Jump to content

ପୃଷ୍ଠା:Oriya Tattwa Sahitya.pdf/୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଓଡ଼ିଆ ତତ୍ତ୍ୱ ସାହିତ୍ୟ

ମୋତେ ଦ୍ରଶନ ଦୃଢ଼େ କଲା । ସକଳ ସଂଶୟ ଛେଦିଲା ।
ମୁଂ ତାକୁ ପ୍ରସନ ହୋଇଲି | ବିଦେହ ନାମ ତାକୁ ଦେଲି ।
ବୋଇଲା ୟେ ଦେହ ପ୍ରପଞ୍ଚ । ୟେହି ତ ସାକ୍ଷାତେ ଶ୍ରୀବଛ ।
ୟେ ଦେହ ଛାଡ଼ି ମୁ ଦ୍ରଶନ । କରିବି ପ୍ରଭୁ ଭଗବାନ ।
ୟେଣୁ ୟେ ଦେହକୁ ତେଜିଲା | ମୋ ପାଦେ ଦ୍ରଶନ ସେ କଲା ।
ୟେଣୁ ବିଦେହ ନାମ ବହି | ପାଥକୁ କହେ ଭାବଗ୍ରାହୀ ।
ଭଣଇ ବଳରାମ ଦାସ । କୃଷ୍ଣ ଚରିତେ ମୋର ଆଶ ।
ଇତି ଶ୍ରୀ ବ୍ରହ୍ମାଣ୍ଡ ଭୋଗୋଳ ଚରିତ କଥନେ
ବ୍ରହ୍ମାଣ୍ତ ପୁରାଣେ ନାମ ଏକାଦଶ ଅଧ୍ୟାୟ ।

ଦ୍ୱାଦଶ ଅଧ୍ୟାୟ
ଶ୍ରୀ ଭଗବାନୁବାଚ
ବୋଲନ୍ତି ଶ୍ରୀମଧୁସୋଦନ । ଶୁଣ ହୋ ପାର୍ଥ ଦେଇ ମନ ।
ଗ୍ୟାଂନର ତତ୍ତ୍ୱ କ‌ହିଦେବା । ତୋ ମନୁ ସଂଶୟ ଫେଡ଼ିବା ।
ଯେ ଅଣାକାର ଶୂନ୍ୟ ଭୂଇଂ । ତହିଂରେ ଚନ୍ଦ୍ର ସୁର୍ଯ୍ୟ ନାହିଂ ।
ୟେ ଯେତେ ଯାଗ ଯଜ୍ଞ ମାନ । ସେ ଥାନେ ନାହିଂ ହୋ ଅର୍ଜୁନ ।
ସେ ବ୍ରହ୍ମ ରୂପ ନିର୍ବିକଳ୍ପ । ଅନାଦି ପରମ ଅଗୋପ୍ୟ ।
ଉତୁଣୀ ପୁଷ୍ପ ପ୍ରାୟେ ବର୍ଣ୍ଣ । ତା ମଧ୍ୟେ ପ୍ରଭୁ ନିରଞ୍ଜନ ।
ତା ମଧ୍ୟେ ଜ୍ୟୋତି ବ୍ରହ୍ନ ରହି । ତା ମଧ୍ୟେ ବାଳୁତ ଦିଶଇ ।
ବାଳୁତ ମଧ୍ୟେ ମହାବ୍ରହ୍ମ । ସେ ବ୍ରହ୍ମ ସକଳ ଘଟଣ ।
ୟେହି ସେହି ହୋୟେ ଲେଖାଇ । ଲେଖା ଲେଖନ ଯହିଂ ନାହିଂ
ସେ ସ୍ଥାନେ ମନ୍ତ୍ର ଯନ୍ତ୍ର ନାହିଂ | କଥନ ବେଦ ଶାସ୍ତ୍ର କହି ।
ୟେ ଯେତେ ଛତିଶ ସୁମୃତି । ଅଷ୍ଟାଦଶ ପୁରାଣ ସ୍ଥିତି ।
ବୋଲଇ ବଳରାମ ଦାସ । ବ୍ରହ୍ମାଣ୍ଡ ଭୋଗୋଳ ସାରାଂଶ ।
ଇତି ଶ୍ରୀ ବ୍ରହ୍ମାଣ୍ଡ ଭୋଗୋଳ ଚରିତ୍ର କଥନେ
ବ୍ରହ୍ମାଣ୍ଡ ପୁରାଣେ ନାମ ଦ୍ୱାଦଶୋଧାୟଃ