ଓଡ଼ିଆ ବିଭାଗ ନିମିତ୍ତ ଅନେକ ଗୁଡ଼ିଏ ଓଡ଼ିଆ ପାଠ୍ୟ ପୁସ୍ତକ ପ୍ରକାଶ ପାଇ ଯାଇଥିଲା । ତନ୍ମଧ୍ୟରେ (୧) ପ୍ରାକୃତିକ ଦର୍ଶନ (Natural philosophy) (୨) ଓଡ଼ିଆ ବର୍ଣ୍ଣ ପରିଚୟ (୩) ଓଡ଼ିଆ ନୀତି କଥା (୪) ଓଡ଼ିଆ ଗଣିତ (୫) ଗୀତ ଗୋବିନ୍ଦ (୬) ବତ୍ରିଶ ସିଂହାସନ (୭) ମିତ୍ର ଲାଭ (୮) ଓଡ଼ିଶା ଭୂଗୋଳ (୯) ଓଡ଼ିଶା ଇତିହାସ ଉଲ୍ଲେଖଯୋଗ୍ୟ: ଏଥିମଧ୍ୟରୁ ପ୍ରାକୃତିକ ଦର୍ଶନ କଲିକତା ସ୍କୁଲ ବୁକ୍ ସୋସାଇଟି, ମିତ୍ରଲାଭ ପୁରୀ ସ୍କୁଲ କମିଟି ବ୍ୟତୀତ ଅନ୍ୟ ସବୁ ଗ୍ରନ୍ଥ କଟକରେ ଛାପା ଯାଇଥିଲା । ସେ କାଳର ଓଡ଼ିଶାରେ ପାଶ୍ଚାତ୍ୟ ଶିକ୍ଷା ଓ ସଂସ୍କୃତି ପ୍ରସାର କ୍ଷେତ୍ରରେ ଏ.ସଟନ୍ ଥିଲେ ଏକ ପ୍ରବୀଣ ବିଦେଶୀ ପଣ୍ଡିତ । ୧୮୪୨-୪୩ ଶିକ୍ଷା ବିଭାଗର ରିପୋର୍ଟରେ କୁହାଯାଇଛି ଯେ ଓଡ଼ିଆ ଭାଷାରେ ବିଶେଷ ବ୍ୟୁତ୍ପତ୍ତି ଲାଭ କରିଥିବା ଏ ସଟନ୍ ଓ ପଣ୍ଡିତ ବିଶ୍ୱମ୍ଭର ବିଦ୍ୟାଭୁଷଣଙ୍କୁ (ସରକାରୀ ସ୍କୁଲର ହେଡ୍ ପଣ୍ଡିତ) ଓଡ଼ିଆ ଭାଷାରେ ବିଭିନ୍ନ ପାଠ୍ୟ ପୁସ୍ତକ ଓ ଅନ୍ୟାନ୍ୟ ସାହିତ୍ୟିକ ପୁସ୍ତକ ରଚନା କରିବା ପାଇଁ ଅନୁରୋଧ କରାଗଲା । ଏହା ସହିତ ଷ୍ଟାର୍ଲିଂଙ୍କର ଓଡ଼ିଶା କଟକ କଟକ ଇତିହାସ ଓ ତାହାର ପୃଷ୍ଠା ସଂଖ୍ୟା ଥିଲା ୯୦ । ଏହି ସମୟରେ ଡକ୍ଟର ପିଅରସନ୍ଙ୍କର ବାକ୍ୟ ବୋଲି (Idiomatic exercises) ଅନ୍ୟ ଏକ ବିଶିଷ୍ଟ କୃତି । ଏହି ସମୟର ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ ଅତ୍ୟନ୍ତ ବୈଚିତ୍ର୍ୟପୂର୍ଣ୍ଣ । ସେ ସମୟର ଆଧୁନିକ ଓଡ଼ିଆ ସାହିତ୍ୟ ସୃଷ୍ଟିରେ ମିଶନାରୀମାନଙ୍କର ଦାନ ଅତୁଳନୀୟ ଓ ଏହି ସାହିତ୍ୟ ବଙ୍ଗଳା ଭାଷାଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଛି ।
ଓଡ଼ିଶାରେ ଆଧିନିକ ଶିକ୍ଷାର ଆରମ୍ଭରେ ଓଡ଼ିଆ ଭାଷା ଓ ସାହିତ୍ୟର ସ୍ୱରୂପ ଆମର ମୌଳିକ ରଚନାରୀତିକୁ ପ୍ରାୟ ଛାଡ଼ି ଦେଇଛି । ଅନ୍ୟ ଦିଗରେ ଓଡ଼ିଶାର ପୁରପଲ୍ଲୀରେ ଓଡ଼ିଆ ରୀତିରେ କବିମାନେ କାବ୍ୟ, କବିତା, ସଙ୍ଗୀତାଦି ସ୍ୱାଧୀନ ଭାବରେ ରଚନା କରୁଥିଲେ । ଆଧୁନିକ ଓଡ଼ିଆ ଶିକ୍ଷାରେ ପ୍ରବର୍ତ୍ତିତ ଏହି ନୂତନ ଗଦ୍ୟଶୈଳୀ ଯେତେ ବିକୃତ ହେଉନା କାହିଁକି ତାହା ପରବର୍ତ୍ତୀ ଆଧୁନିକ ଓଡ଼ିଆ ଗଦ୍ୟକୁ ପ୍ରଭାବିତ କରିଛି । ଏହି ଅଦ୍ଭୁତ ପ୍ରାରମ୍ଭିକ ଓଡ଼ିଆ ଗଦ୍ୟ ରଚନାର କେତେକ ନମୁନା ପାଠକର କୌତୁହଳ ନିମିତ୍ତ ଦିଆଗଲା
୧୮୧୧ ଓଡ଼ିଆ ବାଇବେଲ- ଯେଙୁ ସମୟରେ ବିଚାରକର୍ତ୍ତାମାନେ ରାଜ୍ୟକଲେ ସେ ସମୟରେ ଦେଶରେ ଅକାଲ ଥିଲା । ତହିଁରେ ଏକ ମନିଷ ଆପନ ଭାର୍ଯ୍ୟା ଓ ଦୁଇ