Jump to content

ପୃଷ୍ଠା:Odishara Itihas.pdf/୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୪
ଓଡ଼ିଶାର ଇତିହାସ ।

ନଦୀ*, ଦକ୍ଷିଣେ ରାଜମହୀନ୍ଦ୍ରୀ ଓ ପଶ୍ଚିମରେ ବୌଦ ସୁନପୁର ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରିଅଛନ୍ତି ଏବଂ ଏହି ନବାଧିକୃତ ରାଜ୍ୟରୁ ଅଧିକା ୨୦ ଲକ୍ଷ ମାଢ଼ ସ୍ୱର୍ଣ୍ଣ ଲବ୍ଧ ହେଉଅଛି । ଏହି ରାଜସ୍ୱରୁ ସାମନ୍ତ, ବ୍ରାହ୍ମଣ, ପୁରୋହିତ ଓ ଦେବ ସେବାର ବ୍ୟୟାଦି ନିର୍ଦ୍ଦିଷ୍ଟ କରି ଦେଇଅଛୁଁ । ପାଇକ, ସେବକ ଓ ରାଜକର୍ମଚାରିଙ୍କ ସକାଶେ ଭୂମି ନିୟୋଜନ କରିଅଛୁଁ । ହେ ରାଜପୁତ୍ର ଓ ସାମନ୍ତବର୍ଗ ! ଆମ୍ଭର ଏହି ବ୍ୟବସ୍ଥାର କଦାପି ଅନ୍ୟଥା କରିବ ନାହିଁ । ଯାହାକୁ ଯେଉଁ ବୃତ୍ତି ବା ନିଷ୍କର ଭୂମି ପ୍ରଦତ୍ତ ହୋଇଅଛି ତାହା ରହିତ ଅବା ପୁନର୍ଗ୍ରହଣ ନ କରିବ; କଲେ ଦତ୍ତାପହାରିର ଦଣ୍ଡର ଯୋଗ୍ୟ ହେବ । ଯେଉଁ ଯେଉଁ ରାଜ୍ୟଖଣ୍ଡର ଶାସନଭାର ତୁମ୍ଭମାନଙ୍କ ହସ୍ତରେ ଅର୍ପିତ ହୋଇଅଛି, ସେ ସମସ୍ତ ଶାସନ ବିଷୟରେ ଏହି କଥା ସ୍ମରଣ ରଖିବ ଯେ ପ୍ରଜାମାନଙ୍କ ପ୍ରତି ଦୟାଶୀଳ ନ୍ୟାୟପର ହେବାର ରାଜାର କର୍ତ୍ତବ୍ୟ ଏବଂ ନିର୍ଦ୍ଦିଷ୍ଟ କରରୁ ଅତିରିକ୍ତ ଗ୍ରହଣ କରିବା ଅନ୍ୟାୟ । ସୌଭାଗ୍ୟକ୍ରମେ ଭୂୟାଁମାନଙ୍କୁ ପରାଜୟ କରି ୪୦ ଲକ୍ଷ ମାଢ଼ ସ୍ୱର୍ଣ୍ଣ ରାଜକୋଷରେ ସଂଗ୍ରହ କରିଅଛୁଁ । ୭୮୦୦୦୦ ମାଢ଼ ସ୍ୱର୍ଣ୍ଣ ମୂଲ୍ୟର ରତ୍ନମାନ ମଧ୍ୟ ସଞ୍ଚିତ ହୋଇଅଛି । ଏହି ସଞ୍ଚିତ ମୁଦ୍ରାରୁ କିଛି ବ୍ୟୟ କରି ଏକଶତ ହସ୍ତ ଉଚ୍ଚ ମନ୍ଦିର ଜଗନ୍ନାଥଦେବଙ୍କ ସକାଶେ ନିର୍ମାଣ କରାଇ, କେତେକ ମଣି ମୁକ୍ତା ସୁଦ୍ଧା ତାଙ୍କ ସେବାରେ ଅର୍ପଣ କରିବା ସକାଶେ ବାସନା କରିଅଛୁଁ । ଏଥିରେ ତୁମ୍ଭମାନଙ୍କର କି ମତ ତାହା ବ୍ୟକ୍ତ କର ।” ଏହି ବକ୍ତୃତା ଶ୍ରବଣ କରି ସମସ୍ତେ ସମ୍ମତି ପ୍ରଦାନ କଲେ ଓ ରାଜାଙ୍କୁ ଭୁୟସୀ ପ୍ରଶଂସା ଅର୍ପିତ ହେଲା । ତଦନନ୍ତର ଶ୍ରୀମନ୍ଦିର ନିର୍ମାଣ କରିବାର ସ୍ଥିର ହୋଇ ପରମହଂସ ବାଜପୋଇ ସେହି କାର୍ଯ୍ୟ ତ‌ତ୍ତ୍ୱାବଧାରଣର ଭାର ପ୍ରାପ୍ତ ହେଲେ । ବାର ଲକ୍ଷ ପଚାଶ ହଜାର ମାଢ଼ ସ୍ୱର୍ଣ୍ଣ ଓ ଅଢ଼ାଇ ଲକ୍ଷ ମାଢ଼ ସ୍ୱର୍ଣ୍ଣ ମୂଲ୍ୟର ରତ୍ନଚୟ ଜଗନ୍ନାଥଙ୍କର ସେହି କାର୍ଯ୍ୟର ବ୍ୟୟ ନିର୍ବାହାର୍ଥ ନିୟୋଜିତ ହେଲା ।
ଏହି ସମୟରେ ଅନଙ୍ଗଭୀମଙ୍କ ଆଦେଶକ୍ରମେ ନୂତନ ମୁଦ୍ରା ପ୍ରସ୍ତୁତ ଓ ମୋହର ଖୋଦିତ ହୋଇଥିଲା । “ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟୀ କର୍ଣ୍ଣାଟୋତ୍କଳ ବର୍ଗେଶ୍ୱରାଧିରାୟ ଭୂତ ଭୈରବଦେବ ସାଧୁ ଶାସନୋତ୍କର୍ଣ୍ଣ ରାଉତୁରାୟ ଅତୁଳ ବଳ ପରାକ୍ରମ ସଂଗ୍ରାମ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ" ଇତ୍ୟାଖ୍ୟାତ ରାଜୋପାଧି ଉକ୍ତ ମୋହରରେ ଅଙ୍କିତ ହୋଇଥିଲା । ଅଦ୍ୟାପି ଏହି ଉପାଧିର କେତେକ ଅଂଶ ଖୋର୍ଦାବଂଶୀୟ ରାଜାମାନେ ନାମକୁ ଧାରଣ


* ବର୍ତ୍ତମାନ ଏହା ବୁଢ଼ାବଳଙ୍ଗ ନାମରେ ଖ୍ୟାତ ।