ମୁଖବନ୍ଧ
ପ୍ରାଗ୍ଭାଷ
ଭାରତରେ ବ୍ରିଟିଶ ରାଜଶକ୍ତି ଶାସନ କ୍ଷମତା ଲାଭ କରିବା ପରେ ଦେଶବାସୀମାନଙ୍କର ସାମାଜିକ ଓ ସାଂସ୍କୃତିକ ଜାଗରଣ ପାଇଁ ବହୁବିଧ କାର୍ଯ୍ୟ କରିଥିଲେ । ସର୍ବସାଧାରଣଙ୍କ ମନରେ ସ୍ୱତନ୍ତ୍ର ଆସନ ଲାଭ କରିବା ପାଇଁ ସେମାନେ ଦେଶବାସୀଙ୍କ ଧର୍ମବିଶ୍ୱାସ ଉପରେ ହସ୍ତକ୍ଷେପ କରି ନ ଥିଲେ । ଭାରତୀୟ ଜୀବନରୁ ହୀନମନ୍ୟତା, କୁସଂସ୍କାର ଓ ଅଜ୍ଞତାର ଭ୍ରାନ୍ତି ଦୂରକରି କ୍ରାନ୍ତି ଆନୟନ ସକାଶେ ବ୍ରିଟିଶ ରାଜଶକ୍ତି ସତତ ସଚେତନ ଥିଲେ । ପାଶ୍ଚାତ୍ୟ ଆଲୋକ ଏବଂ ଜ୍ଞାନଦ୍ୱାରା ଭରତୀୟ ଜୀବନଚର୍ଯ୍ୟାର ବିକାଶ କରାଯାଇପାରିବ ବୋଲି ସେମାନଙ୍କର ଦୃଢ଼ବିଶ୍ୱାସ ଥିଲା । ଏଥି ନିମିତ୍ତ ଇଂରେଜମାନେ ଏ ଦେଶରେ ଶିକ୍ଷା, ଛାପାଖାନା, ପାଠ୍ୟପୁସ୍ତକ ଓ ପତ୍ରପତ୍ରିକାର ବିକାଶ ପାଇଁ ଚେଷ୍ଟା କରିଥିଲେ ।
ଓଡ଼ିଶାରେ ଇଂରେଜ
ବହୁ ପୂର୍ବରୁ ଭାରତକୁ ବୈଦେଶିକମାନେ ଆସିଥିଲେହଁ ଓଡ଼ିଶା ଭୂମିରେ ୧୫୫୪ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜ ବଣିକମାନେ ପ୍ରଥମେ ପାଦ ଦେଇଥିଲେ । ସେମାନେ ସୁବର୍ଣ୍ଣରେଖା ମୁହାଣର ପିପିଲିଠାରେ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଓଡ଼ିଶାର ତତ୍କାଳୀନ ଗଜପତି ପ୍ରତାପରୁଦ୍ରଦେବଙ୍କଠାରୁ ସନନ୍ଦ ପାଇଥିଲେ । ପର୍ତ୍ତୁଗୀଜମାନେ ଓଡ଼ିଶାରେ ବାଣିଜ୍ୟ ବ୍ୟବସାୟ କରୁଥିବା ଅବସ୍ଥାରେ କ୍ରମେ ଇଷ୍ଟଇଣ୍ଡିଆ କମ୍ପାନୀର ବ୍ୟବସାୟୀ ଦଳ ୧୬୩୩ ମସିହାରେ ଓଡ଼ିଶାରେ ପ୍ରବେଶ କଲେ । କ୍ୟାପଟେନ କାର୍ଟରାଇଟଙ୍କ ନେତୃତ୍ତ୍ୱରେ ଆଠ ଜଣ ବ୍ୟବସାୟୀ ୧୬୩୩ ମାର୍ଚ୍ଚ ମାସରେ କଟକ ଜିଲ୍ଲାର ହରିଶପୁର, କୁଜଙ୍ଗ ଓ ହରିହରପୁର (ଆଧୁନିକ ଜଗତସିଂହପୁର) ବାଟଦେଇ କଟକର ବାରବାଟ କିଲ୍ଲାରେ ପହଞ୍ଚିଲେ । ସେତେବେଳେ ଓଡ଼ିଶାର ରାଜା ଥିଲେ ମୁକୁନ୍ଦଦେବ, କିନ୍ତୁ ମୋଗଲ ଶାସନକର୍ତ୍ତା ଥିଲେ ଆଗା ମହମ୍ମଦ ଜମାନ । ଏହି ଇଂରେଜ ବଣିକଗଣ ମୋଗଲ ଶାସନକର୍ତ୍ତାମାନଙ୍କଠାରୁ ହରିହରପୁର, ବାଲେଶ୍ୱର, ପିପିଲି ପ୍ରଭୃତି ସ୍ଥାନରେ ବାଣିଜ୍ୟ କରିବାର ଅନୁମତି ପାଇଲେ । ବାଲେଶ୍ୱର ମଧ୍ୟ ସେ ସମୟରେ ବାଣିଜ୍ୟ ବ୍ୟବସାୟର ଏକ କେନ୍ଦ୍ରରୂପେ ଗଢ଼ି ଉଠିଲା । ଇଂରେଜମାନଙ୍କର ବାଣିଜ୍ୟ କୋଠି ସହିତ ହଲାଣ୍ଡ, ଡେନମାର୍କ ଓ ଫରାସୀମାନଙ୍କର ବାଣିଜ୍ୟ