାହ୍ମଣଙ୍କର ସନ୍ତାନ ସନ୍ତ‌ତି ବଙ୍ଗଦେଶରେ ବାସ କରୁଅଛନ୍ତି । ଆଚାର ରୀତି ନୀତି ସମସ୍ତ ବଙ୍ଗୀୟ ଭାବକୁ ଧାରଣ କରିଅଛି । କେହି କେହି ସେମାନଙ୍କର ପୁର୍ବ ପୁରୁଷ ଯେ ଓଡିଶାରୁ ଯାଇଥିଲେ ଏ କଥାକୁ ସ୍ୱପ୍ନ ପ୍ରାୟ ବିଶ୍ୱାସ କରନ୍ତି ।
ଉକ୍ତ ସେନବଂଶୀୟ ଲକ୍ଷ୍ମଣସେନ ନାମକ ଅନ୍ୟତର ଏକ ରାଜା (୧୧୦୧-୧୧୨୧) ପୁରୀଠାରେ ଜୟସ୍ତମ୍ଭ ସଂସ୍ଥାପିତ କରିଥିବାର କୌଣସି ବଙ୍ଗୀୟ ଅନୁଶାସନପତ୍ରରୁ ପ୍ରକାଶ ପାଇଅଛି, ମଧ୍ୟ କେଶରୀ ବଂଶୀୟ ରାଜାମାନେ ତାତେବେଳରୁ ଯେପରି ଦୁର୍ବଳ ହୋଇଥଲେ ସେଥିରେ ଜନୈକ ବଙ୍ଗୀୟ ପରାକ୍ରମଶାଳୀ ନୃପତିଙ୍କର ଓଡ଼ିଶାରେ ଜୟସ୍ତମ୍ଭ ସ୍ଥାପନ କରିଥିବାର ଆଶ୍ଚର୍ଯ୍ୟ ବୋଲି ପ୍ରତୀୟମାନ ହେଉ ନାହିଁ ।
କେଶରୀବଂଶ ଲୋପ—ସୁବର୍ଣ୍ଣକେଶରୀ କେଶରୀବଂଶର ଶେଷ ରାଜା ଥିଲେ । ତାଙ୍କର ସନ୍ତାନ ସନ୍ତ‌ତି ନ ଥିଲା । ଦକ୍ଷିଣ ଦେଶରୁ ଚୋରଗଙ୍ଗା ନାମକ ଜଣେ ନୃପତି ଓଡ଼ିଶା ଆକ୍ରମଣ କରି ୧୧୩୨ ଖ୍ରୀଷ୍ଟାବ୍ଦରେ ତାଙ୍କୁ ପରାସ୍ତ କଲେ ଓ ସେହି ପରାଭବ ସଙ୍ଗେ ସଙ୍ଗେ ଓଡ଼ିଶାରୁ କେଶରୀ ବଂଶୀୟ ରାଜପଣ ଲୋପପ୍ରାପ୍ତ ହେଲା । ବଂଶାବଳୀ ଗ୍ରନ୍ଥରେ ଲିଖିତ ଅଛି ଯେ ବାସୁଦେବ ନାମକ ଏକ ବ୍ୟକ୍ତି ରାଜାଙ୍କ କର୍ତ୍ତୃକ ଅପମାନିତ ଓ ନିର୍ବାସିତ ହୋଇ କର୍ଣ୍ଣାଟଦେଶୀୟ ଚୋରଗଙ୍ଗାକୁ ଓଡ଼ିଶା ଆକ୍ରମଣାର୍ଥ ଉତ୍ତେଜିତ କରିଥିଲେ । ପୁଣି ରାଜଚରିତ ଗ୍ରନ୍ଥରେ ବର୍ଣ୍ଣିତ ଅଛି ଯେ ରାଜା ନିସନ୍ତାନ ହେବାରୁ ଉକ୍ତ ବାସୁଦେବ ଦକ୍ଷିଣଦେଶରୁ ଜଣେ ରାଜାରୁ ଆହ୍ୱାନ କରି ଆଣି ସିଂହାସନରେ ବସାଇଥିଲେ । କିନ୍ତୁ ଆମ୍ଭମାନଙ୍କୁ ଏ ଉଭୟ ବର୍ଣ୍ଣନାଦ୍ୱୟ ଅମୁଳକ ଓ କାଳ୍ପନିକ ବୋଧ ହେଉଅଛି, ତେବେ ଏ ବର୍ଣ୍ଣନାଦ୍ୱୟରେ ଏହି ପର୍ଯ୍ୟନ୍ତ ସତ୍ୟ ନିହିତ ଥିବାର ବୋଧ ହୁଅଇ ଯେ, କେଶରୀବଂଶୀୟ ରାଜତ୍ୱର ପରିସମାପ୍ତି ଉତ୍ତାରୁ ଦକ୍ଷିଣଦିଗର କୌଣସି ରାଜା ଆସି ଓଡ଼ିଶା ସିଂହାସନରେ ଆରୁଢ଼ ହୋଇଥିଲେ ।
ଦେଶଶାସନ-ଯଯାତିକେଶରୀ ପ୍ରଥମେ ଗୁପ୍ତବଶୀୟ ରାଜାଙ୍କର ଅଧନସ୍ଥ କର୍ମଚାରୀ ଥିଲେ । ତାଙ୍କୁ ଶାସନର କାର୍ଯ୍ୟକଳାପରୁ ପ୍ରତୀୟମାନ ହୁଅଇ ଯେ ଅବଶେଷକୁ ସେ ସ୍ୱାଧୀନ ହୋଇଥିଲେ । କେଶରୀବଂଶୀୟ ରାଜାମାନେ ସାର୍ଦ୍ଧ ଷଷ୍ଠଶତ ବର୍ଷ ଓଡ଼ିଶାରେ ରାଜତ୍ୱ କରିଥିଲେ । ସେମାନଙ୍କ ରାଜ୍ୟ ଭଦରଖର କେତେକ କ୍ରୋଶ ଉତ୍ତରବର୍ତ୍ତୀ କାଂଶବାଂଶ ନ‌ଦୀଠାରୁ ଦକ୍ଷିଣରେ ଋଷିକୁଲ୍ୟା ନ‌ଦୀ ପର୍ଯ୍ୟନ୍ତ ଓ ପୁର୍ବରେ ସାଗରତୀରରୁ ପଶ୍ଚିମରେ ଢ଼େଙ୍କାନାଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଏହି ପ୍ରଦେଶର ପରିମାଣ ବର୍ତ୍ତମାନ ପ୍ରାୟ ୧୦୦୦୦ ବର୍ଗମାଇଲ