ପୃଷ୍ଠା:Prabodha Chandrika (1856).pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଭୃତି ପୁସ୍ତକ । ସେତେବେଳର ଓଡ଼ିଆ ଶିକ୍ଷା ସମ୍ପର୍କରେ କୁହାଯାଇଛି, ''ଛାତ୍ରମାନେ ଦକ୍ଷତାର ସ‌ହିତ ଓରେୟା (Oreah) ଶିକ୍ଷା କରୁଛନ୍ତି । ଯେ କୌଣସି ଓଡ଼ିଆ ଲେଖା ସେମାନଙ୍କୁ ଦେଲେ ସେମାନେ ତାହାକୁ ଭଲ ଭାବରେ ପଢ଼ି ପାରୁଛନ୍ତି, କିନ୍ତୁ ଇଂରାଜିରୁ ଓଡ଼ିଆ ଅନୁବାଦରେ ସେମାନେ ସେତେ ପାରଦର୍ଶିତା ଦେଖାଇ ପାରୁନାହାନ୍ତି" ।
ଖ୍ରୀ: ୧୮୦୩-୧୮୨୮ ମଧ୍ୟରେ ଓଡ଼ିଶାର ଶିକ୍ଷା ସମ୍ବନ୍ଧରେ ଐତିହାସିକ ଟଏନ‌ବୀ ସାହେବ ଲେଖଛନ୍ତି, "ଇଂରେଜମାନେ ଓଡ଼ିଶା ଅଧିକାର କଲା ପରେ ପରେ ଦେଖାଗଲା ଯେ ଗୋଟିଏ ହେଲେ ଓଡ଼ିଆ ଲୋକ ସରକାରୀ ଚାକିରିରେ ନ ଥିଲେ । ସେତେବେଳେ କୋର୍ଟ କଚେରୀରେ ଫରାସୀ ଭାଷାହିଁ ପ୍ରଚଳିତ ଥିଲା । ୧୮୦୫ ମସିହାରେ କମିସନର ସାହେବଙ୍କର ଆଦେଶ ଫଳରେ ଉଭୟ ଫରାସୀ ଓ ଓଡ଼ିଆ ଭାଷା ସରକାରୀ ଭାଷାରୂପେ ସୀକୃତି ଲାଭ କଲା । ଯେଉଁ ଓଡ଼ିଆମାନେ କଚେରୀରେ ମୋହରିର ଭାବରେ ନିଯୁକ୍ତି ପାଇଲେ ସେମାନେ ତାଳପତ୍ରରେ ଲେଖନୀରେ ଲେଖିବାରେ ଦକ୍ଷତା ଅର୍ଜନ କରିଥିଲେ; କିନ୍ତୁ କାଗଜରେ ଲେଖିଲାବେଳକୁ ସେମାନଙ୍କର ହାତ ଥରୁଥିଲା । ନୂଆ ଧରଣର ଶିକ୍ଷା, ଲେଖାଲେଖିରେ ଏମାନେ ସେତେ ଅଭ୍ୟସ୍ତ ନ ଥିବାରୁ କିରାଣୀ ଚାକିରିରେ ବଙ୍ଗାଳୀମାନେ ନିଯୁକ୍ତ ହେବାର ସୁବିଧା ପାଇଲେ । ଏମିତି ଅନେକ ବଙ୍ଗାଳି ନିଜ ପ୍ରଦେଶର ଜାଗା ଛାଡ଼ି ଓଡ଼ିଶା ପ୍ରଦେଶରେ ବାସ କରି ଏକପ୍ରକାର ଓଡ଼ିଆ ହେଲେ । ୧୮୨୧ ମସିହାରେ ତ‌ତ୍କାଳୀନ ମାଜିଷ୍ଟ୍ରେଟ ଲେଖିଛନ୍ତି ଯେ, ବଙ୍ଗାଳୀ ଓ ମୁସଲମାନଙ୍କ ବ୍ୟତୀତ ଗୋଟିଏ ଓଡ଼ିଆ ଲୋକ ଚାକିରିରେ ଦଶ ଟଙ୍କାରୁ ଅଧିକ ପାଉଥିବାର ସେ ଦେଖି ନ ଥିଲେ ।"
ମୁସଲମାନ ଓ ଇଂରେଜ ଶାସନ ସମୟରୁ ଓଡ଼ିଶା ରାଜ୍ୟ ଶିକ୍ଷା କ୍ଷେତ୍ରରେ ବରାବର ଅବ‌ହେଳିତ ଅବସ୍ଥାରେ ଆସିଛି । ଭାରତର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଶିକ୍ଷାରେ ବିଶେଷ ପ୍ରଗତି କରି ପାରି ନାହିଁ । ୧୮୫୮ ମସିହାରୁ ଭାରତରେ ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ପ୍ରଥମେ କଲିକତା, ବମ୍ବେ ଓ ମାନ୍ଦ୍ରାଜରେ ତିନିଗୋଟି ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା, କିନ୍ତୁ ଓଡ଼ିଶାରେ ବିଶ୍ୱବିଦ୍ୟାଳ‌ୟ ଦୂରର କଥା, ପ୍ରଥମ କଲେଜ ରେଭେନ୍‌ସା କଲେଜ ୧୮୬୮ମସିହାର 'କଟକ କଲେଜ' ନାମରେ ଆରମ୍ଭ ହୁଏ । ପରବର୍ତ୍ତୀ କାଳରେ ୧୮୭୬ ମସି‌ହାରେ ଏହା ଡିଗ୍ରୀ କଲେଜରେ ପରିଣତ ହୋଇଥିଲା । ଓଡ଼ିଶାରେ ପ୍ରଥମ ବିଶ୍ୱବିଦ୍ୟାଳୟ ବିଂଶ ଶତକରେ ୧୯୪୩