ପୃଷ୍ଠା:Prabodha Chandrika (1856).pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୋଠି ବାଲେଶ୍ୱରରେ ଗଠିତ ହେଲା । ଏହି ସମୟରେ ଇଂରେଜମାନେ ହରିହରପୁରରେ ସେମାନଙ୍କର ଯେଉଁ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ, ପ୍ରତିକୂଳ ଜଳବାୟୁ ଓ ନ‌ଦୀର ଗତିପଥ ପରିବର୍ତ୍ତନରେ ତାହା ଉଧେଇ ପାରିନଥିଲା । ୧୬୪୨ ମସିହା ବେଳକୁ ତାହା ବନ୍ଦ ହୋଇଯାଇଥିଲା ।*

ଇଷ୍ଟଇଣ୍ଡିଆ କମ୍ପାନୀ ପଲାସୀ ଯୁଦ୍ଧ (୧୭୫୭ ଖ୍ରୀଷ୍ଟାବ୍ଦ) ପରେ ବଙ୍ଗ ଦେଶର ଶାସନରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କଲେ । ୧୭୬୪ ଖ୍ରୀଷ୍ଟାବ୍ଦରେ ବଙ୍ଗଳା, ବିହାର ଓ ଓଡ଼ିଶା କମ୍ପାନୀ ଶାସନାଧୀନ ହେଲେ । ଅଷ୍ଟାଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ମରହଟ୍ଟା ଶାସନ ଓଡ଼ିଶାରେ ଜାହିର ହେଲା ଓ ଓଡ଼ିଶାରେ ମରହଟ୍ଟା ଶାସନର ସ୍ୱଳ୍ପ ସମ‌ୟ ପରେ ୧୮୦୩ ମସିହାରେ କମ୍ପାନୀର ସୈନ୍ୟମାନେ ଗଞ୍ଜାମ ଆଡ଼ୁ ଜଳପଥରେ ବାଲେଶ୍ୱର ଆଡ଼ୁ ଆକ୍ରମଣ କରି ପୁରୀ, କଟକ ଓ ବାଲେଶ୍ୱର ଅଧିକାର କଲେ । ସେହି ଦିନରୁ ଅର୍ଥାତ ୧୮୦୩ ମସିହାରୁ ୧୯୪୭ ମସିହା ପର୍ଯ୍ୟନ୍ତ ପ୍ରାୟ ୧୪୪ ବର୍ଷ ଓଡ଼ିଶା ଇଂରେନମାନଙ୍କ ଶାସନାଧୀନରେ ରହିଲା ।
ଊନବିଂଶ ଶତାବ୍ଦୀରେ ଓଡ଼ିଶାର ଧର୍ମ, ସମାଜ ଓ ରାଜନୈତିକ ଜୀବନରେ ଦେଖାଦେଲା ନୂତନ ପରିବର୍ତ୍ତନ । ବଣ ଜଙ୍ଗଳପୂର୍ଣ୍ଣ ଓଡ଼ିଶା ଭିତରେ ପ୍ରବେଶ କଲା ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାର ସ୍ରୋତ । ଇଂରେଜ ଶାସନ ସ‌ହିତ ଖ୍ରୀଷ୍ଟିୟାନ ଧର୍ମ କେବଳ ଓଡ଼ିଶା କାହିଁକି ସମଗ୍ର ଭାରତବର୍ଷରେ ସମତାଳରେ ଗତି କରିଛି । ସେମାନେ ଭାରତର ଧାର୍ମିକ ପରମ୍ପରାରେ ହସ୍ତକ୍ଷେପ ନ କରିବାର ଆହ୍ୱାନ ଦେଉଥିଲେ ସୁଦ୍ଧା ସମଗ୍ର ଭାରତକୁ ଖ୍ରୀଷ୍ଟଧର୍ମାବଲମ୍ବୀ ଦେଶରେ ପରିଣତ କରିବାର ଅନ୍ତର୍ନିହିତ ବାସନା ସେମାନଙ୍କର ଥିଲା । ସେମାନେ ଭାରତରେ ଉନ୍ନୟନମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଖ୍ରୀଷ୍ଟଧର୍ମ ପ୍ରଚାରର ଚେଷ୍ଟା କରୁଥିଲେ । ମାତ୍ର ଭାରତର ମୌଳିକ ସନାତନ ହିନ୍ଦୁଧର୍ମକୁ ଏମାନେ ଚ‌ହଲାଇ ପାରିନାହାନ୍ତି । ଆମେ ସେମାନଙ୍କର ପାନୀୟ, ରୀତି-ନୀତି, ବେଶପୋଷକ, ଶିକ୍ଷା-ସଭ୍ୟତା, ଭାଷାକୁ କେତେକ ପରିମାଣରେ ଗ୍ରହଣ କରିଥିଲେ ମଧ୍ୟ ସେମାନଙ୍କର ଧର୍ମକୁ ପୂର୍ଣ୍ଣମାତ୍ରାରେ ଉପେକ୍ଷା କରିଅଛୁ ।


<nowiki>* History of Bengal and Orissa under British Rule-(1925)L.S.S. O' Malley, Page 7-8