ପୃଷ୍ଠା:Prachina Odia Kabita.pdf/୧୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୨
ପ୍ରାଚୀନ ଓଡ଼ିଆ କବିତା
 

ଆଗେ ମୁଁ ଯିବି ବୃନ୍ଦାବନ । ରମିବି ନନ୍ଦର ନନ୍ଦନ ।
ଦେଖିବି ନୟନ ପୂରୋଇ । ମୋହୋର ନାମେ ବେଣୁବାଇ ।
କିମ୍ପା ଡାକଇ ରାତ୍ରକାଳେ । ଉଭାରି କଦମ୍ବର ମୁଳେ |
ଜଳ କ୍ରୀଡାର ବେଳେ ଗଲା । ଆମ୍ଭର ବସ୍ତ୍ର ଚୋରି କଲା |
ତା'ର ବଚନେ ଲଜ୍ଜା ଛାଡ଼ି । ଆଣି ପିନ୍ଧିଲୁ ଯେଝା ଶାଢ଼ୀ ।
ଆମ୍ଭର ଶୁଦ୍ଧମନ ଜାଣି । ହସି ବୋଇଲେ ଚକ୍ରପାଣି । ୩୦ ।
ଦେବତା ପୂଜି ନଦୀତୀରେ । ମନେ ଯେ ବରିଅଛ କରେ |
ସେ କଥା ସୁମରିଲେ ଆଜ । ଆମ୍ଭର ଛଡ଼ାଇବେ ଲାଜ ।
ପତି ତନୟ ଛନ୍ତି କୋଳେ । କେମନ୍ତେ ଯିବୁଂ ରାତ୍ରକାଳେ ।
ନ ଗଲେ ନ ରହେ ଜୀବନ | କାଳ ହୋଇଲା ବେଣୁସ୍ୱନ |
ୟେମନ୍ତେ ହୋଇଲେ ବାହାର । ମଦନେ କମ୍ପଇ ଶରୀର ।
କେ ଗୋପୀ ଦୁହୁଂଥିଲା ଗାଈ । ବାଛୁରୀ ବାନ୍ଧି ଛନ୍ଦ ଦେଇ ।
ମୁରଲୀ ଶୁଣି କର୍ଣ୍ଣମୂଳେ । ଦୁହୁଂଣୀ ପକାଇଲା ତଳେ |
କୃଷ୍ଣର ଧ୍ୱନି ଶୁଣି ବେଗେ । ଧାଇଂଲା ବୃନ୍ଦାବନ ଲାଗେ ।
କେ ବସି କାଢ଼ୁଥିଲା ସର । ମୁରଲୀ ଶୁଣିଲା ସୁସ୍ୱର ।
ଡାକଇ ତା'ର ନାମ ଧରି | ବେଗେ ଧାଇଁଲା ଗୋପନାରୀ । ୪୦ ।
କେ କରୁଥିଲା ଦଧି ଯୋଗ । ଶୁଣି ଧାଇଁଲା ବେଗ ବେଗ ।
କେ ଦୁଧ ଚୁଲିରେ ବସାଇ । ମୁରଲୀ ଶୁଣି ଗଲ। ଧାଇଂ ।
କେ କୋଳେ ବାଳକ ବସାଇ | ଦୁଧ ପିଆଇ ଗୀତ ଗାଇ ।
କର୍ଣ୍ଣେ ଶୁଣିଲା ବେଣୁଧ୍ୱନି । ଡାକଇ ତା'ର ନାମ ଧରି |
ବାଳକ ପକାଇଲା ତଳେ । ଧାଇଂଲା ମଦନ ବିକଳେ |
ସ୍ୱାମୀ ଶୟନ ସ୍ଥାନେ ଥାଇ । କେ ଗୋପୀ ଚରଣ ଚାପଇ ।
ମୁରଲୀ ତା'ର ନାମ ଧରି । ଡାକଇ ଆସ ବେଗ କରି |
ପତି ଚରଣ ଥୋଇ ତଳେ । ବେଗେ ଧାଇଁଲା କାମଭୋଳେ |
କେ ବସି ଭୁଞ୍ଜୁଥିଲା ଅନ୍ନ । କର୍ଣ୍ଣେ ଶୁଣିଲା ବେଣୁସ୍ୱନ ।
ବୋଲଇ ଆସ ତୁହିବେଗେ । କୃଷ୍ଣଙ୍କୁ ଦେଖ ବନଭାଗେ । ୫୦ ।
ଶୁଣି ଭୋଜନ ଉପେଖିଲା । ହସ୍ତ ପଖାଳି ନ ପାରିଲା ।
ବେଗେ ଧାଇଁଲା ବୃନ୍ଦାବନ । ଯେଣେ ବାଜଇ ବେଣୁସ୍ୱନ ।