ପୃଷ୍ଠା:Prachina Odia Kabita.pdf/୧୦୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୯୫
 

ଶୁଣ ଗୋ ବ୍ରଜବଧୂଜନେ । ତୁମ୍ଭେ ଅଇଲ କିମ୍ପା ବନେ |
ଗୋପର କହ ଭଲ କଥା । ମୋ ନନ୍ଦ ଯଶୋଦା ବାରତା ।୧୧୦।
ଗୋପେ କି ଆପଦ ପଡ଼ିଲା । ମୋତେ ତ ସନ୍ଦେହ ଲାଗିଲା ।
ଗୋରୁ ଗୋପାଳ ନେଲେ ବାନ୍ଧି । ତୁମ୍ଭେ ଅଇଲ ବନେ କାନ୍ଦି ।
ସର୍ବ ସମ୍ପଦ କଲେ ଜୂର । କି ଅବା ମିଳିଲେ ଅସୁର ।
ୟେମନ୍ତ ପ୍ରାୟେ ମୁଁ ମଣଇ । କମ୍ପା ଅଇଲ ବନେ ଧାଇଁ ।
ଭଲେ ଅଇଲ ମୋ ନିକଟେ । ବଣା ନୋହିଲ ବଣବାଟେ ।
ରଜନୀ ହେଉଛି ଉଛୁର । ବନ ଗହନ କୁଞ୍ଜ ଘୋର ।
ବ୍ୟାଘ୍ର ଭଲ୍ଲକ ବନଜୀବେ । ତୁମ୍ଭଙ୍କୁ ଦେଖିଲେ ଖାଇବେ ।
ସ୍ବଭାବେ ସ୍ତିରୀ ଜନ୍ମ ହୋଇ । ବନେ ତୁମ୍ଭର ଭୟ ନାହିଁ ।
ନିଶ୍ଚେ ହୋଇବ ଆଜ ନାଶ । ମରଣ କଲଟି ବିଶ୍ବାସ ।
ଯାଅ ନଥାଅ ବନ ଘୋରେ | ତୁମ୍ଭଙ୍କୁ ଲୋଡ଼ୁଥିବେ ଘରେ । ୧୨୦।
ମାତା ପିଅର ପୁତ୍ର ଭାଇ । ଲୋଡ଼ୁ ଅଛନ୍ତି ନାମ ରାଇ ।
ଯେ ଯାହା ସ୍ବାମୀ କୋପଚିତ୍ତେ ।ଖୋଜନ୍ତି ଘରଦ୍ବାର ପଥେ |
ନ ପାଇ କରିବେଟି ରୋଷ । ତୁମ୍ଭେ ହୋଇବ ଜାତି ନାଶ ।
ବନ୍ଧୁ ବାନ୍ଧବ ତୁମ୍ଭ ଘୋରେ । ଅନ୍ନ ନ କରିବେ ଆହାରେ ।
ଜଳହି° ନ କରିବେ ପାନ । ତୁମ୍ଭେ ହୋଇବ ଜାତିହୀନ ।
ନ ଜାଣି ଯେବେ ଗୋ ଅଇଲ । ବହନ କର ମୋର ବୋଲ ।
ଦେଖ ୟେ ବନ ପରିମଳ । ନାନା କୁସୁମେ ନଦୀଜଳ ।
ମଳୟ ପବନ ଶୀତଳ । ତରୁ ପଲ୍ଲବେ ଭୃଙ୍ଗମେଳ ।
ବହନ ଯାଅ ଗୋପପୁର । ନିଜ ପତିଙ୍କି ସେବାକର ।
ଗାଈଙ୍କ ଗୋଡ଼େ ବଚ୍ଛା ବାନ୍ଧି । ତୁମ୍ଭେ ଯେ ଦୁହୁ° ଥିଲ ଛନ୍ଦି । ୧୩୦।
ସ୍ତନ ନ ପାଇଣ ବାଛୁରୀ । କାନ୍ଦନ୍ତି ହେମାରାବ କରି ।
ବାଳକ ଧରିଥିଲ କୋଳେ । ପକାଇ ଅଇଲ ଯେ ତଳେ ।
ଓଷ୍ଠ ଛିଡ଼ିଲା ଦନ୍ତପାଟି । କାନ୍ଦନ୍ତି ତୁଣ୍ଡେ ଭରି ମାଟି ।
ବହନ ନିଜ ଘରେ ଯାଅ । ସ୍ତନ ପିଆଇ ଗାଈ ଦୁହଂ ॥
ଯେବେ ଅଇଲ ବେଣୁନାଦେ । ମୋ ରୁପ ଦେଖିବାର ସଧେ ।
ୟେବେ ଦେଖିଲ ମୋର ଦେହ । ଯାଅ ଗୋ ଦଣ୍ଡେହେଁ ନ ରହ ।