ପୃଷ୍ଠା:Odishara Itihas.pdf/୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୩
ଚତୁର୍ଥ ଅଧ୍ୟାୟ ।

ସାମନ୍ତ ରାଜା ଥିବାର ଅନୁମିତ ହୋଇଅଛି । ସେମାନେ ଭୂମି ଭୋଗ କରୁଥିଲେ ଓ ପ୍ରୟୋଜନାନୁସାରେ ସିଂହାହି, ରସଦ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାହାଯ୍ୟମାନ ଓଡ଼ିଶାଧିପତିଙ୍କି ପ୍ରଦାନ କରୁଥିଲେ । ଆବଶ୍ୟକ ହେଲେ ସେମାନେ ସ୍ୱୟଂ ମଧ୍ୟ ସମରକ୍ଷେତ୍ରରେ ଉପସ୍ଥିତ ହେଉଥିଲେ । ସେମାନଙ୍କ ମଧ୍ୟରୁ କେହି କେହି ଆଧୁନିକ ଗଡ଼ଜାତ ଓ କିଲ୍ଲାଜାତ କୌଣସି କୌଣସି ରାଜାଙ୍କ ଆଦି କି ପୂର୍ବପୁରୁଷ ଥିବାର ସମ୍ଭବ ।

ଗଙ୍ଗାବଂଶୀୟ ରାଜାମାନେ ଓଡିଶାରେ ବିଷ୍ଣୁ ଉପାସନାର ପ୍ରତିପୋଷକ ଓ ଶ୍ରୀବୃଦ୍ଧିସାଧକ ବୋଲି ଯେଉଁ ଖ୍ୟାତି ଲଭିଅଛନ୍ତି, ରାଜା ଅନଙ୍ଗଭୀମଦେବ ଅଧିକାଂଶ ସେ ଖ୍ୟାତିର ଅଧିକାରୀ ଅଟନ୍ତି । ପୁରୁଷୋତ୍ତମର ବଡ଼ଦେଉଳ ନିର୍ମାଣ କରି ଜଗନ୍ନାଥଦେବଙ୍କର ସେବାପୂଜା ଓ ଅର୍ଚ୍ଚନାର ନିୟୋଗ କରିବାଦ୍ୱାରା ଓଡ଼ିଶାରେ ବିଷ୍ଣୁ ଉପାସନାକୁ ଜୀବନ ଓ ସ୍ଥାୟୀତ୍ୱ ଦେଇ ଅନଙ୍ଗଭୀମ ବିଶେଷ ଯଶର ଭାଜନ ହୋଇଥିଲେ । ବର୍ତ୍ତମାନ ଜଗନ୍ନାଥଙ୍କ ମନ୍ଦିରରେ ଯେପରି ସେବାପୂଜାର ନିୟମ ନିର୍ଦ୍ଦିଷ୍ଟ ଅଛି ସେ ସବୁ ଅଧିକାଂଶର ସୂତ୍ରପାତ ଅନଙ୍ଗଭୀମଦେବଙ୍କ ସମୟରୁ ହୋଇଥିବାର ଜଣାଯାଏ । ରାଜା ଓ ତଦୀୟ ବୁଦ୍ଧିମାନ୍ ବ୍ରାହ୍ମଣ ସଚୀବବର୍ଗଙ୍କ ଯତ୍ନ ଓ କୌଶଳରେ ହିନ୍ଦୁଧର୍ମାନ୍ତର୍ଗତ ଭିନ୍ନ ଭିନ୍ନ ମତାବଲମ୍ବିଙ୍କ ମତର ଏକତା ଜଗନ୍ନାଥଦେବଙ୍କ ଉପାସନାରେ ସମ୍ପାଦିତ ହୋଇଥିବାରୁ ତାଙ୍କ ଉପାସନା ଓ ପୂଜା ଅଚିରେ ଲୋକପ୍ରିୟ ହୋଇଅଛି । ରାଜା ଅନଙ୍ଗଭୀମ ଯେ ପୁଣି ଜଣେ ଉତ୍ତମ ରାଜନୀତିଜ୍ଞ ଓ ରାଜଶାସନ‌କୁଶଳ ନୃପତି ଥିଲେ ମାଦଳାପାଞ୍ଜିରେ ରକ୍ଷିତ ତାଙ୍କର ଏକ ବକ୍ତୃତାରୁ ତାହା କେତେକ ପରିମାଣରେ ପ୍ରକାଶ ପାଉଅଛି । ସମସ୍ତ ରାଜପୁତ୍ର, ଅଧୀନ ସାମନ୍ତ ରାଜା, ରାଜକର୍ମଚାରୀ, ପଣ୍ଡ।, ପୁରୋହିତ, ପ୍ରଜା ସମସ୍ତଙ୍କୁ ଏକତ୍ରିତ କରି ତାଙ୍କ ରାଜତ୍ୱର ଦ୍ୱାଦଶବର୍ଷରେ ଭକ୍ତ ବକ୍ତୃତା ସେ ପ୍ରଦାନ କରିଥିଲେ । ସେଥିର ସାର ନିମ୍ନରେ ଆମ୍ଭେମାନେ ପ୍ରକଟିତ କରୁଅଛୁଁ ।

"ହେ ରାଜପୁତ୍ର ଓ ସାମନ୍ତବୃନ୍ଦ । ଆମ୍ଭର ଏହି ରାଜ୍ୟର ଶାସନ, ରାଜକୀୟ ବ୍ୟୟ ନିର୍ବାହ, ସୈନ୍ୟ ଓ ଦେବାଳୟାଦିର ବ୍ୟୟ ସଂଯୋଟନ ଏବଂ ରାଜକୋଷ ରକ୍ଷଣ ବିଷୟରେ ଯେଉଁ ନିୟୋଗମାନ ଆମ୍ଭେ କରିଅଛୁଁ ସେ ସମସ୍ତ ଶ୍ରବଣ କର ଓ ଆମ୍ଭ ପରାମର୍ଶ ଗ୍ରହଣ କର । କେଶରୀବଂଶୀୟ ରାଜାମାନେ ଉତ୍ତରରେ କାଁଶବାଁଶ ନ‌ଦୀଠାରୁ ଦକ୍ଷିଣରେ ରସକୋଇଲା ନ‌ଦୀ ପର୍ଯ୍ୟନ୍ତ, ପୂର୍ବରେ ସାଗର ଉପକୂଳରୁ ପଶ୍ଚିମରେ ଭୀମନଗର ନିକଟବର୍ତ୍ତୀ ଦଣ୍ଡପାଟ ପର୍ଯ୍ୟନ୍ତ ସ୍ୱାଧିକାରଭୁକ୍ତ କରି ୧୫ ଲକ୍ଷ ମାଢ଼ ସୁବର୍ଣ୍ଣ ରାଜସ୍ୱ ପ୍ରାପ୍ତ ହେଉଥିବାର ତୁମ୍ଭମାନଙ୍କୁ ଜଣାଅଛି । ବର୍ତ୍ତମାନ ଶ୍ରୀ ଜଗନ୍ନାଥଙ୍କ ପ୍ରସାଦରୁ ଗଙ୍ଗାବଂଶୀୟ ରାଜାମାନେ ଉତ୍ତରେ ଦତାଇବର୍ହୀ