ପୃଷ୍ଠା:Odishara Itihas.pdf/୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୧
ଚତୁର୍ଥ ଅଧ୍ୟାୟ ।

ଗଙ୍ଗେଶ୍ୱର ଦେବ— ଚୂଡ଼ଙ୍ଗଙ୍କ ମୃତ୍ୟୁ ଉତ୍ତାରୁ ତାଙ୍କ ପୁତ୍ର ଗଙ୍ଗେଶ୍ୱର ଦେବ ୧୧୫୨ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ରାଜସିଂହାସନ ଆରୋହଣ କରିଥିଲେ । ସେ ଅତି ପରାକ୍ରମଶାଳୀ ଓ ସମର-ପ୍ରିୟ ନୃପତି ଥିବାର କଥିତ ଅଛି । ଯେଉଁ ବାହୁବଳ ପ୍ରକାଶ କରି ତାଙ୍କର ପିତୃପିତାମହ ଦେଶ ଦେଶାନ୍ତରରେ ଜୟଲାଭ କରିଥିଲେ, ସେହି ବାହୁବଳଦ୍ୱାରା ଗଙ୍ଗେଶ୍ୱରଦେବ ଗୋଦାବରୀଠାରୁ ଗଙ୍ଗାନଦୀ ପର୍ଯ୍ୟନ୍ତ ସମସ୍ତ ଦେଶ ଅପଣାର କରଗତ କରି ସମର୍ଥ ହୋଇଥିଲେ ବୋଲି ମାଦଳାରେ ଲିଖିତ ଅଛି । ଆହୁରି ଜଣାଯାଏ ଯେ ଯାଜପୁର, ଚଉଦ୍ୱାର, ଛତା, କଟକ ବିଡ଼ାନାଶୀ ଓ କୃଷ୍ଣାନ‌ଦୀତୀରସ୍ଥ ଅମରାବତୀ ତାଙ୍କର ପାଞ୍ଚଦୁର୍ଗ ବା ରାଜଧାନୀ ଥିଲା । କିନ୍ତୁ ତାଙ୍କର ଚରିତ୍ର ଅତି ଅପବିତ୍ର ଥିବାର ଦେଶରେ ପ୍ରବାଦ ପ୍ରଚଳିତ ଅଛି । ଲୋକେ କ‌ହନ୍ତି ସେ ସ୍ୱୀୟ କନ୍ୟାସ‌ହବାସଜନିତ ମହାପାପରେ ଲିପ୍ତ ଥିଲେ ଯେ ପିପିଲିର ପଶ୍ଚିମ ପାର୍ଶ୍ୱରେ କୋଶଳାଗଙ୍ଗ ନାମକ ଯେଉଁ ସୁପ୍ରଶସ୍ତ ପୁଷ୍କରିଣୀ ଆଜି ପର୍ଯ୍ୟନ୍ତ ବିରାଜିତ ଅଛି ତାହାକୁ ଗଙ୍ଗେଶ୍ୱରଦେବଙ୍କଦ୍ୱାରା ରଚିତ ଓ ତାଙ୍କର ଉକ୍ତ ମହାପାପର ପ୍ରାୟଶ୍ଚିତ୍ତର ଫଳ ବୋଲି ପ୍ରମାଣ ଦିଅନ୍ତି* । ସେ ମୋଟ ଚୌଦବର୍ଷ କାଳ ରାଜତ୍ୱ କରିଥିଲେ ।
ଅନଙ୍ଗଭୀମଦେବ—ଗଙ୍ଗେଶ୍ୱର ଦେବଙ୍କ ଉତ୍ତାରୁ ଏକଜାତଦେବ ପାଞ୍ଚବର୍ଷ ଓ ମଦନମହାଦେବ ଚାରିବର୍ଷ କାଳ ରାଜତ୍ୱ କରିଥଲେ । ଏ ଦୁଇ


* କଥିତ ଅଛି ଗଙ୍ଗେଶ୍ୱର ଦେବ ପଣ୍ଡିତଙ୍କୁ ଡାକି ପଚାରିଲେ ଯେ ଯେ ଯେଉଁ ଗଛ ଲଗାଏ ସେ ସେଥିର ଫଳ ସେ ଖାଇ ପାରେ କି ନାହିଁ । ପଣ୍ଡିତେ ଅଭିସନ୍ଧି ନ ବୁଝି ଉତ୍ତର କଲେ, ହଁ । ତହୁଁ ଗଙ୍ଗେଶ୍ୱର ନିଜ କନ୍ୟା ସଙ୍ଗେ ବ୍ୟଭିଚାରରେ ଲିପ୍ତ ହେଲେ । କନ୍ୟା ଗର୍ଭରୁ ପୁତ୍ର ଜନ୍ମିଲା । ଏ କଥା ଜଣା ପଡ଼ିଲା । ତ‌ହୁଁ ପଣ୍ଡିତେ ପରାମର୍ଶ ଦେଲେ ଜାତପୁତ୍ର ତାହା ମାତା ସଙ୍ଗେ ଗୋଟିଏ ଛିଦ୍ରବିଶିଷ୍ଟ ଜଳପୂର୍ଣ୍ଣ ସ୍ୱର୍ଣ୍ଣକଳସ ମସ୍ତକେ ଘେନି ବୁଲିବ । ଉକ୍ତ ବାଳକ ପ୍ରଥମ ଛାଡ଼ିଲା ସ୍ଥାନରୁ ଯେଉଁ ସ୍ଥାନରେ ପାଣି ଶେଷ ହେବ ସେହି ଭୂମି ବ୍ୟାପି ଏକ ପୁଷ୍କରିଣୀ ପ୍ରାୟଶ୍ଚିତ୍ତସ୍ୱରୂପ ଖୋଦିତ ହେବ । ଏଣୁ ଏ ପୁଷ୍କରିଣୀ ହୋଇଅଛି । କନ୍ୟାର ନାମ କୌଶଲ୍ୟା ବା କୋଶଳା ଓ ରାଜାଙ୍କ ନାମ ଗଙ୍ଗେଶ୍ୱର ଥିବା ଯୋଗୁଁ ପୋଖରୀ ନାମ କୋଶଳାଗଙ୍ଗ ହୋଇଅଛି ।
ଏହି ପୁଷ୍କରଣୀ ମଧ୍ୟରେ ଗୋଟିଏ ଦ୍ୱୀପ ଅଛି । ସେଥିରେ ଗୋଟିଏ ରାଜଆବାସର ଭଗ୍ନାବଶେଷ ଗୃହ ଦୃଷ୍ଟ ହୁଏ । ଦୟାନ‌ଦୀ ସଙ୍ଗେ ଏ ପୁଷ୍କରିଣୀ ଏକ ନାଳଦ୍ୱାରା ଯୁକ୍ତ ଥିଲା । ପୁଣି ସେ ନାଳ ଉପରେ କେତେଗୁଡ଼ିଏ ପଥରପୋଲ ଥିଲା ।