କରଙ୍କ 'ସାହିତ୍ୟ ଚର୍ଚ୍ଚା', ଗଙ୍ଗାଧର ମେହେରଙ୍କ 'ଇନ୍ଦୁମତୀ' ପରି ବଳିଷ୍ଠ ଲେଖା ସମୂହ ପୁରସ୍କୃତ ହୋଇ ପ୍ରକାଶ ପାଇଥିଲା । 'ଉତ୍କଳ ପ୍ରଭା' ପରେ 'ଇନ୍ଦ୍ରଧନୁ' (୧୭/୮/୧୮୯୩), 'ବିଜୁଳି' (୧୬/୯/୧୮୯୩) ଯଥାକ୍ରମେ କଟକ ଓ ବାମଣ୍ଡାର ଦେଓଗଡ଼ରୁ ପ୍ରକାଶିତ ହୋଇଥିଲା । ଏହି ପତ୍ରିକା ଦ୍ୱୟ ଯଥାକ୍ରମେ ପ୍ରାଚୀନ ଓ ଆଧୁନିକ ସାହିତ୍ୟର ପୃଷ୍ଠପୋଷକତା କରିଥିଲା । ପ୍ରାୟ ବର୍ଷେ ପରେ ପରସ୍ପର ବାଦାନୁବାଦ ହୋଇ ଏହି ପତ୍ରିକା ଦ୍ୱୟ ବିଲୟ ଭଜିଥିଲା ।
ଊନବିଂଶ ଶତକର ଶେଷ ପର୍ଯ୍ୟାୟରେ ବିଶ୍ୱନାଥ କରଙ୍କ ସମ୍ପାଦନାରେ ଉତ୍କଳ ସାହିତ୍ୟ (୧୮୯୭) ଆତ୍ମପ୍ରକାଶ ଲାଭ କରିଥିଲା । ଏହି ଉତ୍କଳ ସାହିତ୍ୟ ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି ବହୁ ଆଧୁନିକ ସାହିତ୍ୟ ସ୍ରଷ୍ଟାମାନଙ୍କୁ ସୃଷ୍ଟିକରି ଅକ୍ଷୟ କୀର୍ତ୍ତି ସ୍ଥାପନ କରାଯାଇଛି । ଏହି ପତ୍ରିକାରେ ଫକୀରମୋହନ, ରାଧାନାଥ, ମଧୁସୂଦନ, ଗଙ୍ଗାଧରଙ୍କ ଠାରୁ ଆରମ୍ଭ କରି କାଳିନ୍ଦିଚରଣ, ବୈକୁଣ୍ଠନାଥ, ସଚ୍ଚିଦାନନ୍ଦ ପର୍ଯ୍ୟନ୍ତ ସମସ୍ତଙ୍କ ଲେଖା କାଳକ୍ରମେ ପ୍ରକାଶିତ ହୋଇଥିଲା ।
'ପ୍ରବୋଧ ଚନ୍ଦ୍ରିକା' ଠାରୁ ଓଡ଼ିଆ ପତ୍ରପତ୍ରିକା ସମୋନ୍ନତି ପଥରେ ଅଗ୍ରସର ହୋଇଛି । ଊନବିଂଶ ଶତକର ଏ ସବୁ ପତ୍ରପତ୍ରିକାର ଆତ୍ମପ୍ରକାଶରେ 'ପ୍ରବୋଧ ଚନ୍ଦ୍ରିକା' ପରି ମାସିକ ପତ୍ରିକା ଓ 'ଉତ୍କଳ ଦୀପିକା' ପରି ସାପ୍ତାହିକ ସମ୍ବାଦ ସାହିତ୍ୟ ପତ୍ରର ପ୍ରେରଣାକୁ ଅସ୍ୱୀକାର କରି ହେବ ନାହିଁ । ଊନବିଂଶ ଶତକ ଅନ୍ଧକାରର ପରିବେଶରୁ ଏହି ପତ୍ରିକା ଦ୍ୱୟ ଜନ୍ମ ଲାଭ କରି ଏ ଜାତିକୁ ଆଲୋକ ବର୍ତ୍ତିକା ଦେଖାଇଛନ୍ତି ।