ପୃଷ୍ଠା:Prabodha Chandrika (1856).pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଊନବିଂଶ ଶତକର ଉଲ୍ଲେଖଯୋଗ୍ୟ ପଞ୍ଜିକାମାନଙ୍କ ମଧ୍ୟରେ ‘ପ୍ରଦୀପ' (୧୮୮୫), ‘ଶିକ୍ଷା ବନ୍ଧ' (୧୮୮୫) ସ୍ୱଳ୍ପ ସମୟ ପାଇଁ ଆବିର୍ଭାବ ହୋଇଥିଲେ ସୁଦ୍ଧା ବିଭିନ୍ନ ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ । ଏହି ପତ୍ରିକା ଦ୍ୱୟରେ ସ୍ୱାଧୁଚରଣ ରାୟ, ମଧୁସୁଦନ ରାଓ, ବୈକୁଣ୍ଠନାଥ ଦତ୍ତ, ପ୍ରଭାକର ଶର୍ମା ପ୍ରମୁଖ ନିୟମିତ ଭାବରେ ଲେଖାଲେଖି କରିଥିଲେ । ଶିକ୍ଷାବନ୍ଧୁ, ପତ୍ରିକାରେ ମଧୁସଦନ ରାଓଙ୍କ 'ଆକାଶ ପ୍ରତି' ଓ 'ଜୀବନ ଚିନ୍ତା' କବିତାର ପ୍ରାୟୋଗିକ ସମାଲୋଚନା (Practical Criticism ) ପ୍ରକାଶ ଲାଭ କରିଥିଲା । ୧୮୮୭ ମସିହାରେ ‘ନବ ସମ୍ବାଦ’ ଓ ବାଲେଶ୍ୱରରୁ ‘ଓଡ଼ିଆ' ନାମରେ ପତ୍ରିକା ପ୍ରକାଶ ପାଉଥିଲା । 'ଓଡ଼ିଆ' ପତ୍ରିକାରେ ଶ୍ରୀ ଜଗନ୍ନାଥ ଯାତ୍ରୀମାନଙ୍କ ସମସ୍ୟ। ସର୍ବସାଧାରଣ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ପତ୍ରିକା ଦୁଇଟି ପରବର୍ତ୍ତୀ କାଳରେ 'ଓଡ଼ିଆ ନବ ସମ୍ବାଦ’ ନାମ ନେଇ ଆତ୍ମପ୍ରକାଶ କରି ଓଡ଼ିଆ ସଂସ୍କୃତି ଓ ସାହିତ୍ୟକୁ ବହୁକାଳ ପର୍ଯ୍ୟନ୍ତ ଅନୁଶୀଳନ କରିଛି । ଏହି ପତ୍ରିକାରେ ମଧୁସୂଦନ ରାଓ, ରାଧନାଥ ରାୟ, କାମପାଳ ମିଶ୍ର ପ୍ରମୁଖ କୃତବିଦ୍ୟ ଲେଖକଗଣ ଧାରାବାହିକ ଭାବରେ ଲେଖୁଥିଲେ । ୧୮୮୯ ମସିହାରେ ସମ୍ବଲପୁରରୁ ‘ସମ୍ବଲପୁର ହିତୈଷିଣୀ' ପତ୍ରିକା ଓଡ଼ିଶାରେ ବିଶେଷ ଆଲୋଡ଼ନ ସୃଷ୍ଟି କରିଥିଲା । ନୀଳମଣି ବିଦ୍ୟାରତ୍ନ ଏହି ପତ୍ରିକାର ଅନ୍ୟତମ ସମ୍ପାଦକ ଥିଲେ । ବିଭିନ୍ନ ପତ୍ରପତ୍ରିକାର ପ୍ରକାଶନରୁ ଜଣାଯାଏ ସେ ବାଲେଶ୍ୱର, କଟକ, ସମ୍ବଲପୁର, ଗଞ୍ଜାମ ଓ ମୟୁରଭଞ୍ଜ ଓଡିଶାର ଶିକ୍ଷା, ସଂସ୍କୃତର ପୀଠସ୍ଥଳୀ ଥିଲ । ଓଡିଶାର ଅଧିକାଂଶ ପତ୍ରପତ୍ରିକା ଏହି ସ୍ଥାନମାନଙ୍କରୁ ପ୍ରକାଶ ପାଇଛି ।
ମୟୁରଭଞ୍ଜ ରାଜାଙ୍କ ରାଜପ୍ରେସରୁ ୧୮୯୧ ମସିହା ଏପ୍ରିଲ ମାସରେ ଚୈତନ୍ୟ ପ୍ରସାଦ ରାୟଙ୍କ ସମ୍ପାଦନାରେ 'ଉତ୍କଳ ପ୍ରଭା' ପ୍ରକାଶ ପାଇଥିଲା । ରାଜନାରାୟଣ ମହାପାତ୍ର ମଧ୍ୟ କିଛିକାଳସକାଶେ ଏହାର ସମ୍ପାଦକ ଥିଲେ । ଏହି ପତ୍ରିକା ତ‌ତ୍କାଳୀନ ସାହିତ୍ୟିକ ଗୋଷ୍ଠୀର ମୁଖ୍ୟ ମୁଖପତ୍ର ଥିଲା । ଏହି ପତ୍ରିକା ସମ୍ପର୍କରେ ଫକୀରମୋହନ ‘ନନାଙ୍କ ପାଞ୍ଜି'ରେ ଲେଖିଛନ୍ତି;

"ପ୍ରଭା ଉଦେ ଦେଖି କବିଏ ଭାବିଲେ ଯିବ ଆମ ସବୁ ଦୁଃଖ
ଲେଖିବୁ କବିତା ନେବୁ ଟଙ୍କା ଗଣି ପଢ଼ିବେ ସକଳ ଲୋକ ।"


ଏହି ପତ୍ରିକା ପ୍ରଥମ କରି ଲେଖକମାନଙ୍କୁ ଯତ୍‌ସାମାନ୍ୟ ପାରିତୋଷିକ ସେମାନଙ୍କର ସୃଷ୍ଟି ସକାଶେ ପ୍ରଦାନ କରିଥିଲା । ଏହି ପତ୍ରିକାରେ ରାମଶଙ୍କର ରାୟଙ୍କ ‘ବିବାସିନୀ’, ରାଧାନାଥ ରାୟଙ୍କ ‘ଚିଲିକା’ 'ମହାଯାତ୍ରା’, ଯ‌ଯାତିକେଶରୀ', ମଧୁସୂଦନ ରାଓଙ୍କର ‘ଋଷି ପ୍ରାଣେ ଦେବାବତରଣ', ବିଶ୍ୱନାଥ,
Digitized by srujanika@gmail.com