ପୃଷ୍ଠା:Odishara Itihas.pdf/୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୫
ତୃତୀୟ ଅଧ୍ୟାୟ

ଅଧିକାଂଶ ଯୁଦ୍ଧରେ ଧ୍ୱନିତ ହେଉଥିଲା । ଲମ୍ବ ଲମ୍ବ ଭକ୍ରା ବାଦ୍ୟମାନ ଯୁଦ୍ଧରେ ବାଜୁଥିଲା । ଓଡ଼ିୟା ସୈନ୍ୟମାନେ ସମରକ୍ଷେତ୍ରରେ ତ୍ରିକୋଣାକାର ପତାକା ଉଡ଼ାଉଥଲେ । ଓଡ଼ିଶାରେ ଯୁଦ୍ଧରଥର ବ୍ୟବହାର ଥିବାର ଜଣାଯାଏ ନାହିଁ; ମାତ୍ର ହସ୍ତୀ ଓ ଅଶ୍ୱ ଯୁଦ୍ଧରେ ବ୍ୟବହୃତ ହେଉଥିଲା । ଅଶ୍ୱର ରେକାକ କି ହାତୀର ହାଉଦା ନ ଥିଲା । ହସ୍ତୀ ଓ ଅଶ୍ୱ ଉଭୟର ପିଠିରେ ଲୁଗା ପରା ଯାଉଥିଲା ।
କେଶରୀବଂଶୀୟ ରାଜାଙ୍କ ରାଜତ୍ୱ ସମୟରେ ସାଧାରଣ ଲୋକେ କି ଭାଷାରେ କଥାବାର୍ତ୍ତା କ‌ହୁଥିଲେ କିଛି ଜଣା ନାହିଁ । କୁଟୀଳାକ୍ଷର ସେ ସମୟରେ ପ୍ରଚଳିତ ଥିଲା । ସେ ସମୟର ରାଜାମାନଙ୍କର ଦାନପତ୍ର ଓ ଖୋଦିତ ଲିପିମାନ ସଂସ୍କୃତ ଭାଷାରେ ଓ ଏହି ଅକ୍ଷରରେ ଲିଖିତ ହୋଇଅଛି । ଏଣୁକରି ଅନୁମାନ ହୁଅଇ ସଂସ୍କୃତଭାଷା ସେ ସମୟରେ ରାଜଦରବାରମାନଙ୍କରେ ବ୍ୟବହୃତ ହେଉଥିଲା । ଦେଶର କୌଣସି କୌଣସି ସ୍ଥାନରେ ସଂସ୍କୃତ ଅଧ୍ୟୟନର ପାଠଶାଳା ଥିଲା ପରି ବୋଧ ହୁଅଇ । ଭୁବନେଶ୍ୱରସ୍ଥ ମୁକ୍ତେଶ୍ୱର ଦେଉଳରେ ଜଣେ ତାଙ୍କ ଶିଷ୍ୟକୁ ଶିକ୍ଷା ଦେବା ଭାବର ଏକ ପ୍ରତିମୂର୍ତ୍ତି ଖୋଦିତ ହୋଇ ଥିବାର ଦେଖାଯାଏ । ସମ୍ଭବତଃ ସେ ସମୟର ସ୍ତ୍ରୀମାନେ ସୁଦ୍ଧା ଶିକ୍ଷା ଲଭୁଥିଲେ; ଜଣେ ସ୍ତ୍ରୀ ଲେଖୁଥିବାର କି ଚିତ୍ର ଅଙ୍କିତ କରୁଥିବାର ଏକ ପ୍ରତିମୂର୍ତ୍ତି ଭୁବନେଶ୍ୱର ଦେଉଳରେ ଥିଲା; ବର୍ତ୍ତମାନ ତାହା କଲିକତାକୁ ନୀତ ହୋଇଅଛି । ଆଜିକାଲି ମଧ୍ୟ ଓଡ଼ିଶା ସ୍ତ୍ରୀଲୋକଙ୍କ ମଧ୍ୟରେ ଲେଖି ପଢ଼ି ଶିଖିବା ଏକ ଦୈଶିକ ରୀତିରୂପେ ବିଦ୍ୟମାନ ଅଛି । ଭାରତବର୍ଷର ଅନ୍ୟାନ୍ୟ ଅଂଶରେ ଏପରି ଦୈଶିକ ରୀତିର ପ୍ରାବଲ୍ୟ ନାହଁ । ସୁତରାଂ ଓଡ଼ିଶା ମହିଳାମାନଙ୍କର ପୂର୍ବକାଳରୁ ଯେ ବିଦ୍ୟାଶିକ୍ଷା ଲଭୁ ଥିବାର ଅନୁମାନ କରା ଯାଇଅଛି, ତାହା ଅସମ୍ଭବପର ନୁହେଁ; କୌଣସି ଦେଶରେ କୌଣସି ରୀତିର ଦାର୍ଢ୍ୟତା ଜନ୍ମିବା ବହୁକାଳସାପେକ୍ଷ ଅଟଇ । ଫଳତଃ ଉଲ୍ଲିଖିତ ବିବରଣମାନ ସର୍ବତୋଭାବେ ଦେଶର ଉନ୍ନତ ଓ ସଭ୍ୟତାଯୁକ୍ତ ଅବସ୍ଥାର ପରିଚୟ ଦେଉଅଛି । ସେ ସମୟରେ କେହି ଗ୍ରନ୍ଥକାର ଓଡ଼ିଶାରେ ଉଦିତ ହୋଇଥିବାର ଶୁଣାଯାଇ ନାହିଁ; ମାତ୍ର ବୋଧ ହୁଅଇ ଯେ ଭୁବନେଶ୍ୱରକ୍ଷେତ୍ରର ମାହାତ୍ମ୍ୟପ୍ରକାଶକ କୌଣସି କୌଣସି ପୁରାଣ ଓ ଉପପୁରାଣ ଓଡ଼ିଶାରେ କେଶରୀବଂଶୀୟ ରାଜାଙ୍କ ସମୟରେ ରଚିତ ହୋଇଥିଲା ।
ଶିଳ୍ପକାର୍ଯ୍ୟ—ଓଡ଼ିଶାର ସମସ୍ତ ଦେଉଳ ପ୍ରାୟ ଏକ ନିୟମରେ ଗଠିତ । ପ୍ରଥମେ ଦେଉଳର ବିସ୍ତୃତି, ଦ୍ୱିତୀୟତଃ ଉଚ୍ଚତା ଓ ତୃତୀୟତଃ କାର୍ଯ୍ୟର ଦୃଢ଼ତା ପ୍ରତି ଓଡ଼ିଶା ଶିଳ୍ପିଙ୍କର ଦୃଷ୍ଟି ପତିତ ହୋଇ ଥିବାର ସ୍ପଷ୍ଟ ବୋଧ ହେଉଅଛି । ମନ୍ଦିରର ଶୋଭା ବର୍ଦ୍ଧନ କରିବା ସକାଶେ ସେମାନେ ଲତା, ପୁଷ୍ପ,