ପୃଷ୍ଠା:Odishara Itihas.pdf/୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୧
ତୃତୀୟ ଅଧ୍ୟାୟ

ଅଟଇ । ଏଥିରୁ କେଶରୀବଂଶୀୟ ରାଜାମାନେ ୧୫ ଲକ୍ଷ ମାଢ଼ ସ୍ୱର୍ଣ୍ଣମୁଦ୍ରା ରାଜସ୍ୱ ପାଉଥିବାର କଥିତ ଅଛି । ସେମାନେ ଆପଣା ପକ୍ଷରୁ କର୍ମଚାରୀ ନିଯୁକ୍ତ କରି ପ୍ରଜାଙ୍କଠାରୁ ରାଜସ୍ୱ ଆଦାୟ କରୁଥିଲେ । କର୍ମଚାରୀମାନେ ବେତନସ୍ୱରୂପ ଭୂମି ଜାୟଗିର ପାଉଥିଲେ । ସାଧାରଣ ପ୍ରଜାଙ୍କ ମଧ୍ୟରେ କଉଡ଼ି ଅର୍ଥ ବିନିମୟର ପ୍ରଧାନ ଉପାୟ ଥିଲା । ଯେତେ ଟଙ୍କା ଆୟ ହେଉଥିଲା, ସେଥିରୁ ରାଜାଙ୍କର ନିଜ ବ୍ୟୟ ଯାଇ ଉଦ୍‌ବୃତ୍ତ ମୁଦ୍ରା ମନ୍ଦିରଉତ୍ତୋଳନ ଓ ଅନ୍ୟାନ୍ୟ ସାଧାରଣ କାର୍ଯ୍ୟରେ ବ୍ୟୟିତ ହେଉଥିଲା । ସେଥିଦ୍ୱାରା ଦେଶୀୟ ଲୋକେ ସୁଦ୍ଧା କେତେକ ପରିମାଣରେ ଲାଭବାନ୍ ହେଉଥିଲେ ।
କେଶରୀବଂଶୀୟ ରାଜାଙ୍କ ରାଜତ୍ୱ ସମୟରେ କୌଣସି ପ୍ରକାର ବିଶେଷ ଯୁଦ୍ଧ ବିଗ୍ରହାଦି ଘଟି ନ ଥିଲା । ସେମାନଙ୍କର ରାଜତ୍ୱର ଶେଷ ଭାଗକୁ କୌଣସି କୌଣସି ବିଦେଶୀୟ ରାଜାଙ୍କୁ ଓଡିଶାରେ ଜୟସ୍ତମ୍ଭ ସ୍ଥାପିତ କରିଥିବାର ଅବା କୌଣସି କୌଣସି ଓଡ଼ିଶା ରାଜାଙ୍କୁ ଅଧୀନତା ସ୍ୱୀକାର କରାଇଥିବାର ବିଦେଶୀୟ ଇତିବୃତ୍ତମାନଙ୍କରେ ବର୍ଣ୍ଣିତ ଅଛି; କିନ୍ତୁ ସେ ସବୁରେ ଓଡ଼ିଶା ଶୋଣିତବାହୀ ମହାଯୁଦ୍ଧର ରଙ୍ଗରୁମି ହୋଇ ନ ଥିଲା; ଅଥବା କୌଣସି କେଶରୀରାଜାଙ୍କୁ ବିଶେଷ ସମରଚାତୁର୍ଯ୍ୟ ପ୍ରକାଶ କରିବାକୁ ପଡ଼ି ନ ଥିଲା । କେଶରୀବଂଶୀୟ ରାଜାମାନେ ଏକପ୍ରକାର ଶାନ୍ତି ଭୋଗ କରି ଶାସନକାର୍ଯ୍ୟ ଚଳାଇଥିଲେ । ମନ୍ଦିର, ରାଜପ୍ରାସାଦ କି ଘାଟ ନିର୍ମାଣ, ପୁଷ୍କରିଣୀ ଖନନ ଅଥବା ମନୋରମ ସ୍ଥାନ ଦେଖି ରାଜଧାନୀ ସ୍ଥାପନ କରିବା ଓ ଅଟ୍ଟାଳିକା ତୋଳିବା ସେମାନଙ୍କ ଚିତ୍ତକୁ ଅଧିକାଂଶ ଆକର୍ଷଣ କରିଥିଲା । ବୌଦ୍ଧଧର୍ମ ବିନାଶ ଓ ଶୈବଧର୍ମର ଗୌରବବିସ୍ତାର ସେମାନଙ୍କ ଶାସନର ଉଦ୍ଦେଶ୍ୟ ଓ ଚିନ୍ତାର ଅନ୍ୟତର ବିଷୟ ଥିଲା ।
କେଶରୀବଂଶୀୟ ରାଜାଙ୍କର ଯାଜପୁର ପ୍ରଥମେ ରାଜଧାନୀ ହୋଇଥିଲା । ଭୁବନେଶ୍ୱର ଓ ଅବଶେଷରେ ଦଶମ ଶତାବ୍ଦୀରେ କଟକ କେଶରୀବଂଶୀୟ ରାଜାଙ୍କ ରାଜଧାନୀରୂପେ ପରିଣତ ହୋଇଥିଲା । ଯାଜପୁର ଓ କଟକ ଏ ଦୁଇ ରାଜଧାନୀ ତିନି ପାର୍ଶ୍ୱରେ ନ‌ଦୀଦ୍ୱାରା ବେଷ୍ଟିତ । ସ୍ଥାନର ସୌନ୍ଦର୍ଯ୍ୟ ଓ ନିରାପଦ ଅବସ୍ଥିତି ଏହି ଦୁଇ ସ୍ଥାନରେ କେଶରୀବଂଶୀୟ ରାଜାମାନଙ୍କୁ ରାଜଧାନୀ ସ୍ଥାପନ କରିବା ସକାଶେ ପ୍ରବର୍ତ୍ତାଇଥିଲା । ପୁଣ ନ‌ଦୀର ଆକ୍ରମଣରୁ ଏ ନ‌ଗରମାନଙ୍କୁ ରକ୍ଷା କରିବାପାଇଁ ପଥରବନ୍ଧର ଅବଶ୍ୟକତା ହୋଇଥିଲା । ସୁତରାଂ ଯାଜପୁର ନିକଟବର୍ତ୍ତୀ ବୈତରଣୀ ନଦୀର ଏକ ପାର୍ଶ୍ୱରେ ଓ କଟକକୁ ବେଷ୍ଟନ କରି କାଠ‌ଯୋଡ଼ୀ ଓ ମହାନ‌ଦୀ କୂଳରେ ବନ୍ଧମାନ କେଶରୀବଂଶୀୟ ରାଜାଏ ବନ୍ଧାଇ