ପୃଷ୍ଠା:Prachina Odia Kabita.pdf/୧୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୬
ପ୍ରାଚୀନ ଓଡ଼ିଆ କବିତା
 

ସ୍ବାମୀଙ୍କ ସଙ୍ଗେ ପ୍ରୀତି କରି ।ଉଚିତ ଧର୍ମ ଗୋ ତୁମ୍ଭର ।
ଗୋପୀୟେ କୃଷ୍ଣ କଥା ଶୁଣି । ଚିନ୍ତା ବିକଳେ ମନେ ଗୁଣି ।
ବଜ୍ର ପଡ଼ିଲ ଯେହ୍ନେ ଶିର । ବଦନୁ ନଇଲା ଉତ୍ତର |
ନିଶ୍ବାସ ବହେ ଖରତର । ଶୁଖିଲା ସୁରଙ୍ଗ ଅଧର ।୧୪୦।
ଦଶନେ ଅଧର କାମୋଡ଼ି । କର ଯୁଗଳ ଶିରେ ତାଡ଼ି ।
ଚରଣ ଅଙ୍ଗୁଳିର ଅଗ୍ରେ । ଭୂମି ଚିରନ୍ତି କାମବ୍ୟଗ୍ରେ ।
କମ୍ପଇ ବିକଳେ ଶରୀର । ବେନି ଲୋଚନୁ ବହେ ନୀର ।
ଅଞ୍ଜନ କୁଙ୍କୁମର ସଙ୍ଗେ । ଲୁହ ପଡ଼ଇ କୁଚଯୁଗେ ।
ଦୁଃଖ ସାଗରେ ନିମଜ୍ଜିଲେ । ସମସ୍ତେ ଲୋଚନ ବୁଜିଲେ ।
ହୋଇଲେ ମୃତପିଣ୍ଡ ପ୍ରାୟେ | ଦେଖନ୍ତି ପ୍ରଭୁ ଦେବରାୟେ ।
କୃଷ୍ଣ ନିଷ୍ଠର ବାକ୍ୟ ଶୁଣି । ଧର୍ମ ଅଧର୍ମ ମନେ ଗୁଣି ।
ଯାହାର ପାଇଁ ଗୃହବାସ । ଛାଡ଼ିଲୁ ଜୀବନର ଆଶ ।
ତାର ନିଷ୍ଠର କଥା ପାଇଂ । ଜୀବନ ଦଣ୍ଡେ ନ ରହଇ ।
ବେନି ଲୋଚନ ଘଷି କରେ । କୃଷ୍ଣଙ୍କୁ ଚାହିଁଲେ ସଧୀରେ ।୧୫୦।
ପାଦେ ପଡ଼ିଲେ ୟେକାବେଳେ | କହନ୍ତି ଜୀବନ ବିକଳେ |
ଶିର ଲଗାଇ ପଦ୍ମପାଦେ | କହନ୍ତି ଶୋକ ଗଦଗଦେ |
ଭେ ନାଥ ପ୍ରଭୂ ଭବଗ୍ରାହୀ । ୟେମନ୍ତ ବୋଲୁ କାହିଁପାଇଁ ।
ତୁ ନୋହୁ ଯଶୋଦାନନ୍ଦନ । ଅନାଦି ଜ୍ୟୋତି ନିରଞ୍ଜନ ।
ଆମ୍ଭେ ଅଭାଗୀ ଦୁଃଖୀନାରୀ । ଆଉ କ ଯିବୁ ଗୋପପୁରୀ ।
ଛାଡ଼ିଲୁ ବିଷୟା ବିଷାଦ । ପାଇ ତୋହୋର ପଦ୍ମପାଦ ।
ଆମ୍ଭନ୍ତ ତେଜୁ କାହିଁପାଇଁ । ତେ ତହୁ° ଅନ୍ୟଗତି ନାହିଁ ।
ଜୀବନ ରଖ ନନ୍ଦବାଳ । ଆମ୍ଭର ପୂରିଲାଟି କାଳ ।
କ୍ରୋଟ ଅନଳପ୍ରାୟେ ହୋଇ । କାମ ଅନଳ ହୃଦଦହି |
ଲିଭାଅ ମୁଖୁ ରସ ଦେଇ । ଦାସ ବଛଳ ଭାବଗ୍ରାହୀ ।୧୬୦।
ଯେବେ ନ ରଖୁ ବନମାଳୀ । ମରିବୁ° ସକଳ ଗୁଆଳୀ ।
ହତ୍ଯାହୋଇବ ତୋର କନ୍ଧେ । ଶୁଣି ହସନ୍ତି ଆଦିକନ୍ଦେ |