ପୃଷ୍ଠା:Odishara Itihas.pdf/୯୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୭
ଚତୁର୍ଥ ଅଧ୍ୟାୟ ।

କେଶରୀ ନରସିଂହ ଓ ଅନ୍ୟାନ୍ୟ ନରସିଂହ, ଭାସୁର ଓ ବାସୁଦେବ ଉପାଧିଧାରୀ ରାଜାଗଣ — ଲାଙ୍ଗୁଳାନରସିଂହଙ୍କ ଉତ୍ତାରୁ କେଶରୀ ନରସିଂହ ( କେହି କେହି କହନ୍ତି କବିର ନରସିଂହ) ଓଡ଼ିଶାର ରାଜପଦ ଗ୍ରହଣ କରିଥିଲେ । ତାଙ୍କ ରାଜତ୍ୱ କାଳର ବିଶେଷ କୌଣସି ବିବରଣ ବର୍ଣ୍ଣିତ ନାହିଁ । ଜଗନ୍ନାଥ ମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମଧ୍ୟରେ ବଳାଗଣ୍ଡି ନାମକ ଯେଉଁ କ୍ଷୁଦ୍ର, ନିମ୍ନଗା ପ୍ରବାହିତ ହେଉଥିଲା, ତାହା ସେ ବ‌ହୁ ବ୍ୟୟ ସ୍ୱୀକାର କରି ପୋତାଇଥିଲେ । ତାଙ୍କର ରାଜପଣ ୧୨୮୨ ଖ୍ରୀଷ୍ଟାବ୍ଦରେ ଆରବ୍‌ଧ ହୋଇ ୧୩୪୭ ଖ୍ରୀଷ୍ଟାବ୍ଦରେ ସମାପ୍ତ ହୋଇଥିଲା । ୧୩୦୦ ଖ୍ରୀଷ୍ଟାବ୍ଦରୁ ୧୩୩୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ୭୩ ବର୍ଷ କାଳ ଆଉ ତିନିଜଣ ନରସିଂହ ଉପାଧିଧାରୀ ରାଜା ଓଡ଼ିଶା ରାଜ୍ୟ ଭୋଗ କରିଥିଲେ । ତାଙ୍କମାନଙ୍କ ମଧ୍ୟରେ ପ୍ରତାପ ନରସିଂହ (୧୩୦୭- ୧୩୨୭) ଦିଲ୍ଲୀ ସମ୍ରାଟଙ୍କ ଜନୈକ ସେନାପତିଙ୍କ ସଙ୍ଗେ ଏକତା ସ୍ଥାପନ କରି, ଉରାଙ୍ଗୁଲ ରାଜ୍ୟ ଜୟ କରିବା ସକାଶେ ସେନା ପ୍ରେରଣ କରିଥିଲେ ବୋଲି କଥିତ ଅଛି (୧୩୦୯) ।
ତଦନନ୍ତର ଭାସୁର ଉପାଧିଧାରୀ ଏକଜଣ ରାଜା ଓ ବାସୁଦେବ ଉପାଧିଧାରୀ ଛ ଜଣ ନୃପତି ୧୩୩୦ ଖ୍ରୀଷ୍ଟାବ୍ଦରୁ ୧୪୫୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ୧୫୨ ବର୍ଷ ଓଡ଼ିଶାରେ ରାଜପଣ କରିଥିଲେ । କେହି କେହି ଏମାନଙ୍କ ମଧ୍ୟରୁ ପ୍ରଥମ ରାଜାକୁ ନରସିଂହ ଓ ଶେଷ ଛ ରାଜାଙ୍କୁ ସୂର୍ଯ୍ୟବଂଶୀୟ ଭାନୁ ଉପାଧିଧାରୀ ନୃପତି ଥିଲେ ବୋଲି ନିର୍ଦ୍ଦେଶ କରିଅଛନ୍ତି, ମାତ୍ର ଶେଷ ଛ ରାଜାଙ୍କୁ ସୂର୍ଯ୍ୟବଂଶ ସମ୍ଭୁତ ବୋଲି ପ୍ରମାଣ କରିବା କଠିନ ବିଷୟ । ପୁଣି କେହି ସେମାନଙ୍କୁ ସୂର୍ଯ୍ୟୋପାସକ ଥିଲେ ବୋଲି ଯେ ଅନୁମାନ କରିଅଛନ୍ତି ସେ ଅନୁମାନକୁ ବିଶ୍ୱାସ କରିବା ପାଇଁ ଆମ୍ଭେମାନେ ବିଶେଷ ହେତୁ ଦେଖୁ ନାହୁଁ । ବରଂ କଣାରଖ ଦେଉଳର ନିର୍ମାଣ କାର୍ଯ୍ୟ (ଯହିଁର ଗଠନ ଲଙ୍ଗୁଳାନରସିଂହଦେବଙ୍କ ରାଜତ୍ୱ ସମୟରେ ସମାପ୍ତ ହୋଇ ନ ଥିଲା) ସମାପନ କରିବା ପ୍ରତି ସେମାନଙ୍କର ଅମନୋଯୋଗ ତଦ୍‌ବିପରୀତ ମତ ସମର୍ଥନ କରୁଅଛି । ଉଲ୍ଲିଖିତ ଭାସୁର ଉପାଧିଧାରୀ ରାଜାଙ୍କର ରାଜତ୍ୱ ସମୟରେ ମୁସଲମାନ ସେନାପତି କାପୁର ଉରାଙ୍ଗୁଲ ଜୟ କରି ତାଙ୍କ ହସ୍ତରେ ଅର୍ପଣ କରିଥିବାର ଲିଖିତ ଅଛି । ଏତଦ୍‌ବ୍ୟତୀତ ସେମାନଙ୍କର ରାଜତ୍ୱ ସମୟର ଅନ୍ୟ କୌଣସି ବିଶିଷ୍ଟ ଘଟଣାର ବିବରଣ ମିଳଇ ନାହିଁ । ସେତୁନିର୍ମାଣ, କୂପଖନନ, ଦେଉଳଗଠନ, ପ୍ରଭୃତି ସାଧାରଣ ହିତକର କାର୍ଯ୍ୟ ସମ୍ପାଦନରେ ସେମାନେ ଯଥାସାଧ୍ୟ ଚେଷ୍ଟାର ତ୍ରୁଟି କରି ନ ଥିଲେ । ଆହୁରି କଥିତ ଅଛି ଚତୁର୍ବ୍ଦଶ ଶତାବ୍ଦୀର ପ୍ରାରମ୍ଭରେ ଏକ ମହାଦୁର୍ଭିକ୍ଷ ଓଡିଶାରେ ଉପସ୍ଥିତ ହୋଇଥିଲା; ସେଥିରେ ସେ ସମୟର ଚାଉଳ ଧାନର ଭାଉ ଷାଠିଏ ଗୁଣ ବୃଦ୍ଧିକି ଲଭିଥିଲା ।