ପୃଷ୍ଠା:Odishara Itihas.pdf/୯୪

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୨
ଓଡ଼ିଶାର ଇତିହାସ ।

ରାଜାଙ୍କ ରାଜତ୍ୱ ସମୟର କୌଣସି ବିଶେଷ ବିବରଣ ଲିପିବଦ୍ଧ ନାହିଁ । ତଦନନ୍ତର ୧୧୭୫ ମସିହାରେ ଓଡ଼ିଶାର ରାଜକୂଳଚୂଡ଼ାମଣି ଅନଙ୍ଗଭୀମଦେବ ଗଜପତି ସିଂହାସନ (ଗଙ୍ଗାବଂଶୀୟ ରାଜାମାନେ ଗଜପତି ନାମରେ ଖ୍ୟାତ) ଆରୋହଣ କଲେ । ପ୍ରଥମେ ଯାଜପୁର ତାଙ୍କର ରାଜଧାନୀ ଥିଲା, ସେଠା ଚଉଦୁଆର ନାମକ ପ୍ରାସାଦରେ ସେ ଅବସ୍ଥିତି କରୁଥିଲେ । ସେଥି ଉତ୍ତାରୁ କଟକର ବାରବାଟୀ ଦୁର୍ଗ ନିର୍ମାଣ କରି ସେଠାରେ ଅବସ୍ଥିତ ହେଲେ । ତାଙ୍କର ଚରିତ୍ର ସୁଦ୍ଧା ପ୍ରଥମେ ନିର୍ମଳ ନ ଥିଲା, ଯେହେତୁ କଥିତ ଅଛି ଯେ ସେ ବ୍ରହ୍ମହତ୍ୟା କରି କଳୁଷିତ ହୋଇଥିଲେ ଓ ସେହି ପାପର ପ୍ରାୟଶ୍ଚିତ୍ତରୂପେ ଷାଠିଏ ପ୍ରସ୍ତରମୟ ଦେଉଳ, ଦଶ ସେତୁ, ଷାଠିଏ ବାପୀ, ଏକକୋଟି ସରୋବର ଓ ଏକଶବାଆନ ଘାଟ ନିର୍ମାଣ କରାଇଥିଲେ । ମଧ୍ୟ ଦେଢ଼ଶଅ (କେହି ବୋଲନ୍ତି ସାଢ଼େ ଚାରିଶଅ) ବ୍ରାହ୍ମଣଶାସନ ତାଙ୍କ ଆଜ୍ଞାରେ ବସିଥିଲା । ଉଲ୍ଲିଖିତ କାର୍ଯ୍ୟସବୁର ସଂଖ୍ୟାରେ ଅତ୍ୟୁକ୍ତି ଥାଇପାରେ, ମାତ୍ର ଅନଙ୍ଗଭୀମ ଯେ ଅନେକ ଦେଉଳ ଗଢ଼ାଇଥିଲେ ଓ ଅନ୍ୟାନ୍ୟ ବ‌ହୁ ସାଧାରଣ କାର୍ଯ୍ୟରେ ଅର୍ଥ ବ୍ୟୟ କରିଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ । ଅନଙ୍ଗଭୀମଙ୍କ ଆଜ୍ଞାରେ ପୁରୀନଗର ଅସଂଖ୍ୟ ଦେବାଳୟାଦିଦ୍ୱାରା ସୁଶୋଭିତ ହୋଇଥିଲା ଓ ପୁରୀର ବଡ଼ଦେଉଳ ତାଙ୍କର କୀତ୍ତିସ୍ତମ୍ଭ ଅଟଇ ।
ଅନଙ୍ଗଭୀମଦେବ କେବଳ ସାଧାରଣ ହିତକାର୍ଯ୍ୟମାନଙ୍କରେ ଯେ ତତ୍ପରତା ଓ ହୃଦ୍ୟତା ଦେଖାଇଥିଲେ ଏମନ୍ତ ନୁହେଁ, ତଦଧୀନ ରାଜ୍ୟର ସୁଶୃଙ୍ଖଳ ଶାସନ ବିଷୟରେ ମଧ୍ୟ ବିଶେଷ ମନୋଯୋଗୀ ହୋଇଥିଲେ । ତାଙ୍କ ରାଜତ୍ୱ ସମୟରେ ପ୍ରଥମ ଥର ସମଗ୍ର ଓଡ଼ିଶାରେ ଥରେ ଜରୀବ ହୋଇଥିଲା । ଏହି ମହତ୍‌କାର୍ଯ୍ୟର ତ‌ତ୍ତ୍ୱାବଧାରଣରେ ତାଙ୍କର ମନ୍ତ୍ରୀ ଦାମୋଦର ବଡ଼ପଣ୍ଡା ଓ ଈଶାନ ପଟ୍ଟନାୟକ ନିଯୁକ୍ତ ହୋଇଥିଲେ । ଗଙ୍ଗାକୂଳଠାରୁ ଗୋଦାବରୀ ତୀର ପର୍ଯ୍ୟନ୍ତ ଓ ସମୁଦ୍ରଠାରୁ ସୁନପୁର ପର୍ଯ୍ୟନ୍ତ ସମସ୍ତ ଦେଶ ସେମାନେ ଜରୀବ କରାଇଥିଲେ । ଜରୀବର ଫଳ ଏହିରୂପେ ସ୍ଥିର ହୋଇଥିଲା । ଯଥା:-
ମୋଟଜମି ... ୬୨୨୮୦୦୦ ବାଟୀ ।
ମିହ୍ନା, ପାହାଡ଼, ନଈ, ନଗର, ପତିତଭୂମି ... ୧୪୮୦୦୦୦ ବାଟୀ ।
ବାକୀ ଆବାଦୀ ଭୂମି ... ୪୭୪୮୦୦୦ ।
ଏହି ଅବଶିଷ୍ଟ ଆବାଦୀ ଭୂମି ମଧ୍ୟରୁ ୨୪୩୦୦୦୦ ବାଟୀ ଖାଲିସା ବା କର‌ଯୁକ୍ତ ଓ ୨୩୧୮୦୦୦ ବାଟୀ ବ୍ରାହ୍ମଣ, ରାଜକର୍ମଚାରୀ, ସୈନ୍ୟ, ସାମନ୍ତ ପ୍ରଭୃତିଙ୍କ ପ୍ରତିପୋଷଣାର୍ଥ ନିୟୋଜିତ ହୋଇଥିଲା । ସେହି ସମୟରେ ଅନଙ୍ଗଭୀମଦେବ ୧୬ ଜଣଙ୍କୁ ସାମନ୍ତ ରାଜା କରିଥିଲେ । ସେଥି ପୂର୍ବରୁ ଆହୁରି ଅନେକ କ୍ଷୁଦ୍ର କ୍ଷୁଦ୍ର