ପୃଷ୍ଠା:Odishara Itihas.pdf/୮୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସମୟର ଲୋକଙ୍କ ଅବସ୍ଥାର ଇତିହାସ ଜାଣିବା ପକ୍ଷରେ ଏହି ପ୍ରତିମୂର୍ତ୍ତିମାନ ବିଶେଷ ସାହାଯ୍ୟକାରୀ ଅଟଇ ।

ଭୁବନେଶ୍ୱରସ୍ଥ ଦେଉଳମାନଙ୍କରେ ଦୀର୍ଘଶ୍ମଶ୍ରୂବିଶିଷ୍ଟ, ଉନ୍ନତ ଜଟା ଓ କୌପିନଧାରୀ, ମାଳା ପଇତା ବିବର୍ଜିତ ଉଲ୍ଲଙ୍ଗ ଅଙ୍ଗ‌ଯୁକ୍ତ ପ୍ରଶାନ୍ତ ଓ ଗମ୍ଭୀରଚେତା ଯୋଗିଙ୍କର ପ୍ରତିମୂର୍ତ୍ତିଚୟ ସ୍ଥାନସ୍ଥାନରେ ନୟନର ପ୍ରୀତିବର୍ଦ୍ଧନ କରେ । ଏମାନ ସମ୍ଭବତଃ ବୌଦ୍ଧ ଯୋଗିଙ୍କର ପ୍ରତିକୃତି । ଏହି ଭାବରେ ବୌଦ୍ଧମାନେ କେହି କେହି ମନ୍ଦିର ଗଠିତ ହେବା ପୂର୍ବରେ ଓ ହେବା ସମୟରେ ଯୋଗାଭ୍ୟାସ କରୁଥିବା ପ୍ରାୟ ବୋଧ ହୁଅଇ ।

ଚପଳନ ପରି ସୂଚି ନିର୍ମିତ ଅଙ୍ଗାଚ୍ଛାଦନ ରାଜା, ରାଜପୁତ୍ର ଓ ପୂର୍ବକାଳର ସମ୍ଭ୍ରାନ୍ତ ଓଡ଼ିଶାବାସିଙ୍କର ପୂର୍ଣ୍ଣ ପୋଷାକର ସମ୍ଭବତଃ ଏକ ଅଂଶ ଥିଲା । ସ୍ୟୂତ ଅଙ୍ଗାଚ୍ଛାଦନ ଏବଂ ପାଇଜାମା ଓ ଜଙ୍ଘିଆ ପରି ସ୍ୟୂତ ବସ୍ତ୍ରମାନ ପୂର୍ବେ ଓଡ଼ିଶାବାସିଏ ଯେ ବ୍ୟବହାର କରୁଥିଲେ, ଅନେକ ଖୋଦିତ ପ୍ରତିମୂର୍ତ୍ତିର ପରିଧେୟ ବସ୍ତ୍ରରୁ ଏ କଥା ସ୍ପଷ୍ଟ ସପ୍ରମାଣ ହେଉଅଛି । ମଧ୍ୟ ଉତ୍ତର ଭାରତବର୍ଷରେ ଅତି ପୁରାକାଳରୁ ସୂଚିକ (ଦରକୀ) ହୋଇ ଏକ ଶ୍ରେଣୀ ବିଦ୍ୟମାନ ଥିବାର ଓ ନାନା ପ୍ରକାର ସ୍ୟୂତବସ୍ତ୍ରମାନ ପ୍ରଚଳିତ ଥିବାର ପୁରାତନ ଗ୍ରନ୍ଥମାନ ପାଠ କଲେ ଜଣାଯାଏ । ଆଜିକାଲି ପରି ସପ୍ତମଶତାବ୍ଦୀର ପୁରୁଷମାନେ ଧୋତି, ବେଢ଼ଣ ଓ ସ୍ତ୍ରୀମାନେ ଶାଢ଼ୀ ବ୍ୟବହାର କରୁଥିଲେ । ମୂଲିଆ ଓ ଦୈନିକ ନୀଚବ୍ୟବସାୟିମାନେ ଆଣ୍ଠୁ ଉପରେ ଏକପ୍ରକାର ଲୁଗାକୁ ଭିଡ଼ି ପିନ୍ଧୁଥିଲେ । ଭୁବନେଶ୍ୱର ଓ ଯାଜପୁରସ୍ଥ ପ୍ରତିମୂର୍ତ୍ତିମାନ ଦେଖିଲେ ଜଣାଯାଏ ଯେ ଓଡ଼ିଶାରେ ଭିନ୍ନ ଭିନ୍ନ ପ୍ରକାରର ଛିଟଲୁଗା ପ୍ରଚଳିତ ଥିଲା ଓ ସମ୍ଭ୍ରାନ୍ତ ଓଡ଼ିଶା ମହିଳାମାନେ ଅତି ବ‌ହୁମୂଲ୍ୟ ଓ ମନୋହର ଶାଢ଼ୀମାନ ବ୍ୟବହାର କରୁଥିଲେ । ଦ୍ୱାରବାନ୍ ଓ ରାଜାଙ୍କର ଅନ୍ୟାନ୍ୟ ନୀଚ କର୍ମଚାରିମାନେ ଉଷ୍ଣୀଷ ଓ ଶ୍ମଶ୍ରୁ ଧାରଣ କରୁଥିଲେ ।

ଓଡ଼ିଶା ସମାଜର ପୂର୍ବକାଳର ଲୋକମାନେ ନାନାପ୍ରକାର ଅଳଙ୍କାର ବ୍ୟବହାର କରୁଥିଲେ । ସେଥିରୁ ସେ ସମୟର ଦେଶର ଅବସ୍ଥା ଅନେକ ପରିମାଣରେ ଉନ୍ନତ ଥିବାର ପ୍ରତୀୟମାନ ହୁଅଇ । ଶିର, କର୍ଣ୍ଣ, ନାସିକା, କଣ୍ଠ, ବାହୁ, ହସ୍ତ, କଟୀ ଓ ପାଦରେ ସ୍ତ୍ରୀମାନେ ନାନାପ୍ରକାର ଅଳଙ୍କାର ପରିଧାନ କରୁଥିଲେ । କୌଣସି କୌଣସି ଅଳଙ୍କାର ବିଶେଷତଃ କର୍ଣ୍ଣରେ ବ୍ୟବହୃତ ହେଉଥିବା ଗ‌ହଣାମାନ ଏପରି ଉକ୍ତୃଷ୍ଟ ଥିଲା ଯେ ଆଜିକାଲି ସଭ୍ୟତମ ଦେଶମାନଙ୍କରେ ଲୋକେ ସେହିପରି ଗହଣାମାନ ବ୍ୟବହାର କରିବା ବିଷୟରେ ବିଶେଷ ଆଗ୍ରହ ପ୍ରକାଶ କରୁଅଛନ୍ତି ।