ପୃଷ୍ଠା:Odishara Itihas.pdf/୯୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୦
ଓଡ଼ିଶାର ଇତିହାସ ।

ରାଜଧାନୀ ଥିଲା ଓ ସେହି ନଗରର ଏକ ଖୋଦିତ ଲିପିରୁ ଓଡ଼ିଶା ଗଙ୍ଗାବଂଶ ରାଜଶ୍ରେଣୀ ଉତ୍ପତ୍ତିର ଏହି ପ୍ରକାର ଇତିହାସ ମିଳଇ । କେହି କେହି ପୁରାତତ୍ତ୍ୱବିତ୍ ଗଙ୍ଗବଂଶୀୟ ରାଜାଙ୍କର ପୂର୍ବ ନିବାସ ବଙ୍ଗଦେଶ ଅନ୍ତଃପାତୀ ତମଲୁକ ବ। ମେଦିନୀପୁର ନିକଟରେ ଥିବାର ନିର୍ଣ୍ଣୟ କରିଅଛନ୍ତି, ମାତ୍ର ଏ ନିର୍ଦ୍ଧାରଣ ଆନୁମାନିକ ମାତ୍ର, ଯେହେତୁ ଏଥିର କୌଣସି ବିଶିଷ୍ଟ ପ୍ରମାଣ ନିର୍ଦ୍ଦିଷ୍ଟ ହୋଇନାହିଁ । ଦକ୍ଷିଣଦେଶରୁ ଯେ ଗଙ୍ଗବଂଶୀୟ ରାଜାଙ୍କର ଆଦିପୁରୁଷ ଆସିଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ । ଓଡ଼ିଶାଦେଶବାସୀ ଇତିବୃତ୍ତଲେଖକେ ସୁଦ୍ଧା ଦକ୍ଷିଣଦେଶରୁ ଗଙ୍ଗାବଂଶୀୟ ପ୍ରଥମ ନୃପତିଙ୍କର ଆଗମନ ନିର୍ଦ୍ଦେଶ କରିଅଛନ୍ତି ।
ଚୋରଗଙ୍ଗା ବା ଚୂଡ଼ଙ୍ଗଦେବ - ଓଡ଼ିଶାର ଗଙ୍ଗାବଂଶୀୟ ଆଦିରାଜାଙ୍କର ନାମ ଚୋରଗଙ୍ଗା ବା ଚୂଡ଼ଙ୍ଗଦେବ ବୋଲି ମାଦଳାପାଞ୍ଜିରେ ଲିଖିତ ଅଛି । ୧୧୩୨ ମସିହାରେ (୧୦୫୪ ଶକାବ୍ଦ ୧୩ ତାରିଖ ଆଶ୍ୱିନ, ଶୁକ୍ରବାର) ଚୂଡ଼ଙ୍ଗଦେବ କଟକ ଜୟ କରିଥିଲେ । ଏକ ଖୋଦିତ ଲିପିରୁ ଜଣାଯାଏ ବଙ୍ଗଳାର ବର୍ଦ୍ଧମାନ ପର୍ଯ୍ୟନ୍ତ ତାଙ୍କର ଅସ୍ତ୍ର ଚାଳିତ ହୋଇଥିଲା । ତାଙ୍କ ରାଜତ୍ୱ ସମୟର ଅନ୍ୟ କୌଣସି ବିଶେଷ ଘଟନା ବର୍ଣ୍ଣିତ ନାହିଁ । କିନ୍ତୁ ତାଙ୍କ ଶାସନାରମ୍ଭରୁ ବୈଷ୍ଣବଧର୍ମର ପ୍ରାଦୁର୍ଭାବ ବୃଦ୍ଧି ଓ ସେଥି ସଙ୍ଗେ ସଙ୍ଗେ ଜଗନ୍ନାଥଦେବ ଏବଂ ପୁରୀ ନଗରର ଗୌରବ ବର୍ଦ୍ଧନ ସଂଘଟିତ ହୋଇଥିଲା । ପୁରୀ ନଗରର ଏକ ସାହି ଓ ଏକ ପୁଷ୍କରଣୀ (ସମ୍ଭବତଃ ତାଙ୍କଦ୍ୱାରା ରଚିତ) ଚୂଡ଼ଙ୍ଗ ନାମ ଧାରଣ କରି ଅଦ୍ୟାପି ବିଦ୍ୟମାନ ଅଛି । ଜଗନ୍ନାଥ ମନ୍ଦିରରେ ଯେଉଁ ମାଦଳାପାଞ୍ଜି ସଂରକ୍ଷିତ ହୋଇଅଛି, ତାହା ତାଙ୍କ ଆଦେଶରେ ପ୍ରଥମ ଲିଖିତ ହୋଇ ଥିବାର କେହି କେହି କହିଅଛନ୍ତି; କିନ୍ତୁ ମାଦଳାପାଞ୍ଜିର ଆକାରରୁ ଓ ଲେଖାରୁ ବୋଧ ହୁଅଇ, ଏଥିର ଲିଖନ ଆଉ କିଛିକାଳ ଉତ୍ତାରୁ ପ୍ରଥମ ଆରବ୍‌ଧ ହୋଇଥିଲା । ସାରଙ୍ଗଗଡ଼ ଓ ଚଉଦ୍ୱାରର ଦୁର୍ଗଦ୍ୱୟ ଚୂଡ଼ଙ୍ଗଦେବ ନିର୍ମାଣ କରିଥିଲେ ବୋଲି କଥିତ ଅଛି* । ସେ ସର୍ବସୁଦ୍ଧା କୋଡ଼ିଏ ବର୍ଷ ରାଜତ୍ୱ କରିଥିଲେ ।


* ମହାଦେବକେଶରୀ ସାରଙ୍ଗଗଡ଼ ପରୀଖା ତୋଳି ଥିବାର ଓ ଜନ୍ମେଜୟଦେବ ଚଉଦ୍ୱାର ନଗର ସ୍ଥାପନ କରିଥିବାର ଇତିପୂର୍ବେ ଲିଖିତ ଅଛି । ଚୂଡ଼ଙ୍ଗ ଉକ୍ତ ଦୁଇ ସ୍ଥାନରେ କେବଳ ଯୋଡ଼ିଏ ଦୁର୍ଗ କରିଥିଲେ । ଏ ବିଷୟ ପ୍ରତି ପାଠକେ ଦୃଷ୍ଟି ରଖିବେ ।